ବର୍ଷ-ତମାମ ଇକୋ-କଟେଜ ସୁବିଧା ପାଇଁ ପ୍ରଚେଷ୍ଟା ଆରମ୍ଭ

ଭୁବନେଶ୍ୱର : ବିଶ୍ୱସ୍ତରୀୟ ଇକୋ-ରିଟ୍ରିଟ୍ ହବ୍ର ସଫଳ ଆୟୋଜନ ପରେ ରାଜ୍ୟରେ ବର୍ଷ-ତମାମ ଇକୋ-କଟେଜ ସୁବିଧା ସୃଷ୍ଟି ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି । ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ବିଷୟରେ ଆଲୋଚନା ଏବଂ ନିତୀଗତ ନିଷ୍ପତ୍ତି ହୋଇଛି ।

ଡ଼ିଜିଟାଲ୍ ମୋଡ୍ରେ ଅନୁଷ୍ଠିତ ଏହି ବୈଠକରେ ପର‌୍ୟ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ ବର୍ଷ-ତମାମ ଇକୋ-କଟେଜ ନିର୍ମାଣ ଓ ପରିଚାଳନା ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।

ରାଜ୍ୟରେ ବର୍ଷ-ତମାମ ଇକୋ-କଟେଜ ପାଇଁ ଥିବା ସମ୍ଭାର ଓ ସମ୍ଭାବନାକୁ ବିଚାରକରି ଘରୋଇ ଅଂଶୀଦାର ସହଭାଗିତା (ପି.ପି.ପି ମୋଡ୍ ) ରେ ପ୍ରକଳ୍ପ ନିର୍ମାଣ ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଇକୋ-କଟେଜ ନିର୍ମାଣ ନିମନ୍ତେ ସରକାରଙ୍କ ତରଫରୁ ଭି.ଜି.ଏଫ୍ ପାଣ୍ଠି ସହ ଅନ୍ୟାନ୍ୟ ଭିତ୍ତିଭୁମି ସୁବିଧା ଯୋଗାଇ ଦିଆଯିବ ବୋଲି ଶ୍ରୀ ମହାପାତ୍ର କହିଥିଲେ । ନିର୍ଦ୍ଦିଷ୍ଟ ମାନକ ଭିତ୍ତିକ ଏକ ସ୍ୱଚ୍ଛ ଏବଂ ପ୍ରକାଶିତ ପ୍ରକ୍ରିୟା ମାଧ୍ୟମରେ ଯୋଗ୍ୟ ଘରୋଇ ସହଭାଗୀ ଚୟନ କରିବା ପାଇଁ ମୁଖ୍ୟ ଶାସନ ସଚିବ ପର‌୍ୟ୍ୟଟନ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ହିରାକୁଦ, ବାଲିପୁଟ, ପାରାଦ୍ୱୀପ, ଦାରିଙ୍ଗିବାଡି, ପତି ସେନାପୁର ଏବଂ କୋରାପୁଟ ଆଦି ସ୍ଥାନରେ ବର୍ଷ-ତମାମ ଇକୋ-କଟେଜ ନିର୍ମାଣର ସମ୍ଭାବନା ଥିବା ବିଷୟ ବୈଠକରେ ଆଲୋଚନା ହୋଇଥିଲା । ପ୍ରଥମ ପର‌୍ୟ୍ୟାୟରେ ସମ୍ବଲପୁର ଜିଲ୍ଲାର ହିରାକୁଦ ଏବଂ କଟକ ଜିଲ୍ଲାର ବାଲିପୁଟ (ସାତକୋଶିଆ) ଠାରେ ଏହି ପ୍ରକଳ୍ପ ପରୀକ୍ଷାମୂଳକ ଭାବେ ଆରମ୍ଭ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା ।
ଏହି ଦୁଇଟି ସ୍ଥାନରେ ପ୍ରକଳ୍ପ ନିମନ୍ତେ ପ୍ରାୟ ୬ ଏକର ଲେଖାଏଁ ସ୍ଥାନ ଚିହ୍ନଟ କରାଯାଇଥିଲା; ଏବଂ, ପ୍ରତ୍ୟେକ ସ୍ଥାନରେ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରାୟ ୬.୨୫ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା ।

ପର‌୍ୟ୍ୟଟନ ବିଭାଗର ପାନ୍ଥନିବାସ ଏବଂ ରାସ୍ତାପାର୍ଶ୍ୱ ସୁବିଧାକେନ୍ଦ୍ର ଗୁଡିକୁ ଘରୋଇ ସହଭାଗିତାରେ କାର‌୍ୟ୍ୟକ୍ଷମ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଏଗୁଡିକ ସଠିକ୍ଭାବେ କାର‌୍ୟ୍ୟକାରୀହେଲେ ଉଭୟ ଘରୋଇ ଏବଂ ବିଦେଶୀ ପର‌୍ୟ୍ୟଟକ ଓ ଭ୍ରମଣକାରୀମାନେ ବିଶେଷ ସୁବିଧା ପାଇବାସହ ସନ୍ତୋଷ ଲାଭ କରିବେ ବୋଲି ବରିଷ୍ଠ ଅଧିକାରୀମାନେ ମତ ଦେଇଥିଲେ ।

ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ଃ ମୋନା ଶର୍ମା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ପର‌୍ୟ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ପର‌୍ୟ୍ୟଟନ ନିର୍ଦ୍ଦେଶକ ସଚ୍ଚିନ୍ ରାମଚନ୍ଦ୍ର ଯାଦବ, ଇପିକଲ୍ର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଭୁପେନ୍ଦ୍ର ସିଂ ପୁନିଆଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.