ସିନାପାଲି: କରୋନା କଟକଣା ଯୋଗୁଁ ଗତ ଦୁଇ ବର୍ଷ ହେଲା ସିନାପାଲିରେ ରଥଟଣା ହୋଇ ପାରିନଥିବା ବେଳେ ଏବର୍ଷ ରଥଯାତ୍ରାରେ ଆଖପାଖ ଅଂଚଳ ତଥା ପଡ଼ୋଶୀ ଛତିଶଗଡ଼ ଅଂଚଳରୁ ଆସିଥିବା ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି l ଶୁକ୍ରବାର ଭୋରରୁ ରୀତିନୀତି ଅନୁଯାୟୀ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପୂଜାପାଠ ଆରମ୍ଭ ହେବା ସହ ଲୋକଙ୍କ ଭିଡ଼ ଆରମ୍ଭ ହୋଇଥିଲା l ଅପରାହ୍ଣରେ ଶ୍ରୀଜିଉଙ୍କ ପହଣ୍ତି ବିଜେ କରାଯିବା ପରେ ମନ୍ଦିର ପରିଚାଳନା କମିଟିର ସଭାପତି ବୈଶମ୍ପାୟନ ମେହେରଙ୍କ ଦ୍ୱାରା ତିନି ରଥରେ ଛେରାପହରା କରାଯାଇ ରଥଟଣା ଆରମ୍ଭ ହୋଇଥିଲା l ମନ୍ଦିର କମିଟି ତରଫରୁ ବିଭିନ୍ନ ସେବା ପାଇଁ ପ୍ରତ୍ଯେକ ରଥରେ ସ୍ୱତଂତ୍ର ସେବାୟତ ନିୟୋଜନ କରାଯାଇଥିଲା l ରଥଯାତ୍ରାରେ ପାରମ୍ପରିକ ସଂପ୍ରଦା,ସଂକିର୍ତ୍ତନ ଢୋଳ,ନିଶାନ ଓ ଘଣ୍ଟ ବାଦ୍ଯରେ ସମଗ୍ର ପରିବେଶ ଦୁଳୁକି ଯାଉଥିଲା l ତେବେ ଏଠାକାର ପରମ୍ପରା ଅନୁସାରେ ମାଁ ସୁଭଦ୍ରାଙ୍କ ଦେବଦଳନ ରଥକୁ କେବଳ ମହିଳାମାନେ ଟାଣିଟାଣି ନେଇ ମାଉସୀ ମନ୍ଦିରରେ ପହଂଚାଇ ଥିଲେ l ସୂଚନାଯୋଗ୍ଯ ଯେ ପୁରୀ ଗଜପତିଙ୍କ ଦ୍ୱାରା ସିନାପାଲିରେ ଭବ୍ଯ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଦିନ ଠାରୁ ଏଠାରେ ଆକର୍ଷଣୀୟ ତିନୋଟି ରଥ ଟଣା ଯିବା ସହ ଶ୍ରୀକ୍ଷେତ୍ରର ରୀତିନୀତି ଅନୁଯାୟୀ ଶ୍ରୀଜିଉଙ୍କ ସମସ୍ତ କାର୍ଯ୍ଯ ସଂପନ୍ନ କରାଯାଇ ଆସୁଛି l ଏଥିସହ ଏହି ବ୍ଲକ ଅନ୍ତର୍ଗତ ହାତୀବନ୍ଧା,କେନ୍ଦୁମୁଣ୍ତା,ବ୍ରାହ୍ମଣପଡ଼ା,ପତିଏଲପଡ଼ା,ଚଳନା, ଗୋର୍ଲା,ସାଗୁନଭାଡ଼ି,ଟିମନପୁର,ଜାମଗାଁ,ଅରସାପଡ଼ା, ଗଣ୍ତାବାହାଳି,ବରଗାଁ,ଗମ୍ଭାରିଗୁଡ଼ା,ସିଙ୍ଗଝର ଆଦି ଗ୍ରାମରେ ମଧ୍ଯ ଧୁମଧାମରେ ରଥଯାତ୍ରା ସଂପନ୍ନ ହୋଇଥିବା ଜଣାପଡ଼ିଛି l