ଅମାନିଆଙ୍କୁ ଯମରାଜଙ୍କ ଗଦା ମାଡ
ବ୍ରହ୍ମପୁର,୧୭/୧/୨୩/: ଦୈନନ୍ଦିନ ସହରରେ ଛୋଟ ବଡ଼ ଦୁର୍ଘଟଣା ଲାଗିରହିଛି । ଯାହାଫଳରେ ଅକାରଣରେ ବହୁ ଲୋକଙ୍କ ଜୀବନ ଯାଉଛି । ଏଭଳି ଦୁର୍ଘଟଣାକୁ ଏଡ଼ାଇବା ଏବଂ ଜନ ସାଧରଣଙ୍କୁ ସଚେତନ କରିବା ପାଇଁ ଟ୍ରାଫିକ ପୋଲିସ ପକ୍ଷରୁ ବିଭିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ସେହିଭଳି ବ୍ରହ୍ମପୁର ଟ୍ରାଫିକ୍ ପୋଲିସ ପକ୍ଷରୁ ଏକ ସପ୍ତାହଧରି ଚାଲିଥିବା ୩୪ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ସଚେତନତା କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି । ସପ୍ତାହିକ ସଡ଼କ ସୁରକ୍ଷା ସଚେତନତାର ଉଦଯାପିତ ଅବସରରେ ବ୍ରହ୍ମପୁର ଟ୍ରାଫିକ୍ ପୋଲିସ ପକ୍ଷରୁ କଲେଜ ଏନସିସି କ୍ୟାଡେଟ୍ ଓ ବ୍ରହ୍ମପୁର ସ୍କେଟିଙ୍ଗ ଏକାଡେମୀର ଛାତ୍ରଛାତ୍ରୀ ମାନଙ୍କୁ ନେଇ ସଡକ ସୁରକ୍ଷା ଜୀବନ ରକ୍ଷା ସଚେତନତାର ବାର୍ତା ଜନସାଧାରଣଙ୍କୁ ପ୍ରଦାନ କରିବା ନିମନ୍ତେ ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ଛକ ଠାରେ ୩୪ତମ ସଡ଼କ ସୁରକ୍ଷା ସଚେତନତା ସଭା କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ରହ୍ମପୁର ଏସପି ଡ଼ା. ସର୍ବଣା ବିବେକ ଏମ୍ ,ଟାଉନ ଏସଡିପିଓ ରାଜୀବ ଲୋଚନ ପଣ୍ଡା, ଟ୍ରାଫିକ ଡ଼ିଏସପି ଅକ୍ଷୟ କୁମାର ନାୟକ, ଡ଼ିଏସପି ସନ୍ତୋଷୀନୀ ଓରାମ, ଟ୍ରାଫିକ ଥାନା ଅଧିକାରୀ ରାମସୁବ୍ରମନ୍ୟମ୍ ପ୍ରଧାନ ପ୍ରମୁଖ ମଞ୍ଚାସିନ ହୋଇ ଟ୍ରାଫିକ ସୁପରିଚାଳନା ଉପରେ ସଚେତନ କରାଇଥିଲେ । ପରେ ଏକ ସଚେତନତା ବାଇକ ରାଲି ଆୟୋଜନ କରାଯାଇଥିଲା । ଏହି ସଚେତନତା ବାଇକ ରାଲିକୁ ବ୍ରହ୍ମପୁର ଏସପି ଡ଼ା. ସର୍ବଣା ବିବେକ ଏମ୍. ସବୁଜ ପତକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ସଚେତନତା ବାଇକ ରାଲି ପୁରୁଣା ବସଷ୍ଟାଣ୍ଡ ଟ୍ରାଫିକ ଥାନା ନିକଟରୁ ବାହାରି ଖଲ୍ଲିକୋଟ କଲେଜ, ସୁବାରାଓ ଛକ, ଟାଟାବେଞ୍ଚ, କମାପଲ୍ଲୀ, କୋର୍ଟପେଟା, ମେଡିକାଲ ରୋଡ଼, ଇଂଜିନିୟରିଂ ସ୍କୁଲ, ଆଙ୍କୁଲି ବ୍ରିଜ୍, ଲାଞ୍ଜିପଲ୍ଲୀ ବ୍ରିଜ୍ ହୋଇ ଗିରିଜା ଛକ ଦେଇ ପୁଣି ଟ୍ରାଫିକ ଥାନା ନିକଟରେ ପହଞ୍ଚି ଶେଷ କରିବା ସହ ଉକ୍ତ ଜାତୀୟ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମକୁ ଉଦଯାପିତ କରାଯାଇଥିଲା ।
ଆଜି ସ୍ଥାନୀୟ ଖଲ୍ଲିକୋଟ କଲେଜ ଛକରେ ଅମାନିଆ ଗାଡ଼ି ଚାଳକଙ୍କୁ ଦୁଇ କଳାକାର ଯମରାଜ ଓ ଚିତ୍ରଗୁପ୍ତ ତାଗିତ କରି ନିଜ ଗଦାରେ ପାହାର ମାରି ଲୋକଙ୍କୁ ସଚେତନତା କରୁଥିବା ଦେଖିବାକୁ ମିଳିଛି । ଗାଡି ଚଳାଇଲା ବେଳେ ହେଲମେଟ ବ୍ୟବହାର କରିବା,ମୋଟର ସାଇକେଲରେ ୨ଜଣରୁ ଅଧିକ ନବସିବା,ଚଳନ୍ତା ଗାଡ଼ିରେ ମୋବାଇଲ ବ୍ୟବହାର ନକରିବା, ମଦ୍ୟପାନ କରି ଗାଡି ନଚଳାଇବା,ଚାରିଚାକିଆ ଯାନରେ ସିଟ୍ ବ୍ୟାଲଟ ବ୍ୟବହାର କରିବା, ଦ୍ରୁତ ଗତିରେ ଗାଡି ନଚଳାଇବା,ଗାଡିର କ୍ଷମତା ଠାରୁ ଅଧିକ ପରିବହନ ନକରିବା ପାଇଁ ସଚେତନ କରାଇବା ସହ ନିରାପଦ ଗାଡି ଚାଳନା ପାଇଁ ବ୍ରହ୍ମପୁର ଟ୍ରାଫିକ୍ ପୋଲିସ ପକ୍ଷରୁ ସଚେତନତା ବାର୍ତ୍ତା ଦେଇଥିଲେ । ସଡ଼କ ସୁରକ୍ଷାର ଶେଷଦିନରେ ବ୍ରହ୍ମପୁର ସହର ପାଖାପାଖି ଶତକଡା ୬୦% ଭାଗରୁ ଉର୍ଦ୍ଧ୍ବ ଲୋକ ହେଲମେଟ୍ ପିନ୍ଧୁଥିବା ଦେଖିବାକୁ ମିଳିଥିଲା । ଯେଉଁ ମାନେ ହେଲମେଟ୍ ବ୍ୟବହାର କରିନଥିଲେ ଏବଂ ଯେଉଁ ମାନେ ଟ୍ରାଫିକ୍ ନିୟମ ଉଲଂଘନ କରିଥିଲେ ସେମାନେଙ୍କୁ ଆଜି ଯମରାଜ ନିଜର ଗଦା ମାଡ଼ କରି ତାଗିତ କରିବା ଓ ହେଲମେଟ୍ ପିନ୍ଧିଥିବା ଲୋକଙ୍କୁ ଗୋଲାପ ଫୁଲ ଦେଇ ସଚେତନତା କରାଇଥିଲେ ଟ୍ରାଫିକ୍ ଡ଼ି.ଏସ୍.ପି ଅକ୍ଷୟ ନାୟକ ଓ ଥାନା ଅଧିକାରୀ ରାମସୁବ୍ରମଣିମ ପ୍ରଧାନ । ଲୋକେ ସଚେତନ ରହିଲେ ସଡ଼କ ଦୁର୍ଘଟଣାରୁ ମୁକ୍ତ ରହିବେ ତେଣୁ ସମସ୍ତେ ସଡ଼କ ସୁରକ୍ଷା ନିୟମ ମାନି ଗାଡ଼ି ଚଳେଇବାକୁ ଏସପି ଶ୍ରୀ ବିବେକ ଅନୁରୋଧ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ଟାଉନ ଥାନା ଅଧିକାରୀ ସୁରେଶ ତ୍ରିପାଠୀ, ବିଏନପୁର ଥାନା ଅଧିକାରୀ ରାମ କୁମାର ମୁର୍ମୁ, ଗୋଶାଣୀନୂଆ ଥାନା ଅଧିକାରୀ ସ୍ମୃତିପ୍ରଭା ପ୍ରଧାନ, ମହିଳା ଥାନା ଅଧିକାରୀ ଅଞ୍ଜଳି ବିଶ୍ଵାଳ, ସାଇବର ଥାନା ଅଧିକାରୀ ଅଭିନାଶ ରେଡ୍ଡୀ, ଇନିସ୍ପେକ୍ଟର ସୁମିତ ସୋରେନ,ଏସଆଇ କେଳୁଚରଣ ମଲ୍ଲିକ, ଏଏସ୍ଆଇ ନରସିଂହ ପାଣି ,ହାବିଲଦାର ସାଇ ଜୀବନ ପାତ୍ର ,ସତ୍ୟ ବେହେରା,କନେଷ୍ଟବଳ ପିଣ୍ଟୁ ବେହେରା, ଅନିଲ କୁମାର ପାତ୍ର ,ବାଳକୃଷ୍ଣ ବେହେରା, ସଞ୍ଜୟ ପରିଡ଼ା,ବେଲାଳସେନ ବିଷୋୟୀଙ୍କ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।