ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ସ୍ଥାନରେ ମଦ ଦୋକାନ ବସାଇବା ପାଇଁ ସରକାରଙ୍କ ଠାରୁ ଲାଇସେନ୍ସ ହାତେଇ କେତେକ ମଦ ବେପାରୀ ଅନ୍ୟ ସ୍ଥାନରେ ମଦ ଦୋକାନ କରିଛନ୍ତି । ପୁଲିସ, ପ୍ରଶାସନ, ଅବକାରୀ ବିଭାଗ, ନିର୍ବାଚିତ ଲୋକ ପ୍ରତିନିଧିଙ୍କ ଜ୍ଞାତ ସାରରେ ଏଭଳି ବେଆଇନ୍ ନିଶା ବେପାର ଚାଲିଥିବା ବେଳେ ଏହା ଉପରେ ଓଡ଼ିଶା ମଦ ମୁକ୍ତି ଅଭିଯାନ ପ୍ରଶ୍ନ ଉଠାଇଛି ।
ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ଏଭଳି ଅନେକ ମଦ ଦୋକାନ ଚାଲିଛି । ଏବେ କଳିଙ୍ଗନଗର ଆବାସିକ ଉନ୍ନୟନ ସଂଘ (କେ-୭) ଏଭଳି ଏକ ନମୁନା ରାଜ୍ୟ ସରକାରଙ୍କ ନଜରକୁ ଆଣି ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି । କଳିଙ୍ଗନଗରର ଘାଟିକିଆ ନିକଟରେ ଏକ ଘରୋଇ ବାସସ୍ଥାନରେ ଏହି ମଦ ଦୋକାନ ଖୋଲିଛି । ସୁବୁଦ୍ଧିପୁର ଠାରେ ବିଦେଶୀ ମଦ ଦୋକାନ ଖୋଲିବାକୁ ସରକାର ଅନୁମତି ଦେଇଥିବା ବେଳେ କିପରି ଏହା କଳିଙ୍ଗନଗର (କେ-୭)ର ଆବାସିକ ଅଞ୍ଚଳରେ ଖୋଲାଯାଇଛି ତାହାର ତଦନ୍ତ ପାଇଁ ଦାବି ହେଉଛି ।
ଜନବସତି ମଧ୍ୟରେ ବେଆଇନ୍ ଭାବେ ଏଭଳି ମଦ ଦୋକାନ ଖୋଲାଯାଇଥିବାରୁ ମହିଳା, ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକେ ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ମଦୁଆମାନେ ନିଶାରେ ଚୁର୍ ହୋଇ ବହୁ ଅପ୍ରୀତିକର ଘଟଣା ଘଟାଉଛନ୍ତି । ତୁରନ୍ତ ଏହି ମଦ ଦୋକାନ ବନ୍ଦ କରାନଗଲେ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ଆବାସିକ ସଂଘ ପକ୍ଷରୁ କୁହାଯାଇଛି ।
କେବଳ ରାଜଧାନୀର କଳିଙ୍ଗନଗର ଅଞ୍ଚଳ ନୁହେଁ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ବି ଏଭଳି ମାଳମାଳ ଉଦାହରଣ ରହିଛି । ଗୋଟିଏ ସ୍ଥାନରେ ମଦ ଦୋକାନ ଖୋଲିବା ପାଇଁ ଲାଇସେନ୍ସ ପାଇ ଯେଉଁମାରେ ଅନ୍ୟ ସ୍ଥାନରେ ଖୋଲିଛନ୍ତି ସେଗୁଡ଼ିକୁ ତୁରନ୍ତ ବନ୍ଦ କରିବା ପାଇଁ ଦାବି ଜୋରଦାର ହେଉଛି । ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ, ଜାତୀୟ ରାଜପଥ, ବସ୍ଷ୍ଟାଣ୍ଡ, ରେଳ ଷ୍ଟେସନ୍, ଆବାସିକ କଲୋନୀ, ହାଟ ବଜାର ଆଦି ଅଞ୍ଚଳରେ ମଦ ଦୋକାନ ଖୋଲିବା ଉପରେ ଯେଉଁ କଟକଣା ରହିଛି ତାହାକୁ ସଂଖ୍ୟାଧିକ ସ୍ଥଳରେ ଉଲ୍ଲଂଘନ କରାଯାଉଛି ।
ଏହିସବୁ ନିଷିଦ୍ଧାଞ୍ଚଳରେ ମଦ ଦୋକାନ ଖୋଲାଯାଇପାରିବ ନାହିଁ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବାରମ୍ବାର ଚେତାବନୀ ଦେଉଛନ୍ତି । ଏହା ସତ୍ତ୍ୱେ ଏଭଳି ଆପତ୍ତିଜନକ ଅଞ୍ଚଳରେ କେମିତି ମଦ ଦୋକାନ ଚାଲୁଛି ତାହା ଏବେ ବଡ଼ ପ୍ରଶ୍ନବାଚୀ । ମଦ ଦୋକାନ ନିକଟରେ ଚାଖଣା ଦୋକାନ ରହିପାରିବ ନାହିଁ ଏବଂ ମଦୁଆମାନେ ହାଟ ବଜାର ଓ ରାସ୍ତାଘାଟରେ ମଦ ପିଇପାରିବେ ନାହିଁ ବୋଲି ପୂର୍ବରୁ ପୁଲିସ କମିଶନରେଟ୍ ପକ୍ଷରୁ ଏକଦା କଟକଣା ଜାରି କରାଯାଇଥିଲା । ଏମିତିକି ମଦ ଦୋକାନ ବାହାରେ ଦୋକାନୀ ସିସିଟିଭି ଲଗାଇବାକୁ ବି ସ୍ପଷ୍ଟ ନିର୍ଦ୍ଦେଶ ରହିଛି । କିନ୍ତୁ ଏହାକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଉଛି ବୋଲି ଖୋଦ୍ ଏମଏଲ୍ଏ କଲୋନୀ ଅଞ୍ଚଳରୁ ଅଭିଯୋଗ ଆସୁଛି ।
ଓଡ଼ିଶା ମଦମୁକ୍ତି ଅଭିଯାନ କହିଛି ଯେ ବିଜେପି କ୍ଷମତାକୁ ଆସିଲେ ରାଜ୍ୟକୁ ନିଶାମୁକ୍ତ କରିବ ବୋଲି ଯେଉଁ ସଂକଳ୍ପପତ୍ର ଘୋଷଣା କରିଥିଲା ତୁରନ୍ତ ତାହାର କାର୍ଯ୍ୟକାରୀ କରାଯାଇ ୬ମାସ ଭିତରେ ରାଜ୍ୟ ସରକାର ଏ କ୍ଷେତ୍ରରେ କେତେ ଅଗ୍ରଗତି କରିଛନ୍ତି ଏବଂ ବର୍ଷକ ଭିତରେ କେତେ ଅଗ୍ରଗତି କରିବେ ସେ ସଂକ୍ରାନ୍ତରେ ସ୍ପଷ୍ଟ ଘୋଷଣା କରିବା ଆବଶ୍ୟକ । ଏଥିସହିତ ରାଜ୍ୟରେ ବଢ଼ି ଚାଲିଥିବା ଚୋରା ନିଶା କାରବାରକୁ ସଂପୂର୍ଣ୍ଣ ଭାବେ ନିଷିଦ୍ଧ କରିବା ପାଇଁ ମଧ୍ୟ ଅଭିଯାନ ଦାବି କରିଛି ।