ଉଦ୍ଦେଶ୍ୟର ମନ୍ଦ ‘ସ୍ପର୍ଶ’
ଭୁବନେଶ୍ୱର : କେବଳ ସିଧାସଳଖ ଶାରୀରିକ ସ୍ପର୍ଶକୁ ପୋକ୍ସୋ ଆଇନର ଯୌନ ଉତ୍ପୀଡ଼ନ ବୋଲି ଭାବିବା ଅନୁଚିତ୍ । ସିଧାସଳଖ ଶାରୀରିକ ସ୍ପର୍ଶ ବା ଦେହରେ ଦେହ ବାଜିବା ହିଁ ପ୍ରକୃତ ‘ସ୍ପର୍ଶ’ ବୋଲି ବିବେଚନା କଲେ, ତାହାର ଅର୍ଥ କେବଳ ‘ସଙ୍କୀର୍ଣ୍ଣ ତଥା ମନ୍ଦ ଅର୍ଥ’କୁ ବୁଝାଇବ । ଏଠି ଉଦ୍ଦେଶ୍ୟ ଭଲ କି ମନ୍ଦ, ତାହା ଦେଖିବାର ଅଛି । ଯୌନ ଉତ୍ପୀଡ଼ନରୁ ପିଲାଙ୍କୁ ସୁରକ୍ଷିତ ରଖିବା ପାଇଁ ପ୍ରଣୀତ ‘ପୋକ୍ସୋ’ ଆଇନର ଉଦ୍ଦେଶ୍ୟକୁ ନଷ୍ଟ କରିଦେବ । ବମ୍ବେ ହାଇକୋର୍ଟଙ୍କ ନାଗପୁର ବେଞ୍ଚର ଏ ସଂକ୍ରାନ୍ତ ରାୟକୁ ଖାରଜ କରିବା ସହ ସୁପ୍ରିମକୋର୍ଟ ଏଭଳି ଐତିହାସିକ ଟିପ୍ପଣୀ ରଖିଛନ୍ତି । ଏହାସହ ନାଗପୁର ବେଞ୍ଚ ଦୋଷମୁକ୍ତ କରିଥିବା ଅଭିଯୁକ୍ତଙ୍କୁ ପୁଣି ଥରେ ଦୋଷୀ ସାବ୍ୟସ୍ତ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।
ସ୍କିନ-ଟୁ-ସ୍କିନ୍ ଟଚ୍ ଅର୍ଥାତ୍ ଚର୍ମକୁ ଚର୍ମ ସ୍ପର୍ଶ ରାୟକୁ ଝଟକା । ବମ୍ବେ ହାଇକୋର୍ଟଙ୍କ ନାଗପୁର ବେଞ୍ଚ ଦେଇଥିବା ଏହି ସ୍କିନ୍-ଟୁ-ସ୍କିନ୍ ଟଚ୍ ରାୟକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ । ଉଦ୍ଦେଶ୍ୟ ମନ୍ଦ ମାନେ, ଏହା ନିଶ୍ଚିତ ରୂପେ ଏକ ଅପରାଧ । ଯେ କୌଣସି ପ୍ରକାର ଯୌନ ନିର୍ଯାତନାରୁ ଶିଶୁଙ୍କୁ ସୁରକ୍ଷା ଦେବାକୁ ସରକାର, ପାର୍ଲାମେଣ୍ଟରେ ପୋକ୍ସୋ ଆଇନ ଆଣିଛନ୍ତି । ଯାହାର ଉଦ୍ଦେଶ୍ୟ ସମ୍ପୂର୍ଣ୍ଣ ସ୍ପଷ୍ଟ । ତେଣୁ କୋର୍ଟ ଏଥିରେ ଅଧିକ ଉତ୍ସାହିତ ହୋଇ ଦ୍ବନ୍ଦ୍ବ ସୃଷ୍ଟି କରିବାର ଆବଶ୍ୟକତା ନାହିଁ । ଶିଶୁ ଯୌନ ନିର୍ଯାତନା ସମ୍ପର୍କିତ ମାମଲାର ବିଚାର କରିବା ବେଳେ ପୋଷାକ ସ୍ପର୍ଶକୁ ପଛ କରି ପାର୍ଲାମେଣ୍ଟ ଆଣିଥିବା ଆଇନର ଉଦ୍ଦେଶ୍ୟକୁ ସ୍ପର୍ଶ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ୟୁୟୁ ଲଲିତ, ଆରଆର ଭଟ୍ଟ ଏବଂ ବେଲା ଏମ୍. ତ୍ରିବେଦୀଙ୍କ ତିନିଜଣିଆ ଖଣ୍ଡପୀଠ ।…
ସ୍କିନ୍-ଟୁ-ସ୍କିନ୍ ଟଚ୍ ହୋଇ ନାହିଁ । ତେଣୁ ଏହା ପୋକ୍ସୋ ଆଇନ ଅଧୀନରେ ଅପରାଧ ଭାବେ ବିବେଚନା ହେବ ନାହିଁ । ଏମିତି ରାୟ ଦେଇ ଜଣେ ନାବାଳିକାଙ୍କୁ ଦୁର୍ବବ୍ୟବହାର କରିଥିବା ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଥିଲେ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ । ଗତ ଜାନୁଆରୀ ୧୯ ତାରିଖର ଏହି ରାୟକୁ ନେଇ ସେତେବେଳେ ସାରା ଦେଶ ସ୍ତବ୍ଧ ହୋଇ ଯାଇଥିଲା । ସେତେବେଳେ ପ୍ରଶ୍ନ ଉଠିଥିଲା, ନାବାଳିକା ଜଣକ ଡ୍ରେସ୍ ପିନ୍ଧିଥିଲେ ବୋଲି ପୋକ୍ସୋ ଆଇନରେ ଥିବା ଛିଦ୍ର, କୋର୍ଟଙ୍କୁ ଦେଖାଗଲା । ଯେଉଁଥି ପାଇଁ ଉଦ୍ଦେଶ୍ୟ ମନ୍ଦର ସ୍ପର୍ଶ, ଅଭିଯୁକ୍ତ ଖସିଯିବାକୁ ଏକ ଭଲ ଗ୍ରାଉଣ୍ଡ ସୃଷ୍ଟି କଲା ! ନାଗପୁର ବେଞ୍ଚଙ୍କ ଏଭଳି ରାୟ ବିରୋଧରେ ଗଭୀର ଚିନ୍ତା ପ୍ରକଟ କରିଥିଲେ ଆଟର୍ଣ୍ଣି ଜେନେରାଲ୍ କେକେ ବେଣୁଗୋପାଳ । କୋର୍ଟଙ୍କ ଏଭଳି ରାୟ, ସମାଜରେ ବିପଜ୍ଜନକ ସ୍ଥିତି ସୃଷ୍ଟି କରିବ ।
ସୁଦୂର ପ୍ରସାରୀ କୁପ୍ରଭାବ ପକାଇବ । ଯଦି ସର୍ଜିକାଲ୍ ଗ୍ଲୋବ୍ସ ପିନ୍ଧି ଜଣେ ଏଭଳି ଅପରାଧ କରେ ତେବେ ସେ କ୍ଷେତ୍ରରେ କଣ ହେବ ବୋଲି ସେତେବେଳେ ପ୍ରଶ୍ନ ଉଠାଇଥିଲେ ଆଟର୍ଣ୍ଣି ଜେନେରାଲ୍ । ନାଗପୁର ବେଞ୍ଚଙ୍କ ଏଭଳି ରାୟ ଉପରେ ତୁରନ୍ତ ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ କେକେ ବେଣୁଗୋପାଳ । ଆଉ ମାମଲାକୁ ଗୁରୁତ୍ବର ସହ ନେଇ ନାଗପୁର ବେଞ୍ଚଙ୍କ ଜାନୁଆରୀ ୧୯ ତାରିଖ ରାୟ ଉପରେ ୨୭ ତାରିଖରେ ସ୍ଥଗିତାଦେଶ ଜାରି କରିଥିଲେ ସୁପ୍ରିମକୋର୍ଟ ।…
ନାଗପୁର ବେଞ୍ଚଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ନିଜେ ଆଟର୍ଣ୍ଣି ଜେନେରାଲ୍ କେକେ ବେଣୁଗୋପାଳ, ଜାତୀୟ ମହିଳା କମିଶନଙ୍କ ମହାରାଷ୍ଟ୍ର ଶାଖା ଏବଂ ୟୁଥ୍ ବାର୍ ଆସୋସିଏସନ୍ ଅଫ୍ ଇଣ୍ଡିଆ । ଯାହାର ଶୁଣାଣି କରି ସୁପ୍ରିମକୋର୍ଟର ତିନିଜଣିଆ ଖଣ୍ଡପୀଠ, ହାଇକୋର୍ଟଙ୍କ ରାୟକୁ ଖାରଜ କରି ଦେଇଛନ୍ତି । ଖଣ୍ଡପୀଠ ସଫା ସଫା ଶୁଣାଇ ଦେଇଛନ୍ତି ଯେ, ପୋକ୍ସୋ ଆଇନ, ଶିଶୁଙ୍କୁ ସମ୍ପୂର୍ଣ୍ଣ ରୂପେ ଯୌନ ଶୋଷଣରୁ ସୁରକ୍ଷା ଦେବାକୁ ଉଦ୍ଦିଷ୍ଟ । ତେଣୁ ଏ ଆଇନକୁ କୌଣସି ପ୍ରକାରେ ଭୁଲ୍ ଉପସ୍ଥାପନ କରି ଅଯଥା ଦ୍ବନ୍ଦ୍ବ ସୃଷ୍ଟି କରିବାର ନାହିଁ । ଯଦି ଉଦ୍ଦେଶ୍ୟ ମନ୍ଦ, ସ୍ପର୍ଶ ଯେଉଁଠି ହେଉ ନା କାହିଁକି… ପୁଣି ତାହା ସ୍କିନରେ ହେଉ ବା ଡ୍ରେସରେ… ତାହାକୁ ଅପରାଧ ଭାବେ ବିବେଚନା କରାଯିବ ବୋଲି ସ୍ପଷ୍ଟ କରି ଦେଇଛନ୍ତି ସୁପ୍ରିମକୋର୍ଟ ।…
ସୁପ୍ରିମକୋର୍ଟରେ ଅଭିଯୁକ୍ତଙ୍କ ପାଇଁ ଓକିଲାତି କରିଥିଲେ ବରିଷ୍ଠ ଆଡଭୋକେଟ୍ ସିଦ୍ଧାର୍ଥ ଲୁଥ୍ରା । ସେପଟେ ଜାତୀୟ ମହିଳା କମିଶନ ପାଇଁ ଲଢିଥିଲେ ସିଦ୍ଧାର୍ଥଙ୍କ ଉଭଣୀ ଆଇନଜୀବୀ ଗୀତା ଲୁଥ୍ରା । ନାଗପୁର ବେଞ୍ଚ, ଯେଉଁ ପଏଣ୍ଟରେ ଅଭିଯୁକ୍ତକୁ କ୍ଲିନଚିଟ୍ ଦେଇଥିଲେ ସୁପ୍ରିମକୋର୍ଟରେ ସେହି ସମାନ ଯୁକ୍ତି ଦର୍ଶାଇଥିଲେ ଆଡଭୋକେଟ୍ ସିଦ୍ଧାର୍ଥ ଲୁଥ୍ରା । ଯାହାକୁ କାଉଁଟର୍ କରିଥିଲେ ତାଙ୍କ ଭଉଣୀ, ଆଇନଜୀବୀ ଗୀତା ଲୁଥ୍ରା । ଆଡଭୋକେଟ୍ ଭାଇ-ଭଉଣୀଙ୍କ ପଏଣ୍ଟ ବାଇ ପଏଣ୍ଟ ଯୁକ୍ତିକୁ ବେଶ୍ ଉପଭୋଗ କରୁଥିଲେ ଖଣ୍ଡପୀଠ । ଆଉ ଶେଷରେ ମଜାରେ କହିଲେ, ଦେଖନ୍ତୁ କେମିତି ଭାଇ-ଭଉଣୀଙ୍କ ମଧ୍ୟରେ ଚାଲିଛି ଯୁକ୍ତି କଟାକଟି ।