୨୦୧୪ରେ ଦେଶକୁ ମିଳିଛି ସ୍ବାଧୀନତା, ୧୯୪୭ରେ ମିଳିଥିଲା ଦାନ
ଭୁବନେଶ୍ୱର : ବଲିଉଡ୍ ଅଭିନେତ୍ରୀ ପଦ୍ମଶ୍ରୀ କଙ୍ଗନା ରାଣାୱତଙ୍କ ବିବାଦୀୟ ବୟାନ । ୧୯୪୭ରେ ନୁହେଁ ୨୦୧୪ରେ ହିଁ ଭାରତକୁ ସ୍ବାଧୀନତା ମିଳିଛି ବୋଲି କହିଛନ୍ତି କଙ୍ଗନା । ଖାଲି ସେତିକି ନୁହେଁ, ୧୯୪୭ରେ ମିଳିଥିବା ସ୍ବାଧୀନତା, ସ୍ବାଧୀନତା ନୁହେଁ ବରଂ ତାହା ଇଂରେଜ ମାନଙ୍କର ଏକ ଦାନ ଥିଲା ବୋଲି ସେ କହିଛନ୍ତି ।
ଜାତୀୟ ସ୍ତରର ଏକ ଗଣମାଧ୍ୟମରେ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଏଭଳି ମନ୍ତବ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଛି । ଆମ୍ ଆଦମୀ ପାର୍ଟି ମହାରାଷ୍ଟ୍ର ଶାଖା ତରଫରୁ କଙ୍ଗନାଙ୍କ ବିରୋଧରେ ପୋଲିସରେ ଏତଲା ଦାଏର୍ ହୋଇଛି । ମୁ୍ମ୍ବାଇ ପୋଲିସ କମିଶନରଙ୍କ ନିକଟରେ ମହାରାଷ୍ଟ୍ର ଆପ୍ ନେତ୍ରୀ ପ୍ରୀତିଶର୍ମା ମେନନ୍ ଲିଖିତ ଭାବେ ଅଭିଯୋଗ କରିଛନ୍ତି ।
ଏଭଳି ଦେଶଦ୍ରୋହୀ ଏବଂ ହିଂସା ଉଦ୍ରେକକାରୀ ମନ୍ତବ୍ୟ ପାଇଁ କଙ୍ଗନାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଆମ୍ ଆଦମୀ ପାର୍ଟି । ସେହିଭଳି ବିଜେପି ସାଂସଦ ବରୁଣ ଗାନ୍ଧି ମଧ୍ୟ କଙ୍ଗନା ରାଣାୱତଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ଦେଶକୁ ସ୍ବାଧୀନତା ଦେଇଥିବା ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତି ଏହା ଘୋର ଅପମାନ ।
କେବଳ ଗାନ୍ଧିଙ୍କ ପ୍ରତି ନୁହେଁ ମଙ୍ଗଳ ପାଣ୍ଡେ, ରାଣୀ ଲକ୍ଷ୍ମୀବାଇ, ଭଗତ ସିଂହ, ଚନ୍ଦ୍ରଶେଖର ଆଜାଦ୍, ନେତାଜୀ ସୁଭାଷଚନ୍ଦ୍ର ବୋଷ ଏବଂ ଲକ୍ଷ ଲକ୍ଷ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତି ମଧ୍ୟ ଏହା ଅପମାନ । ଏଠି କେତେବେଳେ ଗାନ୍ଧିଜୀଙ୍କୁ ଅପମାନିତ କରାଯାଉଛି ତ କେତେବେଳେ ତାଙ୍କ ହତ୍ୟାକାରୀକୁ ପ୍ରଶଂସା କରାଯାଉଛି ।
ଏସବୁକୁ ପାଗଳାମି କହିବା ନା ଦେଶଦ୍ରୋହ ! କଙ୍ଗନା ରାଣାୱତଙ୍କ ବିବାଦୀୟ ମନ୍ତବ୍ୟ ପରେ ଏମିତି ଟ୍ବିଟ୍ କରିଛନ୍ତି ବରୁଣ ଗାନ୍ଧି । ବିବାଦୀୟ ମନ୍ତବ୍ୟ ପାଇଁ କଙ୍ଗନାଙ୍କୁ ଟ୍ବିଟର୍ ବ୍ୟାନ୍ କରିଛି । ଭାରତୀୟ ଜନତା ପାର୍ଟିର ସେ ଜଣେ ପାଗଳ ସମର୍ଥକ ହୋଇଥିବା ବେଳେ ନିକଟରେ କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରିଛନ୍ତି । ଆଉ ପୁରସ୍କାର ପାଇବା ପରେ ପରେ ବିଜେପି ପ୍ରେମରେ ଫୁଲ୍ ପାଗଳ ହୋଇ କଙ୍ଗନା, ଦେଶର ସ୍ବାଧୀନତା ଉପରେ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ।