ମିଳିମିଶି ଖାଇଗଲେ ଟଙ୍କା ପ୍ରଥମ ବର୍ଷାରେ ଦବିଲା ରାସ୍ତା

ବସ୍ତି ରୁ ଆରମ୍ଭ କରି ଗ୍ରାମାଞ୍ଚଳ , ସହରାଞ୍ଚଳ ପର୍ଯ୍ୟନ୍ତ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରି ଲୋକଙ୍କ ଯାତାୟାତ ନିମନ୍ତେ ରାସ୍ତା ନିର୍ମାଣ କରୁଛନ୍ତି।ଏଥି ପାଇଁ କୋଟି କୋଟି ଟଙ୍କା ବିନିମୟ କରୁଥିବା ବେଳେ ଲକ୍ଷାଧିକ ଟଙ୍କା ଦରମା ଦେଇ କନିଷ୍ଠ ଯନ୍ତ୍ରୀ, ଯନ୍ତ୍ରୀ, ବିଭାଗୀୟ ଅଧିକାରୀ ରଖୁଛନ୍ତି। ହେଲେ ସେହି ମହାଶୟ ମାନେ ଠିକାଦାର ମାନଙ୍କ ସହିତ ସୁସମ୍ପର୍କ ସ୍ଥାପନ କରି ସେମାନେ ଧୃଷ୍ଟରାଷ୍ଟ୍ର ପରି ରହୁଥିବା ଦେଖିବାକୁ ମିଳୁଛି। ଯାହାକି ରାଜକୋଷ ଟଙ୍କା ବର୍ବାଦ ହେବା ସହ ସାଧାରଣ ଲୋକଙ୍କ ପାଇଁ ଅନୁପଯୁକ୍ତ ହେଉଛି। ଏପରି ଏକ ବିପଦ ପୂର୍ଣ୍ଣ ରାସ୍ତା ପାଳଟିଛି ପାଟଣାଗଡ଼ ଉପଖଣ୍ଡ ବେଲପଡା ଓ ଖପ୍ରାଖୋଲ ବ୍ଳକ ଭାନପୁର ପିଠାପଦର ରାସ୍ତା। ଯେଉଁ ରାସ୍ତା କି ଗତ ଦୁଇ ବର୍ଷ ଧରି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଗତ ଏକ ମାସ ତଳେ କାର୍ଯ୍ୟ ଶେଷ ହୋଇଛି। ହେଲେ ପ୍ରଥମ ବର୍ଷାରେ ହିଁ କିଛି ସ୍ଥାନରେ ଭାଙ୍ଗିବାକୁ ଲାଗିଲାଣି।ସାଲେପାଲି ଓ ପୁତଲାମହୁଲ ମଝିରେ ଥିବା ପୁଲିଆ ଠାରେ ତଳକୁ ଦବି ଯିବା ସହ ପିଚୁ ଭାଙ୍ଗି ବିପଦପୂର୍ଣ୍ଣ ହୋଇଯାଇଛି। ସେହି ରାସ୍ତା ଦେଇ ଯାତାୟତ କରୁଥିବା ଯାତ୍ରୀଙ୍କ ପାଇଁ ତାହା କାଳ ସାଜିଥିବା ଲୋକେ ଅଭିଯୋଗ କରିଛନ୍ତି।କାର୍ଯ୍ୟ  ଚାଲୁଥିବା ବେଳେ ଅଞ୍ଚଳର କିଛି ଭଦ୍ରବ୍ୟକ୍ତି ଅଭିଯୋଗ କରିଥିଲେ ହେଲେ ତାଙ୍କ କଥାକୁ କେହି କର୍ଣ୍ଣପାତ କରିନଥିବା ଲୋକେ କହିଛନ୍ତି। ଅଞ୍ଚଳବାସୀଙ୍କ କହିବା ଅନୁସାରେ ଠିକାଦାର କାମ କରୁଥିବା ବେଳେ ନାମକୁ ମାତ୍ର କନିଷ୍ଠ ଯନ୍ତ୍ରୀ ଆସି ଦେଖାଶୁଣା କରି ଚାଲିଯାଉଥିଲେ । ଯଦି ଠିକ୍ ଭାବରେ ତଦାରଖ କରିଥାନ୍ତେ ଆଜି ଏଭଳି ଅବସ୍ଥା ଦେଖିବାକୁ ମିଳିନଥାନ୍ତା। ଏହାକୁ ବଲାଙ୍ଗିର ଜିଲ୍ଲାପାଳ ସ୍ବତନ୍ତ୍ର ଦୃଷ୍ଟି ଦେଇ ଠିକାଦାର ଙ୍କ ବିଲ୍ ଅଟକ ରଖି ରାସ୍ତା କାମକୁ ପୁନଃ ଉଦ୍ଧାର କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Leave A Reply

Your email address will not be published.