ମିଛଶ୍ରମିକଙ୍କ ମଷ୍ଟରରୋଲ୍ ରୁ ମେସିନ୍ ଖୋଳା ସତ !

ବଲାଙ୍ଗୀର  :  (  ମଳୟ ମିଶ୍ରଙ୍କ ରିପୋର୍ଟ  )  ଦାଦନଶ୍ରମିକ ଚାଲାଣ ରୋକିବାକୁ ଜାତୀୟ ନିଶ୍ଚିତ କର୍ମଯୋଗାଣ  ତଥା ମରୁଡିପ୍ରବଣ ଅଞ୍ଚଳରେ ବୃଷ୍ଟିଜଳ ଅମଳ ଲକ୍ଷ୍ୟରେ କାର୍ଯ୍ୟକାରୀ ହେଉଥିବା ମନରେଗାର ଫାର୍ମପଣ୍ଡ୍ ଖନନରେ ଶ୍ରମିକଙ୍କ ବଦଳରେ ମେସିନ୍ ବା ଜେସିବିରେ ମାଟି ଖୋଳାଯାଇ ସରକାରୀ ତହବିଲରୁ କୋଟି କୋଟି ଟଙ୍କାର ବାଟମାରଣା ପ୍ରତି କେହି ସଚେତନ ନଥିବା ପରି ମନେହେଉଛି ।  ଚଳିତବର୍ଷ କେବଳ ବଲାଙ୍ଗୀର ଜିଲ୍ଲାରେ ମୃତ୍ତିକାସଂରକ୍ଷଣ ବିଭାଗରେ ପ୍ରାୟ ୬ . ୦ ୨ କୋଟି ଟଙ୍କା ଖର୍ଚ୍ଚ କରାଯାଇ ସାରିଥିଲେ ହେଁ , ପ୍ରକୃତରେ ଗ୍ରାଉଣ୍ଡ୍ ଲେଭେଲ୍ ରେ ଏହାର ସଫଳତା କେତେ , ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜରୁରୀ ହୋଇପଡିଛି ।  ମଷ୍ଟରରୋଲ୍ ର ମିଛଶ୍ରମିକଙ୍କ ସମ୍ପର୍କରେ ସତ୍ୟାସତ୍ୟ ଯାଞ୍ଚ୍ ରୁ ଏହା ଧରାଯାଇପାରିବ ବୋଲି କୁହାଯାଉଛି ।  

ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ବ୍ଲକ୍ ରେ ଏହି ଫାର୍ମପଣ୍ଡ୍ ବା ଚହଲା ଖନନ କରାଯାଉଛି ।  ୧୦ × ୧୦ ଫୁଟ୍ ଓ ୬ ଫୁଟ୍ ଗଭୀର ବା କେଉଁଠି ସାମାନ୍ୟ ଅଧିକ ମାପର ଖୋଲାଖାଲକୁ ୧ ଲକ୍ଷ ୮୦ ହଜାର ଟଙ୍କା ପର୍ଯ୍ୟନ୍ତ ବିଲ୍ ଦିଆଯାଇଛି ।  ଗତବର୍ଷ ଓ ଚଳିତ ବର୍ଷର ଶହ ଶହ ପ୍ରକଳ୍ପରେ ୮୦ ପ୍ରତିଶତ ଶ୍ରମଦିବସ ଭିତ୍ତିକ ଏହିସବୁ ତଥାକଥିତ କୃଷି + ଉଦ୍ୟାନ ଓ ଅନ୍ୟାନ୍ୟ ବହୁମୁଖୀ ଫସଲ ଅମଳର ପ୍ରକଳ୍ପରେ  ଏହି କୋଟି କୋଟି ଟଙ୍କାର ବ୍ୟୟଅଟକଳର ଉପଯୁକ୍ତ ତଦାରଖ ସକାଶେ ଉକ୍ତ ବିଭାଗରେ କର୍ମଚାରୀ ଅଭାବ ସହିତ ଅଫିସ୍ ମଧ୍ୟ ନାହିଁ ।  ଜଣେ ଜଣେ ଅଧିକାରୀଙ୍କୁ ଏକାଧିକ ବ୍ଲକ୍ ର ଦାୟିତ୍ବରେ ରଖାଯିବା ସହ ବହୁବର୍ଷତଳର ପୁରୁଣା ବିଭାଗୀୟ ଜରାଜୀର୍ଣ୍ଣ ଅଫିସ୍ କୁ ଦର୍ଶାଯାଇ ଦୁଇବର୍ଷର ଟାର୍ଗେଟ୍ କୁ ମିଶାଯାଇ  ଗୋଳମାଳିଆ ହିସାବ ଦିଆଯାଉଛି । ତେବେ ସବୁଠାରୁ ଶୋଚନୀୟ ବିଷୟ ହେଉଛି , ଏହି ମାଟିଖୋଳାରେ ମିଛଶ୍ରମିକଙ୍କ ନାଁ’ରେ ମଷ୍ଟରରୋଲ୍ ପ୍ରସ୍ତୁତ କରାଯାଇ ଜେସିବିରେ ମାଟିଖୋଳାଯାଉଛି । ଏହି ତଳୁ ଉପରସ୍ତରର ଅଧିକାରୀ ଓ ସମସ୍ତଙ୍କ ଜ୍ଞାତସାରରେ ହୋଇଚାଲିଛି । 

ଏ ସମ୍ପର୍କରେ ଲୋକଙ୍କର ଅଭିଯୋଗକ୍ରମେ ଆମ ତରଫରୁ ଏକ ସାମ୍ବାଦିକଦଳ ପ୍ରଥମେ ବଲାଙ୍ଗୀର ମୃତ୍ତିକାସଂରକ୍ଷଣ ଉପନିର୍ଦ୍ଦେଶକ ତଥା ବଲାଙ୍ଗୀର ଓ ନୂଆପଡାର ପ୍ରକଳ୍ପ ନିର୍ଦ୍ଦେଶକ ମହୀତୋଷ ଦାଶଙ୍କ ସହ ଭେଟିବା ପରେ ପାଟଣାଗଡରେ ରହୁଥିବା ଖପ୍ରାଖୋଲ – ତୁରେକେଲା – ବଙ୍ଗୋମୁଣ୍ଡା ବ୍ଲକ୍ ଏ ଏସ ସିଓ ସତ୍ୟେନ୍ଦ୍ର ରାଇକିଆ ଓ ଖପ୍ରାଖୋଲର ଏସ ଇଓ ଶେଷଦେବ ମେହେର , ସେଠାକାର ପ୍ରକଳ୍ପ ସହକାରୀ ପ୍ରଶାନ୍ତ ସେଠ , ଓଭରସିଅର ବ୍ରଜକିଶୋର ରାଉତ ପ୍ରମୁଖଙ୍କୁ ଭେଟି ଆଲୋଚନା କ୍ରମେ ଓଡିଆପାଲି ପଞ୍ଚାୟତର ୨ ଟି ପ୍ରକଳ୍ପକୁ ବୁଲି ଦେଖିଥିଲେ ।  ବାରମ୍ବାର ଚେଷ୍ଟା ସତ୍ତ୍ଵେ ପାଟଣାଗଡ ଏସି ଏସଓ ରଜନୀ କୁମ୍ଭାର ଏହି ଦଳକୁ ଏଡାଇ ଯାଇ ଅଫିସ୍ କୁ ଆସି ନଥିବା ବେଳେ ଓଭରସିଅର ପ୍ରଫୁଲ୍ଲ ପ୍ରଧାନ ଭେଟିଥିଲେ । ତେବେ ଖପ୍ରାଖୋଲ ବ୍ଲକ୍ ରେ ଚଳିତବର୍ଷ ମୋଟ ମଞ୍ଜୁର ହୋଇଥିବା ୨୪୬ ଟି ପ୍ରକଳ୍ପରୁ ଅଦ୍ୟାବଧି ୧୦ଟି ପଞ୍ଚାୟତରେ ୧୦୭ଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ । ଏଥି ମଧ୍ୟରେ ଓଡିଆପାଲି ୮ , ଘୁନସର ୫୨ , ସାହାଜପାଣି ୩୦ , ମାଲପଡା ୨୮ , ଟଙ୍କପାଣି ୬୧ , କରୁଆଁଝର ୨ , ଧଣ୍ଡାମୁଣ୍ଡା ୭ , ପଡିଆବାହାଲ ୧ ,ଖପ୍ରାଖୋଲ ୭ ଓ ରେଙ୍ଗାଲି ପଞ୍ଚାୟତରେ ୫୦ ଟି ପ୍ରକଳ୍ପ ଚାଲିଛି ।  ଏହି ହିତାଧିକାରୀଙ୍କ ଦରଖାସ୍ତ ଉଦ୍ୟାନ ବିଭାଗ ଜରିଆରେ ସଂଗଂହୀତ ହୋଇଛି ।  ତେବେ ଏହିସବୁ ହିତାଧିକାରୀଙ୍କ ଫାର୍ମପଣ୍ଡ୍ ର ମଷ୍ଟରରୋଲ୍ ଓ କ୍ୟାସ୍ ରେକର୍ଡ ଯାଞ୍ଚ୍ ପରେ ଏହି ଦାଦନପ୍ରବଣ ବ୍ଲକ୍ ଓ ଜିଲ୍ଲାର ଅନ୍ୟାନ୍ୟ ବ୍ଲକ୍ ରେ ଏହି ପ୍ରକଳ୍ପଗୁଡିକରେ ପ୍ରକୃତରେ ଶ୍ରମିକ ନା ଜେସିବି କାମ କରିଛି , ଏହି ଅଭିଯୋଗର ସତ୍ୟତା ଜଣାପଡିବ ବୋଲି ଜନମତ ପ୍ରକାଶ ପାଉଛି । 

Leave A Reply

Your email address will not be published.