ମତ୍ସ୍ୟ ଜୀବୀଙ୍କୁ ସମୁଦ୍ରରୁ ମାଛ ଧରିବା ମନା

ବାଲିଆପାଳ –  ଦକ୍ଷିଣ ବାଲିଆପାଳର ଚବିଶ କିଲୋମିଟର ସମୁଦ୍ର କୂଳିଆ ଅଞ୍ଚଳର ଲୋକମାନେ ସମୁଦ୍ରରୁ ନିତି ମାଛ ଧରି ଜୀବିକା ନିର୍ବାହ କରନ୍ତି। ସରକାର ମତ୍ସ୍ୟ ଜୀବୀ ମାନଙ୍କୁ  ଏପ୍ରିଲ ୧୫ ଠାରୁ ଜୁନ ୧୪ ପର୍ଯ୍ୟନ୍ତ ଦୁଇ ମାସ ସମୁଦ୍ରରୁ ମାଛ ଧରିବା ଉପରେ ରୋକ ଲଗାଇ ଛନ୍ତି। ଯାହା ଫଳରେ ସମୁଦ୍ରର ଉପରେ ନିର୍ଭର କରି ଚଳୁଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମୟରେ ସମୁଦ୍ରରେ  ମାଛ ମାଙ୍କର ପ୍ରଜନନ ସମୟ। ସେଥିପାଇଁ ସରକାର ଏପ୍ରିଲ ୧୫ ତାରିଖରୁ ଜୁନ ୧୪ ତାରିଖ ପର୍ଯ୍ୟନ୍ତ ୬୦ ବା ଦୁଇ ମାସ  ସମୁଦ୍ରରୁ ମାଛ ଧରା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମତ୍ସ୍ୟ ନିର୍ଦେଶାଳୟ ପକ୍ଷରୁ ଚିଠି ନମ୍ବର ୫୧୫୪ ମାଧ୍ୟମରେ ବିଧିବଦ୍ଧ ଭାବରେ ଘୋଷଣା ହେବା ପରେ  ସମୁଦ୍ର ଉପରେ ନିର୍ଭର କରି ନିଜର ପରିବାର ଚଳୁଥିବା ହଜାର ହଜାର ମତ୍ସ୍ୟଜୀବୀ ପରିବାର  ମୁଣ୍ଡରେ ଚଡକ ପଡିଛି। ଦୁଇମାସ ଘରେ ହାତ ବାନ୍ଧି ବସିବାକୁ ପଡିବ।ପରିବାର କେମିତି ଚାଲିବ । ସମୁଦ୍ରରୁ ମାଛ ଧରି  ସମୁଦ୍ର କୂଳିଆ ହଜାର ହଜାର ମତ୍ସ୍ୟ ଜୀବୀଙ୍କ ପରିବାର ଏବେ ଚିନ୍ତାରେ ।ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ନିୟମ ୧୯୮୨  ଅନୁଯାୟୀ ମାଛ ଓ କଇଁଛଙ୍କ ଅଣ୍ଡାଦାନ ସମୟ ହୋଇଥିବାରୁ ପ୍ରତିବର୍ଷ ଏହି ଦୁଇମାସ ସମୁଦ୍ରରେ ମାଛ ଧରା ବନ୍ଦ ରହିଥାଏ।ତେଣୁ ସମୁଦ୍ରକୁ ମାଛ ଧରିବାକୁ ଯାଉଥିବା ସମସ୍ତ ଯନ୍ତ୍ର ଚାଳିତ ଡଙ୍ଗା, ଟ୍ରଲର ଆଦି ସମୁଦ୍ରକୁ ନ ଯିବାକୁ ବିଧିବଦ୍ଧ ଭାବରେ ଘୋଷଣା କରାଯାଇଛି। ଫଳରେ ବାଲିଆପାଳ ବ୍ଲକର ସମୁଦ୍ର କୂଳିଆ ୨୪ କିମିରୁ ଅଧିକ ସୁଦୀର୍ଘ ବେଳାଭୂମିର ସମୁଦ୍ରରୁ  ମାଛ ଧରି ପେଟ ପୋଷୁଥିବା ଲକ୍ଷାଧିକ ଲୋକ ଏବେ ରୋଜଗାର ଶୂନ୍ୟ। ଚଉମୁଖ ଠାରୁ ହଂସକରା ମୁହାଣ ପର୍ଯ୍ୟନ୍ତ ସମସ୍ତ ମତ୍ସ୍ୟଜୀବୀ ଜୀବିକା ହରାଇ କୂଳରେ ଡଙ୍ଗା ବାନ୍ଧି ବେକାର ହୋଇ ବସିବା ଫଳରେ ଜୀବନ ଜୀବିକା ବିପନ୍ନ ହୋଇଛି।ମୁହଁରୁ ହସ ଲିଭି ଯାଇଛି ।ରାଜ୍ୟ ସରକାର ଓ ମତ୍ସ୍ୟ ବିଭାଗ ପକ୍ଷରୁ ଏହି ଦୁଇମାସ ମତ୍ସ୍ୟଜୀବୀ ମାନଙ୍କ ପାଇଁ  ଆର୍ଥିକ ସହାୟତା ରାଶି  ପ୍ରଦାନ କରାଯାଉନାହିଁ। ଏପରିକି ମତ୍ସ୍ୟ ଜୀବୀ ମାନଙ୍କ ତାଲିକା ଠିକ ଭାବରେ ପ୍ରସ୍ତୁତ ହେଉ ନାହିଁ।ଯାହା ଫଳରେ ସରକାରୀ ସହାୟତା ମିଳୁନାହିଁ ବୋଲି ମତ୍ସ୍ୟଜୀବୀ ମାନେ ଅଭିଯୋଗ କରିଛନ୍ତି।ବିଭାଗୀୟ ଅଧିକାରୀ ଏ ଦିଗରେ ପଦକ୍ଷେପ ନେଇ ସହାୟତା ପ୍ରଦାନ କରିବା ଅତ୍ୟନ୍ତ ଜରୁରୀ ହୋଇ ପଡିଛି।  ସରକାର ଏବାବଦରେ   ତୁରନ୍ତ ପଦକ୍ଷେପ ନେବା ପାଇଁ ମତ୍ସ୍ୟ ଜୀବୀ ସଂଘ ପକ୍ଷରୁ  ସ୍ଥାନୀୟ ମତ୍ସ୍ୟ ଅଧିକାରୀଙ୍କୁ  ନିବେଦନ କରିଛନ୍ତି ।

Leave A Reply

Your email address will not be published.