ବରୀ: ବରୀ ଏକ ବନ୍ୟା ପ୍ରପିଡୀତ ଅଞ୍ଚଳ ଭାବେ ପରିଚିତ । ପ୍ରତିବର୍ଷ ବନ୍ୟା ଆସିବା ଯୋଗୁ ବରୀ ଭଳି ଏକ କୃଷି ପ୍ରବଣ ଅଂଚଳର କୃଷକ ମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେବା ସହ ଜନ ଜୀବନକୁ ବିପର୍ଯ୍ୟସ୍ତ କରିଥାଏ । ଭୌଗଳିକ ଦୃଷ୍ଟିକୋଣରୁ ବ୍ରାହ୍ମଣୀ ନଦୀ ଏହି ଅଂଚଳକୁ ଦୁଇ ଭାଗରେ ବିଭକ୍ତ କରିଥିବା ବେଳେ ବ୍ରାହ୍ମଣୀ ନଦୀର ବନ୍ୟା ଜଳ ଏବଂ ସମୟେ ସମୟେ ପନ୍ତିଘାଇର ଶାଖା ଦୁଧେଇ ନଦୀରେ ବନ୍ୟା ଆସିବା ଯୋଗୁ ଏହାର ତାଣ୍ଡବ ଦେଖିବାକୁ ମିଳିଥାଏ । ଗତ ୨୦୦୦ ମସିହାରେ ବାଇଁଶିରିଆ କତିକମାର ସନ୍ଧନ, ବାଲିଆପାଳ ଏବଂ ବ୍ରାହ୍ମଣୀ ନଦୀର ବାମପାର୍ଶ୍ଵରେ ଥିବା ଅରୁଆଳ ଠାରେ ଘାଇ ସୃଷ୍ଟି ହେବଏବଂଅପରପକ୍ଷରେ ବନ୍ଧତିହ, ଗୋଳକୁଣ୍ଡ ଓ ମାଟିଆପଡାରେ ବନ୍ୟା ଯୋଗୁ ଘାଇ
ସୃଷ୍ଟି ହେବାରୁ ଦୀର୍ଘ ଦୁଇ ସପ୍ତାହରୁ ଅଧିକ ସମୟ ଧରି ଏହି ଅଂଚଳ ଜଳମଗ୍ନ ହୋଇ ରହିଥିଲା । ଉକ୍ତ ଘେରିବନ୍ଧକୁ ଜଳସମ୍ପଦ ବିଭାଗ ତରଫରୁ ତ୍ଵରିତ ମରାମତି ନିମନ୍ତେ ପଦକ୍ଷେପ ନିଆଯାଇ ମରାମତି କରାଯାଇଥିଲେ ହେଁ ମରାମତି ସମୟରେ କାର୍ଯ୍ୟର ମାନ ଉପରେ ସ୍ଥାନୀୟ ଲୋକମାନେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଉଚ୍ଚପଦସ୍ଥ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । ମାତ୍ର ବ୍ୟୟ ଅଟକଳକୁ ଗୁରୁତ୍ବ ନଦେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦାୟିତ୍ବରେ ଥିବା ଠିକାଦାରଙ୍କ ପ୍ରତି ଅହେତୁକ
ଅନୁକମ୍ପା ଯୋଗୁ ଘାଇ ସୃଷ୍ଟି ହୋଇଥିବା ସ୍ଥାନ ମାନଙ୍କରେ ବାଲିକୁ ବ୍ୟବହାର କରି ଘେରିବନ୍ଧର ମରାମତି କରାଯାଇଥିଲା ।
ପରବର୍ତୀ ଅବସ୍ଥାରେ ୨୦୨୧ ମସିହାରେ ବ୍ରାହ୍ମଣୀ ନଦୀରେ ବନ୍ୟା ଆସିବାରୁ ପଟଣା-ମାଟିଆପଡା ଘେରିବନ୍ଧ ଉପରେ ପୁନଶ୍ଚ ଘାଇ ସୃଷ୍ଟି ହେବାରୁ ଗୋଳକୁଣ୍ଡ, ବାଲିଆ, ଧାରପୁର, ସାହୁପଡା, ଚନ୍ଦନପୁର ପ୍ରଭୃତି ଅଂଚଳର ହଜାର ହଜାର
ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସ୍ଥାନୀୟ ଲୋକମାନଙ୍କ ଏଭଳି ଅବସ୍ଥାକୁ ଆଖୁ ଆଗରେ ରଖୁ
ଜଳସମ୍ପଦ ବିଭାଗ ତରଫରୁ ଯାଇ ମରାମତି ନିମନ୍ତେ ଅର୍ଥ ମଞ୍ଜୁର କରାଯାଇଥିଲେ ହେଁ ବର୍ଷା ଋତୁ ଆରମ୍ଭ ହୋଇଯାଇଥିଲେ
ହେଁ ଘାଇ ହୋଇଥିବା ସ୍ଥାନ ଗୁଡିକୁ ସଠିକ୍ ଭାବେ ମରାମତି କରାନଯିବା ଯୋଗୁ ଆଗାମୀ ଦିନରେ ବନ୍ୟା ହେଲେ ସ୍ଥାନୀୟ ଲୋକମାନେ ଯଥେଷ୍ଟ ପ୍ରଭାବିତ ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏତଦ୍ବ୍ୟତୀତ କାରକା ଜଳ ସମ୍ପଦ ବିଭାଗ ଅଧିନରେ ଥିବା ବାଇଁଶିରିଆ-କଡିକମା, ରଜାପୁର ଟିଆରଇ ଓ ବାଲିଆପାଳ ଠାରେ ସୃଷ୍ଟି ହୋଇଥିବା ବନ୍ଧରେ ରେନିକଟ
ହୋଇଥିବାରୁ ଆଗାମୀ ଦିନରେ ବନ୍ୟା ଆସିଲେ ବରୀ ଅଂଚଳ ଜଳମଗ୍ନ ହେବାକୁ ଏଡାଇ ଦିଆଯାଇ ନପାରେ । ଏଠାରେ ପ୍ରଶ୍ନ ଉଠେ ଲୋକମାନଙ୍କ ସ୍ବାର୍ଥକୁ ଆଖୁ ଆଗରେ ରଖି ଜଳସମ୍ପଦ ବିଭାଗ ତରଫରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ନିଦା ବିଷ୍ଣୁ ସାଜିବା ଯୋଗୁ ବାରମ୍ବାର ସେହି ସ୍ଥାନ ଗୁଡିକରେ ଘାଇ ସୃଷ୍ଟି ହେଉଛି
ବୋଲି ବୁଦ୍ଧିଜିବୀମାନେ ମତବ୍ୟକ୍ତ କରିଛନ୍ତି । ଏ ବିଷୟରେ ଜାରକା ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ଦୀପକ କୁମାର ପ୍ରଧାନଙ୍କୁ ପଚାରିବାରେ ସେ କୁହନ୍ତି ପଟଣା-ମାଟିଆପଡା ଘେରିବନ୍ଧ ପରିଦର୍ଶନ କରି ସାରିଛି । ଖୁବ୍ ଶୀଘ୍ର ଦୂର୍ବଳ ଥିବା ସ୍ଥାନ ଗୁଡିକୁ ଚିହ୍ନଟ କରାଯାଇ ପଦକ୍ଷେପ ନିଆଯିବ ।