ଜିରୋ କାଜୁଆଲିଟି ଆମର ଲକ୍ଷ୍ୟ ଥିଲା, ଆମେ ଏଥିରେ ସଫଳତା ହାସଲ କରିଛୁ। ଦଳଗତ ଭାବେ କାମ କରିବା ଯୋଗୁ ବାତ୍ୟାର ସୁପରିଚାଳନା ହୋଇପାରିଲା ଓ ଏହାର ସୁଫଳ ରାଜ୍ୟବାସୀ ପାଇଛନ୍ତି ।’ ଆଜି ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଆଜି ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜିରୋ କାଜୁଆଲିଟି ଲକ୍ଷ୍ୟ ନେଇ ଆମେ ନିରବଚ୍ଛିନ ଭାବେ କାମ କରୁଥିବା ବେଳେ ଏଥିରେ ଅଭୂତପୂର୍ବ ସଫଳତା ହାସଲ କରିଛୁ।
ଦକ୍ଷ ଅଧିକାରୀମାନଙ୍କୁ ସ୍ପଟ୍କୁ ପଠାଯାଉଥିବା ବେଳେ ମନ୍ତ୍ରୀମାନେ ବି ବାତ୍ୟା ସ୍ଥଳରେ ଉପସ୍ଥିତ ଥିଲେ। କୌଣସି ବି ସ୍ଥାନରେ ଅପ୍ରିତିକର ଘଟଣା ଘଟିନି। ଖୁବ୍ ଶୀଘ୍ର କ୍ଷୟକ୍ଷତିର ଆକଳନ କରି ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ । ବିଭିନ୍ନ ବିଭାଗର ସମନ୍ୱୟ ଯୋଗୁ ବାତ୍ୟାର ସୁପରିଚାଳନା ହୋଇପାରିଛି। ଆଜି ସକାଳୁ ଲୋକେମାନେ ବାତ୍ୟା ଆଶ୍ରୟ ସ୍ଥଳରୁ ଘରକୁ ବାହୁଡ଼ିଲେଣି। ବାତ୍ୟା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ସକାଳୁ ସମୀକ୍ଷା ବୈଠକ କରିଛନ୍ତି । ଏହି ବୈଠକରେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମେତ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଉପସ୍ଥିତ ଥିଲେ । ଏଥିରେ ବାତ୍ୟା କ୍ଷୟକ୍ଷତି ନେଇ ଆଲୋଚନା ହୋଇଛି ଏବଂ ବାତ୍ୟା ଆଶୟସ୍ଥଳରେ ଥିବା ଲୋମାନଙ୍କୁ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୋହନ ମାଝି । ସେପଟେ ସ୍ଥିତି ଅନୁଯାୟୀ ପାନୀୟ ଜଳ ଯୋଗାଣ, ବିଦ୍ୟୁତ ସେବା ମରାମତି ପାଈଁ ଟିମ ପ୍ରସ୍ତୁତ ହୋଇ ମୁତୟନ ଅଛନ୍ତି । ଏନଡିଆରଏଫ, ଏସଡିଆରଏଫ, ଓଡ୍ରାଫ ସହ ଅଗ୍ନୀଶମ ଟିମର ସଦସ୍ୟ ବିଭିନ୍ନ ସ୍ଥାନରେ ଗଛ କାଟି ରାସ୍ତା ସଫା କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ଗତ କାଲି ସ୍ଥଳଭାଗ ଛୁଇଁଲା ବାତ୍ୟା ଦାନା । ଉପକୂଳରେ ରଚିଲା ତାଣ୍ଡବ ଲିଳା , କେନ୍ଦ୍ରାପଡ଼ା ଭିତରକନିକା ନେଚର ପାର୍କ ହବାଳିଖଟି ନିକଟରେ ଥିଲା ଲ୍ୟାଣ୍ଡଫଲ୍ର କେନ୍ଦ୍ରସ୍ଥଳ । ମଧ୍ୟରାତ୍ରୀ ପ୍ରାୟ ସାଢେ ଗୋଟାଏରୁ ସାଢେ ୩ଟା ମଧ୍ୟରେ ସ୍ଥଳଭାଗ ଛୁଇଁଥିଲା ବାତ୍ୟା । ପ୍ରବଳ ବର୍ଷା ପବନ ଲାଗିରହିଥିଲା । ୫ରୁ ୬ଘଣ୍ଟା ଧରି ବାତ୍ୟାର ଲ୍ୟାଣ୍ଡଫଲ ପକ୍ରିୟା ସମୟରେ ଘଣ୍ଟାପ୍ରତି ୧୧୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବା ସହିତ ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା । ବାତ୍ୟା ଲ୍ୟାଣ୍ଡଫଲ କରିବା ସମୟରେ ଉପକୂଳବର୍ତ୍ତୀ ଜିଲ୍ଲା ବିଶେଷ କରି କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଦେଖିବାକୁ ମିଳିଛି । ବାତ୍ୟା ଯୋଗୁ ପ୍ରାୟ ୬ ଲକ୍ଷ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳ ବା ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।