ଚଢା ଦରରେ ଖରିଦ କରି ହତାଶ

ଭୁବନେଶ୍ୱର : ବାତ୍ୟା ଭୟରେ ବିକଳିଆ ହୋଇ ଆବଶ୍ୟକତାରୁ ଯଥେଷ୍ଟ ଅଧିକ ସାମଗ୍ରୀକୁ ଚଢା ଦରରେ ଖରିଦ କରିଥିବା ରାଜଧାନୀବାସୀ ହତାଶ ହୋଇଛନ୍ତି । ବାତ୍ୟାର ପ୍ରଭାବ ରାଜଧାନୀ ଉପରୁ ହଟିଯାଇଥିବାବେଳେ ସରକାରଙ୍କ ନାଲି ଆଖି ପରେ ଆଳୁ, ପିଆଜ ଭଳି ସାମଗ୍ରୀର ଦର ହ୍ରାସ ପାଇଛି ।

ବାତ୍ୟା ଖବର ପ୍ରସାରଣ ପରେ ରାଜଧାନୀବାସୀ ଗାଡି ମୋଟର ଧରି ହାଟ ଓ ବିଭିନ୍ନ ମଲକୁ ଧାଇଁଥିଲେ । ଯିଏ ଯାହା ପାଇଲା ବଜାରରୁ କିଣିଲା । ତିନି ଜଣିଆ ପରିବାର ଥିବା ଲୋକେ ୮/୧୦ କିଲୋ ଆଳୁ ସହିତ ପିଆଜ, ଅଟା, ଚୁଡା, ଚିନି ଆଦି ବୋହି ନେଲେ । ଫଳରେ ଦୁଇ ଘଣ୍ଟା ଭିତରେ ରାଜଧାନୀରେ ଆଳୁ କିଲୋ ୩୦ ଟଙ୍କାରୁ ବଢି ୫୦ ଟଙ୍କା ହୋଇଥିଲା । ପିଆଜ କିଲୋ ୫୦ରୁ ୮୦ ଟଙ୍କାରେ ପହଞ୍ଚିଗଲା । ଚଢା ଦର ସତ୍ୱେ ବି ଲୋକେ ବିକଳିଆ ହୋଇ ଏତେ ସାମଗ୍ରୀ ନେଲେ ଯେ ଗୋଟିଏ ଦିନରେ ବଜାର ଏକ ପ୍ରକାର ଖାଲି ହୋଇଗଲା ।

ଆଳୁ ଦୋକାନଗୁଡିକରୁ ଆଳୁ ଉଭାନ ହୋଇଥିବାବେଳେ ଅନେକ ତେଜେରାତି ଦୋକାନରୁ ଅଟା, ସୁଜି, ଚୁଡା ଭଳି ସାମଗ୍ରୀ ବି ସରିଗଲା । ଲୋକେ ମନଇଛା ସାମଗ୍ରୀ କିଣିଥିବାବେଳେ ବ୍ୟବସାୟୀମାନେ ଦର କଷିବାକୁ ପଛାଇନଥିଲେ ।

ରାଜଧାନୀବାସୀ ଫନି ବିଭୀଷିକାକୁ ମନେ ପକାଇ ମାସେ ଦୁଇମାସ ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ ଖରିଦ କରିବାପରେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । କାରଣ ଗତ କାଲିଠାରୁ ବାତ୍ୟା ‘ଦାନା’ ର ପ୍ରଭାବ ଖୋରଧା ଜିଲ୍ଲାରେ ସେଭଳି ପଡିବନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ବାତ୍ୟା ପ୍ରଭାବରେ ରାଜଧାନୀରେ ଝିପି ଝିପି ବର୍ଷା ସହିତ ସାମାନ୍ୟ ପବନ ବହିବାରେ ଲାଗିଛି । ଗୁରୁବାର ରାତି କିମ୍ବା ଶୁକ୍ରବାର ପାହାନ୍ତା ସମୟରେ ବାତ୍ୟା କେନ୍ଦ୍ରାପଡା ଓ ଭଦ୍ରକ ମଧ୍ୟଭାଗରେ ସ୍ଥଳଭାଗ ଛୁଇଁବା ସମୟରେ ରାଜଧାନୀରେ ପବନର ବେଗ ସାମାନ୍ୟ ବଢିବା ସହିତ ବର୍ଷାର ଆଶଙ୍କା କରାଯାଉଛି । ତେବେ ଯେଉଁ ଆକଳନ କରି ରାଜଧାନୀବାସୀ ସହରର ଅନେକ ଦୋକାନ ଖାଲି କରିଦେଇଥିଲେ ସେଭଳି କିଛି ହେବାର ନାହିଁ ବୋଲି ସୂଚନା ମିଳିଲାଣି ।

ସହରବାସୀ ଭୟରେ କେବଳ ଦୋକାନ ଖାଲି କରିନାହାନ୍ତି, ଅନେକ ପେଟ୍ରୋଲ ପମ୍ପରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ସଫା କରିଦେଇଥିଲେ । ବାତ୍ୟା ସୂଚନା ପ୍ରଘଟ ପରେ ପରେ ଲୋକେ ଶହ ଶହ ସଂଖ୍ୟାରେ ତେଲଟାଙ୍କିଗୁଡିକରେ ଘଣ୍ଟା ଘଣ୍ଟା ଧରି ଧାଡି ଲଗାଇଥିଲେ । ଉଭୟ ଚାରି ଚକିଆ ଓ ଦୁଇଚକିଆ ଯାନଗୁଡିକ ଟାଙ୍କି ଭର୍ତ୍ତି ତେଲ ପକାଇବା ଫଳରେ ସହରର କେତେକ ଟାଙ୍କିରେ କିଛି ସମୟ ପାଇଁ ତେଲ ଅଭାବ ପରିଲକ୍ଷିତ ହୋଇଥିଲା । ଧାର ଉଧାର କରି ଟାଙ୍କି ଭର୍ତ୍ତି କରିଥିବା ଲୋକେ ଏବେ ମୁଣ୍ଡରେ ହାତ ମାରୁଛନ୍ତି ।

ତେଜେରାତି ସାମଗ୍ରୀ ସହିତ ପେଟ୍ରୋଲ, ଡିଜେଲ ଖାଲି କରିଦେଇଥିବା ସହରବାସୀ ହାଟରୁ କଞ୍ଚା ପରିବା ମଧ୍ୟ ବୋହି ନେଇଛନ୍ତି । ଜଣେ ଜଣେ ବ୍ୟକ୍ତି ସପ୍ତାହେ ପାଇଁ କଞ୍ଚାପରିବା କିଣିବା ଯୋଗୁଁ ପନି ପରିବା ଦର ହୁ ହୁ ହୋଇ ବଢିଯାଇଥିଲା । ଚଢା ଦର ସତ୍ୱେ ବି ଲୋକେ ପରିବା ହାଟ ଖାଲି କରିଦେଇଥିଲେ । ବ୍ୟବସାୟୀମାନେ ବି ଭଲ ଦୁଇ ପଇସା ପାଇଥିଲେ ।

ବ୍ୟବସାୟୀଙ୍କ ଚଢା ଦର ସଂକାନ୍ତରେ ଖବର ପ୍ରସାରିତ ପରେ ସରକାର ଆକ୍ସନ ମୋଡ୍‍କୁ ଆସିଥିଲେ । ଏଥିଯୋଗୁଁ ଆଳୁ ପିଆଜ ପୂର୍ବ ଦରକୁ ଫେରିଥିବାବେଳେ କଞ୍ଚା ପରିବା ନେବାକୁ ଲୋକ ନଥିବାରୁ ଗୁରୁବାର ଦିନ ଅଳ୍ପ ଦରରେ ବଜାରରେ ଭଲ ପନିପରିବା ମିଳିଛି । ତେବେ ଚଢା ଦରରେ ବଜାର ଖାଲି କରିଥିବା ଲୋକେ ବାତ୍ୟା ସୂଚନା ପ୍ରସାରଣକାରୀଙ୍କୁ ଏବେ ଦୋଷ ଦେଉଥିବା ଲକ୍ଷ୍ୟ କରାଯାଇଛି ।

Leave A Reply

Your email address will not be published.