ନିର୍ମାଣର ଗୋଟିଏ ସପ୍ତାହ ମଧ୍ୟରେ ଭୁଷୁଡିଲା  ଆଦର୍ଶ ପୋଖରୀର ସୁରକ୍ଷା ପାଚେରି

ରଧାମନଗର,- ଧାମନଗର ବ୍ଲକ ଅନ୍ତର୍ଗତ ଅସୁରାଳି ପଞ୍ଚାୟତରେ ବିକାଶ ନା’ରେ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଅନୁଦାନ କିଭଳି ପାଣିରେ ପଡୁଛି ତାର ଖୋଲା ଚିତ୍ର ଆଜି ଧାମନଗର ବ୍ଲକର ଅସୁରାଳି ପଞ୍ଚାୟତରେ ଦେଖିବାକୁ ମିଳିଛି।ଦଶ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ଚାଲିଥିବା ସ୍ଥାନୀୟ ଜଗନ୍ନାଥ ମଠ ବାଡ଼ି ପୋଖରୀ ଖନନ କାର୍ଯ୍ୟରେ ମାତ୍ର ଦିନ କେଇଟା ପୂର୍ବରୁ ନିର୍ମାଣ କରାଯାଇଥିବା ସୁରକ୍ଷା ପାଚେରୀ ଭୁଶୁଡ଼ି ପଡ଼ିଛି।ଏହି ଘଟଣା ପରେ ପ୍ରକଳ୍ପ କାର୍ଯ୍ୟର ସ୍ଥାୟୀତ୍ୱକୁ ନେଇ ସାଧାରଣରେ ପ୍ରଶ୍ନ ଉଠିବା ସହ ଅସନ୍ତୋଷ ଦେଖା ଦେଇଛି।ଧାମନଗର ପଞ୍ଚାୟତ ସମିତି ପକ୍ଷରୁ ଏସଏଫସି ଅନୁଦାନରେ ଅସୁରାଳି ପଞ୍ଚାୟତ ଅଧୀନ ବଜାରରେ ଥିବା ଜଗନ୍ନାଥ ମଠ ବାଡ଼ି ପୋଖରୀର ପୁନରୁଦ୍ଧାର ସହିତ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ପାଇଁ ୧୦ ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇଛି।ଯାହାର କାର୍ଯ୍ୟ ଏବେ ଜାରି ରହିଛି।ପୋଖରୀ  ସୌନ୍ଦର୍ଯ୍ୟ କରଣ ସହିତ ପୁନରୁଦ୍ଧାର କରାଯାଇ ଆଦାୟ ରାଜସ୍ୱ ପଞ୍ଚାୟତ ବିକାଶରେ ବିନିଯୋଗ ହେବ ବୋଲି ପ୍ରକଳ୍ପ ସୂଚନା ଫଳକରେ ଦର୍ଶାଯାଇଛି।ପୋଖରୀ ଚାରି ପାଖରେ ଚାରି ପାଞ୍ଚ ଦିନ ତଳେ କଂକ୍ରିଟ ସୁରକ୍ଷା ପାଚେରୀ ନିର୍ମାଣ କରାଯାଇଥିଲା।ଆଜି ପୋଖରୀ ମଧ୍ୟରୁ ଜେସିବି ଲଗାଇ ମାଟି କାଦୁଅ ଉଠା ଚାଲିଥିବା ବେଳେ ହଟାତ ପାଚେରୀର ଗୋଟିଏ ପାଖ ଭୁଶୁଡ଼ି ଯାଇ ଗଳି ପଡିଥିଲା।ଲୁହା ରଡ଼ ଚିପ୍ସ ମେଟାଲ ଆଦିରେ ନିର୍ମିତ ପାଚେରୀ କେମିତି ଗଳି ପଡ଼ିଲା ତାହାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।ନିମ୍ନମାନର କାର୍ଯ୍ୟ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହେବା ସହ ସରକାରୀ ଅର୍ଥ ପାଣିରେ ପଡ଼ିଲା ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.