କଟକ- : ଛାତ୍ର ସମାଜ ନିଜର କର୍ତ୍ତବ୍ୟ ନିଷ୍ଠା,ଶିକ୍ଷା ପ୍ରତି ଶ୍ରଦ୍ଧା, କଠିନ ପରିଶ୍ରମ,ଗବେଷଣା,ମହାପୁରୁଷଙ୍କ ଜୀବନୀ ପାଠ,ଗୁରୁଜନଙ୍କ ପ୍ରତି ସମ୍ମାନ ଆଦି ବହୁ ଶୋଭାନୀୟ ଚିନ୍ତା ଚେତନା ଅନୁପମ ସ୍ୱାକ୍ଷର ସ୍ୱରୂପ ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସେହିଭଳି ଜଣେ ମେଧାବୀ ଛାତ୍ରୀ ହେଉଛନ୍ତି କଟକ ସଦର ୪୨ ମୌଜା ଚାନ୍ଦୁଲି ଗ୍ରାମର କୁମାରୀ ପାୟଲ ପ୍ରିୟଦର୍ଶିନୀ । ପିତା ପ୍ରାଧ୍ୟାପକ,କବି ତଥା ଦକ୍ଷ ସଙ୍ଗଠକ ପ୍ରଫୁଲ୍ଲ ଦାସ,ମାତା ସୁମିତ୍ରା ଦାସଙ୍କ ସୁକନ୍ୟା ପାୟଲ ୧୯୯୭ ମସିହାରେ ଜନ୍ମ ଗ୍ରହଣ କରି ପରିବାର ଆଉ ସମାଜ ପାଇଁ ଆଣିଛନ୍ତି ନୂତନ ସୃଜନର ଶୁଭଙ୍କର ଝଙ୍କାର । ଶିକ୍ଷା ପ୍ରତି ଆଗ୍ରହ, ସାହିତ୍ୟ ସେବା ତଥା ଗବେଷଣା ଦିଗରେ ନିରନ୍ତର ସାଧନା ଆଦି ବିଭିନ୍ନ ଦିଗରେ ନିଜର ଖୁବ୍ ପାରଦର୍ଶିତା ଲାଭକରି ଅଞ୍ଚଳ ପାଇଁ ଗର୍ବ ଗୌରବର ପରିଭାଷା ଆଣିବା ସହ ସାଉଁଟିଛନ୍ତି ଅଜସ୍ର ବଧେଇ,ଆଶ୍ରିବାଦ ଆଉ ଅନେକ ସମ୍ମାନ । ପିଲାଟି ଦିନରୁ ସାଧନା ଜାରିରଖି ବହୁ ସଙ୍ଗଠନ ଉତ୍କଳ ବିକାଶ ପରିଷଦ କଟକ ସଦର,ଶ୍ରୀ ଚନ୍ଦନ ସାହିତ୍ୟ ଏକାଡେମୀ କଟକ,୪୨ ମୌଜା ବିକାଶ ପରିଷଦ କଟକ, ସରସ୍ଵତୀ କଳା ପରିଷଦ କନ୍ଦରପୁର,ମୁହାଁଣ ସାହିତ୍ୟ ସଂସଦ ମୁମ୍ବାଇ ଆଦିରୁ ସେ ସମ୍ବର୍ଦ୍ଧିତ ଓ ପୁରସ୍କୃତ । ୪୨ ମୌଜା କୂଳ ସରିଚୁଆଁ ଉଚ୍ଚ ବିଦ୍ୟାଳୟରୁ ଛାତ୍ର ଜୀବନ ଆରମ୍ଭ କରି ପରେ ରମାଦେବୀ,ଜେକେବିକେ ପୁଣି ରେଭେନ୍ସା ବିଶ୍ଵବିଦ୍ୟାଳୟ ଆଦିରୁ ଶିକ୍ଷାଲାଭ ପୂର୍ବକ ପରେ ଇଂରାଜୀରେ ଉଚ୍ଚଶିକ୍ଷା ଲାଭକରି ଅଧ୍ୟୟନରେ ସଫଳ ହେବାସହ ସଂପ୍ରତି ସେ ରାଜ୍ୟ ଚୟନ ବୋର୍ଡ ଦ୍ଵାରା ମନୋନୀତ ହୋଇ ଇଂରାଜୀ ଭାଷା ସାହିତ୍ୟର ଅଧ୍ୟାପକ ଭାବରେ ଯୋଗଦେବାକୁ ଯାଉଛନ୍ତି । ତାଙ୍କ ରଚିତ ଅନେକ କବିତା ଖୁବ୍ ପାଠକୀୟ ସ୍ଵୀକୃତି ଲାଭ କରିଛି, ସେଥି ମଧ୍ୟରୁ ଭୋକ ବେଶ୍ ପ୍ରସିଦ୍ଧି ଲାଭ କରିଛି ଯାହାର ସୀକୃତି ସ୍ୱରୂପ ବହୁ ସଙ୍ଗଠନ ଦ୍ଵାରା ସେ ସମ୍ମାନ ଲାଭ କରି ସମଗ୍ର କଟକ ସଦର ବ୍ଲକ ୪୨ ମୌଜା ଅଂଚଳ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ତାଙ୍କ କବିତା ସଂକଳନ ଖୁବ୍ ଶୀଘ୍ର ପ୍ରକାଶ ଅପେକ୍ଷାରେ । ଏହି ସାରସ୍ଵତ ସାଧିକାଙ୍କ ସ୍ବପ୍ନ ହେଉ ସଫଳ ଭବିଷ୍ୟତ ହେଉ ଉଜ୍ଜ୍ୱଳ ଏତିକି ପ୍ରାଥନା ।