ଦାନା ବାନ୍ଧୁଛି ଗନ୍ଧମାର୍ଦ୍ଦନ ଆନ୍ଦୋଳନ

ଭୁବନେଶ୍ୱର : ପୁରାଣ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତରୁ ପୁଣି ବକ୍ସାଇଟ୍‍ ଉତ୍ତୋଳନ ହେବାର ସମ୍ଭାବନା ଥିବାରୁ ଅବିଭକ୍ତ ସମ୍ବଲପୁର ଓ ବଲାଙ୍ଗିର ଜିଲ୍ଲାରେ ଆନ୍ଦୋଳନ ଦାନା ବାନ୍ଧୁଛି ।

ଏଠାରେ ଯେ ୧୯୮୦ ଦଶକରେ ଗନ୍ଧମାର୍ଦ୍ଦନ ପାହାଡରୁ ବକ୍ସାଇଟ୍‍ ଖନନ ପାଇଁ ବାଲ୍‍କୋକୁ ଅନୁମତି ଦିଆଯାଇଥିଲା । ବାଲ୍‍କୋ ମଧ୍ୟ ବକ୍ସାଇଟ୍‍ ଖନନ ଲାଗି ଜୋରଦାର ପ୍ରସ୍ତୁତିପର୍ବ ଚଳାଇଥିଲା । ସେତେବେଳେ କେନ୍ଦ୍ର ଓ ରାଜ୍ୟରେ କଂଗ୍ରେସ ସରକାର ଥିଲା ।

ଗନ୍ଧମାର୍ଦ୍ଦନ ସୁରକ୍ଷା ସମିତି ନେତୃତ୍ୱରେ ଚାଲିଥିବା ବାଲ୍‍କୋ ହଟାଅ ଆନ୍ଦୋଳନରେ ସେ ସମୟରେ ଦଳମତ ନିର୍ବିଶେଷରେ ବହୁ ଯୁବକ, ପରିବେଶପ୍ରେମୀ, ଶିକ୍ଷାବିତ୍‍, ଆଦିବାସୀ, ସାଧାରଣ ଜନତା, ସ୍ୱାଧୀନତା ସଂଗ୍ରାମୀ ଆଦି ସାମିଲ ହୋଇଥିଲେ । ସେତେବେଳେ ଏହି ଆନ୍ଦୋଳନ ଏତେ ତୀବ୍ର ହୋଇଥିଲା ଯେ ତାହାର ପ୍ରଭାବରେ ଗନ୍ଧମାର୍ଦ୍ଦନର ସୁରକ୍ଷାପାଇଁ ବାଲ୍‍କୋକୁ ବକ୍ସାଇଟ୍‍ ଉତ୍ତୋଳନ ଅଭିଯାନରୁ ଫେରିଯିବାକୁ ପଡିଥିଲା ।

ବର୍ତ୍ତମାନର ବରଗଡ ସାଂସଦ ପ୍ରଦୀପ ପୁରୋହିତ ସେତେବେଳେ ବିଶିଷ୍ଟ ସମାଜବାଦୀ ନେତା କିଷନ ପଟ୍ଟନାୟକ, ସ୍ୱାଧୀନତା ସଂଗ୍ରାମୀ ଅଲେଖ ପାତ୍ର, ଆନ୍ଦୋଳନର ପ୍ରମୁଖ ନେତା ଲିଙ୍ଗରାଜ ପ୍ରମୁଖଙ୍କ ସମେତ ମିଶି କାମ କରୁଥିଲେ । ସମ୍ବଲପୁର ବିଶ୍ୱବିଦ୍ୟାଳୟ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ । ଏବେ ଶ୍ରୀ ପୁରୋହିତ ବିଜେପିର ସାଂସଦ ଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଥିବା ପରିପ୍ରେକ୍ଷୀରେ ଗନ୍ଧମାର୍ଦ୍ଦନରୁ କୌଣସି କମ୍ପାନୀ ବକ୍ସାଇଟ୍‍ ଉତ୍ତୋଳନ କରିପାରିବେ ନାହିଁ ବୋଲି ସ୍ଥାନୀୟ ଲୋକେ ଆଶାବ୍ୟକ୍ତ କରୁଛନ୍ତି । ଏହାଛଡା ଅଶୀ ଦଶକର ଅଗ୍ନିବର୍ଷୀ ଛାତ୍ରନେତା ସୁରେଶ ପୂଜାରୀ ଏବେ ଓଡିଶା କ୍ୟାବିନେଟରେ ଏବଂ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର କ୍ୟାବିନେଟ୍‍ରେ ପ୍ରଭାବଶାଳୀ ଥିବା ଦୃଷ୍ଟିରୁ ସେମାନେ କଦାପି ଗନ୍ଧାମାର୍ଦ୍ଦନର ଜୈବ ବିବିଧତାକୁ ଖଣି କମ୍ପାନୀ ହାତରେ ନଷ୍ଟ କରିବାକୁ ଦେବେନାହିଁ ବୋଲି ଆଶା କରାଯିବା ସ୍ୱାଭାବିକ ।

ଗନ୍ଧମାର୍ଦ୍ଦନର ଗୋଟିଏ ପଖେରେ ବରଗଡ ଜିଲ୍ଲାର ନୃସିଂହନାଥ ଥିବାବେଳେ ଅନ୍ୟପଟେ ବଲାଙ୍ଗିର ଜିଲ୍ଲାର ହରିଶଙ୍କର ରହିଛନ୍ତି । ଲକ୍ଷ୍ମଣଙ୍କ ଶକ୍ତିଭେଦ ସମୟରେ ରାମାୟଣ ଯୁଗରେ ହନୁମାନ ଗନ୍ଧମାର୍ଦ୍ଦନ ପର୍ବତ ଆଣିବା ଫଳରେ ଲକ୍ଷ୍ଣଙ୍କ ଜୀବନରକ୍ଷା କରାଯାଇ ପାରିଥିଲା ଏବଂ ପରବର୍ତ୍ତୀ ସମୟରେ ହନୁମାନ ଏହି ପର୍ବତଖଣ୍ଡକୁ ଯେଉଁ ସ୍ଥାନରେ ସ୍ଥାପନ କରିଥିଲେ ତାହା ଏବେ ଓଡିଶାରେ ରହିଛି । ଏଠାରେ ଥିବା ବିରଳ ଔଷଧିୟ ଗଛ ଓ ପ୍ରାକୃତିକ ସମ୍ପଦ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରୁଛି । ଗନ୍ଧମାର୍ଦ୍ଦନକୁ କେନ୍ଦ୍ରକରି ନୃସିଂହନାଥ କିମ୍ବା ହରିଶଙ୍କରରେ ଏକ ଆର‌୍ୟୁବେଦିକ ବିଶ୍ୱବିଦ୍ୟାଳୟ କେନ୍ଦ୍ର ସରକାର ସ୍ଥାପନ କରିବାପାଇଁ ଦାବି ହେଉଛି ।

୧୯୯୦ ଦଶକରେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ପୁଣି ଗନ୍ଧମାର୍ଦ୍ଦନରୁ ବକ୍ସାଇଟ୍‍ ଉତ୍ତୋଳନ କଥା ଉଠିଥିଲା ଏବଂ ସେତେବେଳେ ନୃସିଂହନାଥରୁ ଶହ ଶହ ସଂଖ୍ୟାରେ ଯୁବକ ସାଇକେଲରେ ଭୁବନେଶ୍ୱର ଆସି ବିଧାନସଭା ଚାଲିଥିବାବେଳେ ବିଧାନସଭା ପରିସରରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଏହାପରେ ଗନ୍ଧମାର୍ଦ୍ଦନରୁ ବକ୍ସାଇଟ୍‍ ଉତ୍ତୋଳନ ପ୍ରସ୍ତାବ ବାତିଲ ହୋଇଥିଲା । ପରବର୍ତ୍ତୀ ସମୟରେ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ କାନାଡାର ଏକ କମ୍ପାନୀ ଗନ୍ଧମାର୍ଦ୍ଦନରୁ ବକ୍ସାଇଟ୍‍ ଉତ୍ତୋଳନ ପାଇଁ ଆଗେଇ ଆସିଥିଲା । ତେବେ ପ୍ରବଳ ଜନମତ ଚାପ ଏବଂ ମୁଣ୍ଡଉପରେ ର୍ନିବାଚନ ଥିବାରୁ ବିଜେଡି ସରକାର ଏହି ପ୍ରସ୍ତାବରୁ ଓହରି ଯାଇଥିଲା । ଅତୀତରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନକୁ ବିଜେପି ଖୋଲା ସମର୍ଥନ ଦେଉଥିଲା । ତେଣୁ ଏବେ ଗନ୍ଧମାର୍ଦ୍ଦନର ଜୈବ ବିବିଧତା ସହ ଲୋକଙ୍କ ଭାବାବେଗକୁ ଧକ୍କାଦେଇ କେନ୍ଦ୍ରରେ ଓ ରାଜ୍ୟରେ ଥିବା ବିଜେପି ସରକାର ଏଠାରୁ ଖଣି ଖନନ ନକରାଇବାପାଇଁ ଦାବି ହେଉଛି । 

Leave A Reply

Your email address will not be published.