ଭୁବନେଶ୍ୱର : ଓଡିଶାର ବଜେଟ୍ ପରିମାଣ ବର୍ଷକୁ ବର୍ଷ ବୃଦ୍ଧି ପାଇବା ସହ ଋଣ ପରିମାଣ ବି ବଢି ବଢି ଚାଲିଛି । ରାଜ୍ୟ ଆୟର ଏକ ପ୍ରମୁଖ ଅଂଶ ଋଣ ହୋଇଥିବାବେଳେ ବ୍ୟୟ କ୍ଷେତ୍ରରେ ବି ଋଣ ପରିଶୋଧ ଏକ ପ୍ରମୁଖ ଆହ୍ୱାନ ହୋଇଥିବା ଅର୍ଥନୀତି ବିଶାରଦମାନେ କହୁଛନ୍ତି । ଶିଳ୍ପାୟନ ଓ ବାହ୍ୟ ପୁଞ୍ଜିଲଗାଣ ବଢୁଥିବାବେଳେ ବେକାରୀ ଓ ବେରୋଜଗାରୀ ଓଡିଶା ପାଇଁ ପ୍ରମୁଖ ଆହ୍ୱାନ ଭାବେ ଉଭା ହୋଇଥିବା ପରିସ୍ଥିତିରେ କୃଷି ଏବଂ କୁଟୀରଶିଳ୍ପ ମାଧ୍ୟମରେ ଏହି ସମସ୍ୟାର ବହୁ ପରିମାଣରେ ସମାଧାନ କରାଯାଇ ପାରିବ ବୋଲି ଅର୍ଥନୀତି ବିଶ୍ଳେଷକମାନେ ଆଶା ରଖିଛନ୍ତି ।
ଏବର୍ଷର ରାଜ୍ୟର ବଜେଟ୍ ପ୍ରାୟ ୨ଲକ୍ଷ ୬୫ହଜାର କୋଟି ଟଙ୍କା ଥିବାବେଳେ ଅତିରିକ୍ତ ବଜେଟ୍ ଆସିବାପରେ ଏହାର ପରିମାଣ ୩ଲକ୍ଷ କୋଟି ଟଙ୍କା ଆଡକୁ ମୁହାଁଇପାରେ । ତେବେ ବର୍ତ୍ତମାନ ସୁଦ୍ଧା ହୋଇଥିବା ବଜେଟ୍ ବ୍ୟବସ୍ଥା ଅନୁଯାୟୀ ୨ଲକ୍ଷ ୬୫ହଜାର କୋଟି ଟଙ୍କାର ବଜେଟ୍ରୁ ଋଣ ଉପରେ ପ୍ରାୟ ୫୪ହଜାର କୋଟି ଟଙ୍କାକୁ ସାହାରା କରି ସରକାରୀକଳ ଚାଲୁଛି ।
ଓଡିଶାର ନିଜସ୍ୱ ଟିକସ ଆୟ ୬୦ହଜାର କୋଟି ଟଙ୍କାରେ ସୀମିତ ରହୁଥିବାବେଳେ ନିଜସ୍ୱ ଅଣଟିକସ ଆୟ ୫୮ ହଜାର କୋଟି ଟଙ୍କା ଏବଂ କେନ୍ଦ୍ରରୁ ଟିକସ ଭାଗ ବାବଦରେ ଏବର୍ଷ ଓଡିଶା ୫୫,୨୩୧ କୋଟି ୭୬ଲକ୍ଷ ଟଙ୍କା ପାଇବାର ଅଛି । ଏହାଛଡା ୩୭,୭୬୮ କୋଟି ୨୪ଲକ୍ଷ ଟଙ୍କାର କେନ୍ଦ୍ରୀୟ ଅନୁଦାନ ମଧ୍ୟ ରାଜ୍ୟ ପାଇବ ବୋଲି ଆଶା ଅଛି । ଏସବୁ ମିଶାଇଲେ ରାଜ୍ୟର ଆୟ ପରିମାଣ କେନ୍ଦ୍ରୀୟ ସହଯୋଗକୁ ମିଶାଇ ୨ଲକ୍ଷ ୧୧ହଜାର କୋଟି ଟଙ୍କା ହେବ । ଅବଶିଷ୍ଟ ୫୪ହଜାର କୋଟି ଟଙ୍କା ପାଇଁ ଋଣ ଉପରେ ନିର୍ଭର କରିବାକୁ ରାଜ୍ୟ ଏକପ୍ରକାର ବାଧ୍ୟ ।
ଓଡିଶା ସରକାରଙ୍କ ମୋଟ୍ ଆୟରୁ ପାଖପାଖି ୧ଲକ୍ଷ ୬୬ହଜାର କୋଟି ଟଙ୍କା ବେତନ, ପେନସନ୍ ଓ ଅନ୍ୟାନ୍ୟ ରାଜସ୍ୱ ବ୍ୟୟରେ ଖର୍ଚ୍ଚ ହେବାପରେ ପୁଞ୍ଜି ବ୍ୟୟ ପାଇଁ ୬୦ହଜାର କୋଟି ଟଙ୍କାରୁ କମ୍ ବ୍ୟବସ୍ଥା ରହିଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ରାଜ୍ୟ ସରକାରଙ୍କ ଋଣ ବାବଦରେ ପ୍ରାୟ ୨୮ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇପାରେ । ବର୍ଷକୁ ବର୍ଷ ରାଜ୍ୟ ସରକାର ଋଣ ବୋଝ ବଢାଇବାରେ ଲାଗିଛନ୍ତି । ଚଳିତ ଆର୍ଥିକବର୍ଷ ଶେଷ ବେଳକୁ ଓଡିଶାର ଋଣବୋଝ ପରିମାଣ ୧ଲକ୍ଷ କୋଟି ଟଙ୍କାରୁ ଅଧିକ ହେବାକୁ ଯାଉଛି ।
ଏଭଳି ଆର୍ଥିକ ସଙ୍କଟ ଭିତରେ ରାଜ୍ୟ ଗତି କରୁଥିବାବେଳେ ବିଭିନ୍ନ ବର୍ଗର ୩୦ପ୍ରତିଶତରୁ ଅଧିକ ମଞ୍ଜୁରୀପ୍ରାପ୍ତ ସରକାରୀ ଚାକିରି ଖାଲି ପଡିଛି । ପ୍ରାଥମିକ ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ମେଡିକାଲ କଲେଜ ପର୍ଯ୍ୟନ୍ତ ମାଳ ମାଳ ସରକାରୀ ପଦବୀ ଖାଲି ରହୁଛି । କେଉଁ ବର୍ଷ କେତେ ସରକାରୀ ପଦବୀ ଅବସର କାରଣରୁ ଖାଲ ହେବ ତାହାର ହିସାବ ସରକାରଙ୍କ ପାଖରେ ଉପଲବ୍ଧ ଥିଲେ ବି ଯେଉଁବର୍ଷ ଯେତେ ପଦବୀ ଖାଲି ହେଉଛି ସେ ବର୍ଷ ସେତେ ପଦବୀ ପୂରଣ ନକରି ସେଗୁଡିକୁ ବର୍ଷ ବର୍ଷ ଧରି ଖାଲି ରଖାଯାଉଛି । ଅନ୍ୟ ପକ୍ଷରେ କମ୍ପ୍ୟୁଟରୀକରଣ ଯୋଗୁଁ ସରକାରୀ କଳରେ ଏବଂ ଶିଳ୍ପାନୁଷ୍ଠାନରେ ମାନବସମ୍ବଳର ବିନିଯୋଗ ହାର କମିବାରେ ଲାଗିଛି ।
ଅର୍ଥନୀତି ବିଶାରଦମାନେ କହୁଛନ୍ତି ଯେ ଶିଳ୍ପାୟନ ନାମରେ ବଡ ବଡ କଳ କାରଖାନା ପ୍ରତିଷ୍ଠା ଲାଗି ଖଣିଖାଦାନ ଏବଂ ଜଳସମ୍ପଦକୁ ଆଖିବୁଜା ଟେକିଦେବା ସହ ମୃତ୍ତିକା ଓ ବାୟୁ ପ୍ରଦୂଷଣ ମାତ୍ରା ଯେଭଳି ବଢୁଛି ତାହା ରାଜ୍ୟର ବର୍ତ୍ତମାନଓ ଭବିଷ୍ୟତ ପାଇଁ ବଡ ସମସ୍ୟା ସୃଷ୍ଟି କରିବ । ବ୍ୟାପକ କର୍ମନିଯୁକ୍ତି ପାଇଁ କୃଷି, ଗ୍ରାମ୍ୟଶିଳ୍ପ ଏବଂ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉପରେ ଧ୍ୟାନ ଦିଆଗଲେ ଗ୍ରାମ୍ୟ ଅର୍ଥନୀତି ସୁଦୃଢ ହୋଇ ରାଜ୍ୟ ରାଜକୋଷ ସମୃଦ୍ଧ ହୋଇପାରିବ ବୋଲି ଅର୍ଥନୀତିଜ୍ଞ ମାନଙ୍କ ମତ ।