ବଜାରରେ ଆଳୁ ଦର କେତେ? ମନ୍ତ୍ରୀ କହୁଛନ୍ତି ସେ ନିଜେ ୩୦ ଟଙ୍କାରେ ଆଳୁ କିଣୁଛନ୍ତି। ହେଲେ ବଜାରରେ ୪୫ରୁ ୫୦ ଟଙ୍କାରେ ବିକ୍ରି ହେଉଥିବା ଲୋକେ କହୁଛନ୍ତି । ପଶ୍ଚିମବଙ୍ଗ ସରକାର ଓଡିଶାକୁ ଆଳୁ ରପ୍ତାନୀ ବନ୍ଦ କରିବାର ଦୁଇଦିନ ବିତିଗଲାଣି । ଆଳୁ ଦର ବି ଦୁଇ ଦିନରେ ପ୍ରାୟ ୧୦ ଟଙ୍କା ବଢିଗଲାଣି। କିଲୋ ପିଛା ଦର ୪୦ ଟଙ୍କାରେ ପହଁଚିଛି । ଆଳୁ ଦର ବୃଦ୍ଧିକୁ ନେଇ ଚିନ୍ତାରେ ପଡିଲେଣି ଖାଉଟି। ଆଳୁ ଦର ବୃଦ୍ଧି କଥାକୁ ମାନିବାକୁ ନାରାଜ ଯୋଗାଣ ମନ୍ତ୍ରୀ । ସେ ନିଜେ ୩୦ଟଙ୍କାରେ ଆଳୁ କିଣିଛନ୍ତି ବୋଲି କହିଛନ୍ତି। ଏଥିସହ ପଶ୍ଚିମବଙ୍ଗକୁ କଡା ଜବାବ ଦେଇଛନ୍ତି ଯୋଗାଣ ମନ୍ତ୍ରୀ। କୃଷ୍ଣପାତ୍ର କହିଛନ୍ତି, ପଶ୍ଚିମବଙ୍ଗରୁ ଆଉ ଆଳୁ ଆସିବ ନାହିଁ କି ଆମେ ମାଗିବୁ ନାହିଁ। ଉତ୍ତରପ୍ରଦେଶରୁ ଆଳୁ ଆସିଛି। ବଜାରରେ ପର୍ଯ୍ୟାପ୍ତ ପରିମାଣରେ ଆଳୁ ଅଛି । ଏହାରି ଭିତରେ ଲୋକେ ଚଢା ଦରରେ ଆଳୁ କିଣୁଥିବାରୁ ଅସନ୍ତୋଷ ବଢିବାରେ ଲାଗିଛି।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏପରି ଅଜବ ନିଷ୍ପତ୍ତି ଯୋଗୁ ଖପ୍ପା ହୋଇଛନ୍ତି ତାଙ୍କ ରାଜ୍ୟର ବ୍ୟବସାୟୀ। ଏଥିଯୋଗୁ ସେମାନଙ୍କୁ କ୍ଷତି ସହିବାକୁ ପଡ଼ୁଥିବାରୁ ଦେଇଛନ୍ତି ଧର୍ମଘଟ ଡାକରା।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଳୁ କଟକଣା ଉପରେ ଖପ୍ପା ହୋଇଛନ୍ତି ଖୋଦ୍ ପଶ୍ଚିମବଙ୍ଗ ବ୍ୟବସାୟୀ । ପ୍ରତିବାଦରେ ଆସନ୍ତା ମଙ୍ଗଳବାରଠୁ ଧର୍ମଘଟ ଡାକରା ଦେଇଛନ୍ତି । ଶୀତଳ ଭଣ୍ଡାର ମାଲିକ ଏବଂ ହୋଲସେଲ ବ୍ୟବସାୟୀ ଓ ବିଭିନ୍ନ ସଂଗଠନର ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି ।
ସଂଘର ଅଭିଯୋଗ ଅନୁସାରେ, ପଶ୍ଚିମବଙ୍ଗରୁ ବାହାର ରାଜ୍ୟକୁ ଆଳୁ ପଠାଇବାକୁ ସରକାର ଅନୁମତି ଦେଉନାହାନ୍ତି । ଯାହାଫଳରେ ବ୍ୟବସାୟୀମାନେ କ୍ଷତି ସହୁଛନ୍ତି । ଏବେ ଶୀତଳ ଭଣ୍ଡାରରେ ପ୍ରାୟ ୭ ଲକ୍ଷ ମେଟ୍ରିକ୍ ଟନ୍ ଆଳୁ ଗଚ୍ଛିତ ଅଛି | ପଶ୍ଚିମବଙ୍ଗର ଆବଶ୍ୟକତା ହେଉଛି ୫ ଲକ୍ଷ ମେଟ୍ରିକ୍ ଟନ ।
ଶୀତଳଭଣ୍ଡାରରୁ ଗତ ୩୦ ତାରିଖ ମଧ୍ୟରେ ଆଳୁ କାଢିବାର ଥିଲା । ମାତ୍ର ଅନ୍ୟ ରାଜ୍ୟକୁ ଆଳୁ ଯାଉନଥିବାରୁ ତାହା କଢ଼ା ହୋଇ ପାରୁ ନ ଥିବା ବେଳେ ନଷ୍ଟ ହେବାର ଆଶଙ୍କା ରହିଛି । ଏଣୁ ଅବଶିଷ୍ଟ ଆଳୁ କ’ଣ ହେବ ବୋଲି ବ୍ୟବସାୟୀ ପ୍ରଶ୍ନ କରିଛନ୍ତି । ତେବେ ପଶ୍ଚିମବଙ୍ଗରେ ଆନ୍ଦୋଳନ ଫଳରେ ଓଡ଼ିଶାରେ ବି ଆଳୁ ସଂକଟ ଆହୁରି ବଢିପାରେ । ସାଧାରଣ ଲୋକ ସମସ୍ୟା ଭୋଗିପାରନ୍ତି ।
ତେବେ ଗତ ୩ ଦିନ ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ଗାଡ଼ି ଛାଡ଼ୁ ନାହାନ୍ତି। ଫଳରେ ଓଡ଼ିଶାରେ ଆଳୁ ଦର ବଢ଼ି ଚାଲିଥିବା ବେଳେ ହଇରାଣ ହେଉଛନ୍ତି ସାଧାରଣ ଖାଉଟି।
ଗତ ୩ ଦିନ ହେଲାଣି ସୀମାରେ ଅଟକିଛି ଶହ ଶହ ଆଳୁ ଗାଡ଼ି । ରାଜ୍ୟକୁ ଆଳୁ ଟ୍ରକ୍ ଆସିବା କମିବାରୁ ଦର ବି ଉପରମୁହାଁ ହେଲାଣି। ଯାହାକୁ ନେଇ ଚିନ୍ତାରେ ଖାଉଟୀ ଓ ବ୍ୟବସାୟୀ।