ପଦ୍ମପୁର- ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକରେ କାର୍ଯ୍ୟରତ ସହକାରୀ କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀ ସାର ବ୍ୟବସାୟୀ ମିତ୍ରଭାନୁ ସାହୁଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଆଜି ସକାଳୁ ଏହି ଘଟଣା ସର୍ବା ସାଧାରଣରେ ଘଟିବା ପରେ ପାଇକମାଲ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ସୂଚନା ମତେ ମିତ୍ରଭାନୁ ସାହୁଙ୍କ ପାଇକମାଲ ଠାରେ ଏକ ରାସାୟନିକ ସାର ଦୋକାନ ରହିଛି। ତେବେ କିଛି ଦିନ ପୂର୍ବରୁ ଉକ୍ତ ଦୋକାନ ଖାନତଲାସୀ ସମୟରେ ଆବଶ୍ୟକ ଠାରୁ ଅଧିକ ସାର ମହଜୁଦ ଥିବା ସହକାରୀ କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀ ଜାଣିବାକୁ ପାଇଥିଲେ। ଏ ସଂପର୍କରେ ଅଧିକ ସାର ମହଜୁଦ ପାଇଁ ତାଙ୍କ ଦୋକାନ ଲାଇସେନ୍ସ ରଦ୍ଦ କରିବାକୁ କହିଥିଲେ। ଦୋକାନୀ ତାଙ୍କ ନିକଟରେ ଏ ବିଷୟରେ କଥାବାର୍ତ୍ତା ହେବା ପରେ ସେ ଦେଢ଼ ଲକ୍ଷ ଟଙ୍କା ଦାବି କରିଥିଲେ। ଦୋକାନୀ ମିତ୍ରଭାନୁ ସାହୁ ସମ୍ବଲପୁର ଭିଜିଲାନ୍ସ ବିଭାଗ କୁ ଜଣାଇବା ପରେ ବରଗଡ଼ ଡିଏସପି ଙ୍କ ନେତୃତ୍ବରେ ଏକ ସ୍କାର୍ଡ ଗଠନ କରି ଘଟଣା ସ୍ଥଳରେ ଛକି ରହିଥିଲେ। ଆଜି ସକାଳୁ ପାଇକମାଲ ଧର୍ମଶାଳା ଠାରେ କୃଷି ଅଧିକାରୀ ମିତ୍ରଭାନୁ ସାହୁ ଙ୍କ ଠାରୁ ଲାଞ୍ଚ ନେବାବେଳେ ସେଠାରେ ଥିବା ଭିଜିଲାନ୍ସ ସ୍କ୍ୱାର୍ଡ ତାଙ୍କୁ କାବୁ କରି ନେଇଥିଲେ। ବିଭାଗ ପକ୍ଷରୁ ତାଙ୍କ ଅଫିସ ଓ ଭଡା ଘରେ ପହଞ୍ଚି ତଦାରଖ କରିଥିଲେ। ତଦନ୍ତ ଜାରି ରହିଛି ।