ଭୁବନେଶ୍ୱର : ଏବେ ବି ରାଜ୍ୟର ୬୭ଲକ୍ଷରୁ ଅଧିକ ରାସନ କାର୍ଡଧାରୀଙ୍କ ଇ-କେୱାଇସି ଯାଞ୍ଚ ହୋଇନି । ଏହି ତାଲିକାରେ ସବୁଠାରୁ ଆଗରେ ଗଞ୍ଜାମ ଜିଲ୍ଲା ରହିଛି ।
ଇ-କେୱାଇସି ଯାଞ୍ଚ ସଂକ୍ରାନ୍ତରେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ସମଗ୍ର ରାଜ୍ୟରେ ବର୍ତ୍ତମାନ ଆଧାର ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଜାରି ରହିଛି ।
ରାଜ୍ୟରେ ଥିବା ମୋଟ୍ ୩,୩୬,୩୫,୯୧୮ ଜଣ ରାସନକାର୍ଡ ହିତାଧକାରୀଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨,୬୯,୨୩,୮୩୦ଜଣ ହିତାଧିକାରୀଙ୍କ ଇ-କେୱାଇସି ଯାଞ୍ଚ କାର୍ଯ୍ୟ ସରିଲାଣି । ଆଉ ୬୭,୨୧,୨୯୯ ରାସକାର୍ଡଧାରୀଙ୍କ ଇ-କେୱାଇସି ଯାଞ୍ଚ ବାକି ଅଛି । ଏହି ତାଲିକାରେ ଗଞ୍ଜାମ ଜିଲ୍ଲାରେ ୫ଲକ୍ଷରୁ ଅଧିକ କାର୍ଡଧାରୀ ଥିବାବେଳେ କଳାହାଣ୍ଡି, ମୟୁରଭଞ୍ଜ, ନବରଙ୍ଗପୁରରେ ୪ଲକ୍ଷରୁ ଅଧିକ କରି, ବାଲେଶ୍ୱର, କେନ୍ଦୁଝର, କୋରାପୁଟ ଓ ସୁନ୍ଦରଗଡରେ ୩ଲକ୍ଷରୁ ଅଧିକ କରି, ବରଗଡ, ବଲାଙ୍ଗିର, କଟକ, ଯାଜପୁର, କେନ୍ଦ୍ରାପଡା, ଖୋରଧା, ପୁରୀ ଓ ରାୟଗଡାରେ ୨ଲକ୍ଷରୁ ଅଧିକ କରି ଏବଂ ଅନୁଗୁଳ, ଢେଙ୍କାନାଳ, ଗଜପତି, ଜଗତ୍ସିଂହପୁର, କନ୍ଧମାଳ, ମାଲକାନଗିରି, ନୂଆପଡା ଓ ସମ୍ବଲପୁରରେ ୧ଲକ୍ଷ କରି ଲୋକ ଏହି ତାଲିକାରେ ରହିଛନ୍ତି । ସବୁଠାରୁ କମ୍ ୩୩,୧୩୮ ଜଣ କାର୍ଡଧାରୀ ଦେବଗଡ ଜିଲ୍ଲାରେ ଯାଞ୍ଚ ପ୍ରକ୍ରିୟାରେ ବର୍ତ୍ତମାନ ସୁଦ୍ଧା ସାମିଲ ହୋଇନାହାନ୍ତି ।
ମନ୍ତ୍ରୀ କହିଛନ୍ତି ଯେ ଆଧାର ଇ-କେୱାଇସି ଯାଞ୍ଚ ସମୟରେ ଚିହ୍ନଟ ହେଉଥିବା ମୃତ ହିତାଧିକାରୀଙ୍କୁ ବାଦ୍ ଦିଆଯାଇ ଆଗକୁ ପୁଣି ଯେତେ ସ୍ଥାନ ଖାଲି ହେବ, ସେହି ସ୍ଥାନରେ ଯୋଗ୍ୟ ଆବେଦନକାରୀଙ୍କୁ ନୂତନ ରାସନକାର୍ଡ ଯୋଗାଇ ଦିଆଯିବ ।