ବଲାଙ୍ଗୀର : ପୂର୍ବ ଶତ୍ରୁତା ଓ ଜମିବିବାଦରୁ ଗତ ୨୨ ତାରିଖ ଦିନ ପ୍ରାୟ ୧୨ ଟାବେଳେ ବଲାଙ୍ଗୀର – ବୋରିଗୁମ୍ମା ଜାତୀୟ ରାଜପଥର ସ୍ଥାନୀୟ ଆରଟିଓ ଛକଠାରେ ବଲାଙ୍ଗୀର ସହରର କୁଖ୍ୟାତ ହତ୍ୟାକାରୀ ଚିତ୍ତ ମହାନ୍ତି ଏକ ଭୁଲ୍ ନମ୍ବରର ୪୦୭ ମିନିଟ୍ରକ୍ ମଡାଇ ସେହି ପଡାର ଅନ୍ୟ ଜଣେ ଫଳରସ ବ୍ୟବସାୟୀ ତଥା ଜଳଖିଆ ହୋଟେଲ୍ କରିଥିବା ଯୁବକଙ୍କୁ ପଛପଟୁ ଗାଡିରେ ଧକ୍କା ଦେଇ ହତ୍ୟା ଉଦ୍ୟମ କରିଥିଲା । ତେବେ ବାଇକ୍ ରେ ଯାଉଥିବା ସାନୁ ନାୟକ ନାମକ ଉକ୍ତ ଯୁବକ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ତାଙ୍କ ପଛରେ ବସିଥିବା ତାଙ୍କ ହୋଟେଲର ବରଗଡ ନିବାସୀ ଅନ୍ୟଜଣେ କର୍ମଚାରୀ ଶ୍ରୀକାନ୍ତ ବାଗ ନାମକ ଯୁବକର ଶୋଚନୀୟ ମୃତ୍ୟୁ ଘଟିଛି । ଏହା ଘଟାଇବାବେଳେ ମିନିଟ୍ରକ୍ ଟି ରାସ୍ତାକଡ ଗଛରେ ପିଟିହୋଇ ଭାରସାମ୍ୟ ହରାଇଥିବା ସହ ସେତେବେଳେ ସାମ୍ନାପଟରୁ ଆସୁଥିବା ଏକ ଗହମ ବୋଝେଇ ଟ୍ରକ୍ ରେ।ପିଟିହୋଇ ଯାଇଥିଲା । ଏହା ସହ ଏକ ଇନୋଭା କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସହ ଏକ ଗାଈ ମଧ୍ୟ ଧକ୍କାରେ ଆହତ ହୋଇଥିଲେ । ଦୁର୍ଘଟଣା ଘଟାଇ ପଳାଉଥିବା ବେଳେ ଚିତ୍ତର ଗୋଡ ଭାଙ୍ଗିଯିବା ସହ ମୁଣ୍ଡରେ ମଧ୍ୟ ଆଘାତ ଲାଗିଛି । ତାକୁ ଘଟଣାସ୍ଥଳରୁ କେହି ତାର ସହଯୋଗୀ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ନେଇ ଭର୍ତ୍ତି କରିଥିଲା । ପୁଲିସ୍ ଏହାକୁ ପ୍ରଥମେ ଏକ ଦୁର୍ଘଟଣା ମାମଲା ଓ ପରେ ଚିତ୍ତ ଓ ସାନୁ ନାୟକ ଏବଂ ବରଗଡରୁ ଆସି ପହଞ୍ଚିବା ପରେ ମୃତ ଯୁବକର ଆତ୍ମୀୟଙ୍କ ପକ୍ଷରୁ ପରସ୍ପର ବିରୁଦ୍ଧରେ ହତ୍ୟା ଅଭିଯୋଗ ପାଇ ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ଚିତ୍ତ ରାଜ୍ୟ ବାହାରକୁ ଫେରାର୍ ହୋଇ ଯାଉଥିବାବେଳେ ଓଡିଶା – ଆନ୍ଧ୍ର ସୀମା ଥେରୁବାଲିଠାରୁ ପୁଲିସ୍ ର ତତ୍ପରତା ଯୋଗୁଁ ଧରାପଡି ଗିରଫ ହୋଇଥିଲା । ପୁଲିସ୍ ର ତଦନ୍ତରେ ସିସିଟିଭି ଫୁଟେଜ୍ , ଆହତ ଓ ମୃତଙ୍କ ପରିବାର ପକ୍ଷରୁ ଅଭିଯୋଗ ଏବଂ କିଛିଦିନ ପୂର୍ବରୁ ଘଟିଥିବା ଏକ ଘଟଣାରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଯାଇଛି । ଉଲ୍ଲେଖନୀୟ ଯେ କିଛିଦିନ ପୂର୍ବରୁ ସେହି ସ୍ଥାନରେ ସେହି ଢଙ୍ଗରେ ଆହତ ସାନୁଙ୍କ ବଡଭାଇ ଭୁବନ ନାୟକଙ୍କୁ ମଧ୍ୟ ଗତ ୧୩ ତାରିଖରେ ଗାଡି ମଡାଇ ହତ୍ୟା ଉଦ୍ୟମ କରାଯାଇଥିଲା ଓ ସେ ଏବେ ବରଗଡର ଏକ ଘରୋଇ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ଚିତ୍ତ ମହାନ୍ତିକୁ ଗିରଫ କରାଯାଇ କୋର୍ଟ ଚାଲାଣ ପରେ ତାକୁ ଜେଲ୍ ହାଜତକୁ ପଠେଇ ଦିଆଯାଇଛି । ସେ ସମୟରେ ମିନିଟ୍ରକ୍ ରେ ଥିବା ଅନ୍ୟ ଦୁଇଜଣ ସହଯୋଗୀଙ୍କୁ ପୁଲିସ୍ ଖୋଜୁଛି । ବଲାଙ୍ଗୀର ଏସ୍ ପି ଏକ ସାମ୍ବାଦିକ ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି । ଚିତ୍ତର ଘର ପାଖରେ ଥିବା ଏକ ଜମିକୁ କିଣିବାକୁ ନାୟକ ପରିବାର ଉପରେ ଚିତ୍ତ ଚାପ ପକାଇବା ସହ ପୁରା ପରିବାରକୁ ଉଠାଇଥିବାକୁ ଧମକ ଦେଇଥିବା ଓ ସେହି ଅନୁସାରେ ତାଙ୍କର ଦୁଇପୁଅଙ୍କ ଉପରେ ଗାଡି ଚଢାଇ ହତ୍ୟା ଉଦ୍ୟମ କରିଥିବା ଆହତ ଭୁବନ ଓ ସାନୁଙ୍କ ବାପା ରବି ନାୟକ କହିଛନ୍ତି ।
ଉଲ୍ଲେଖନୀୟ ଯେ , ପୂର୍ବରୁ ଏହି କାଣ୍ଡର ମୁଖ୍ୟଅଭିଯୁକ୍ତ ଚିତ୍ତ ମହାନ୍ତି କିଛିବର୍ଷ ତଳେ ପେଲେସ୍ ଲାଇନ୍ ର ଅନ୍ତ ନାଥ ଚାଞ୍ଚଲ୍ୟକର ସ୍ପଷ୍ଟଦିବାଲୋକରେ ହତ୍ୟାକାଣ୍ଡରେ ପ୍ରଥମେ ଅଭିଯୁକ୍ତ ହୋଇ ଗିରଫ ହେବି ପରେ ତା’ ନାଁ’ରେ ଏକାଧିକ ସମାନ ମାମଲା ରହିଛି । ସେହିପରି ନାୟକ ପରିବାରର ଆହତ ଯୁବକଙ୍କ ନାଁ’ରେ ମଧ୍ୟ ଟାଉନଥାନାରେ ଏକାଧିକ ମାମଲା ରହିଥିବା ପ୍ରକାଶ ।
ତେବେ ପୁଲିସ୍ ପ୍ରଥମେ ଏହାକୁ ଏକ ଦୁର୍ଘଟଣା ବୋଲି ମାମଲା ଋଜୁ କରିଥିବାବେଳେ ପରେ ଏହାକୁ ଏକ ହତ୍ୟା ଓ ହତ୍ୟାଷଡଯନ୍ତ୍ର ରୂପେ ବଦଳାଇ ମାମଲା ଋଜୁ କରି ତଦନ୍ତ ଚଳାଇଥିବା ପ୍ରକାଶ ।