ଧାମନଗର ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଂଚକତା,ରିଭ୍ୟୁ ପରେ ଗଣମାଧ୍ୟମକୁ ବିଧାୟକଙ୍କ ସୂଚନା

ଧାମନଗର ୧୭/୦୧/ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ତାଲିକା ସାରା ରାଜ୍ୟରେ ପ୍ରକାଶ ପାଇଛି।ଏହି ତାଲିକାରେ ବହୁ ଅଯୋଗ୍ୟ ବ୍ୟକ୍ତି ଥିବାର ଅଭିଯୋଗ ମଧ୍ୟ ହୋଇଛି। ଏହି ପରିପ୍ରେକ୍ଷୀରେ ଧାମନଗର ବ୍ଲକ ଅନ୍ତର୍ଗତ ୩୧ଗୋଟି ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରକାଶ ପାଇଥିବା ଆବାସ ହିତାଧିକାରୀ ତାଲିକାରେ ବ୍ୟାପକ ଅନିୟମିତତା ହେବା ସହ ଆକ୍ରୋଶ ମୂଳକ ଭାବେ ବହୁ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯାଇଛି ବୋଲି ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ୍ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। କୋଠାଘର ଥିବା ବ୍ୟକ୍ତି ଯୋଗ୍ୟ ତାଲିକାରେ ଥିବା ବେଳେ ଚାଳ ଘରେ ଥାଇ ଦିନରେ ସୂର୍ଯ୍ୟ ରାତିରେ ଚନ୍ଦ୍ରଙ୍କୁ ଦେଖୁଥିବା ଯୋଗ୍ୟ ବ୍ୟକ୍ତିଟି ହିତାଧିକାରୀ ତାଲିକାରୁ ବାଦ ପଡ଼ିଛି ବୋଲି ବିଧାୟକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଅବସରରେ ମଙ୍ଗଳବାର ପୂର୍ବାହ୍ନରୁ ଧାମନଗର ବ୍ଲକ କାର୍ଯ୍ୟାଳୟକୁ ଆସି ବିଧାୟକ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ତାଲିକା ସମ୍ପର୍କରେ ପୁନଃ ଯାଞ୍ଚ କରିଥିବା ବେଳେ ଏଥିରେ ବହୁ ଅନିୟମିତତା ହୋଇଥିବା ଉପଲବ୍ଧି କରିଛନ୍ତି। ଏ ସମ୍ପର୍କରେ ବିଧାୟକ ବିଡ଼ିଓ ବନବିହାରୀ ଦିନ୍ଦାଙ୍କୁ ପ୍ରଶ୍ନ କରିଥିଲେ ମଧ୍ୟ ସେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ନ ପାରିବା ସହ ନିଜର ଅକ୍ଷମତା ପ୍ରକାଶ କରିଛନ୍ତି। ଆବାସ ଯୋଜନା ହିତାଧିକରୀ ଚୟନ ପ୍ରକିୟା ବେଳେ ସେ ଏଠାରେ ନଥିଲେ,ଏଣୁ ଏସଂପର୍କରେ କିଛି ଜାଣି ନାହାନ୍ତି ବୋଲି ବିଧାୟକଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ଧାମନଗର ବିଡ଼ିଓ। ତେବେ ଅଯୋଗ୍ୟ ହିତାଧିକାରୀ ଫାଇଦା ନିଅନ୍ତୁ ମନା ନାହିଁ ମାତ୍ର ଜଣେ ଯୋଗ୍ୟ ହିତାଧିକାରୀ ବାଦ ପଡ଼ିଲେ ଦୃଢ ବିରୋଧ କରାଯିବ ବୋଲି ସୂଚନା ଦେଇଛନ୍ତି ବିଧାୟକ ଶ୍ରୀ ସୁରଜ। କିଛି ପଞ୍ଚାୟତରେ ଯୋଗ୍ୟ ହିତାଧିକାରୀ ତାଲିକାକୁ ବିରୋଧ କରାଯାଇଥିବା ବେଳେ  ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚ ମାନେ ଚୟନ ତାଲିକା ଝୁଲାଇ ଦେଇ ନ ଥିବା ବେଳେ ଅଭିଯୋଗ ବାକ୍ସ ମଧ୍ୟ ରଖି ନାହାନ୍ତି। ମୋଟାମୋଟି ଭାବେ ଆବାସ ଯୋଜନାରୁ ଯୋଗ୍ୟ ବାଦ ହୋଇ ଅଯୋଗ୍ୟ ସାମିଲ ହେବାରେ ଏକ ରାକେଟ କାମକରିଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଅଭିଯୋଗ ମିଳିଲେ ପୁନଃ ତଦନ୍ତ କରାଯାଇ ଯୋଗ୍ୟ ହିତାଧିକାରୀ ତାଲିକା ପ୍ରକାଶ କରାଯିବ ବୋଲି ବିଡ଼ିଓ ସୂଚନା ଦେଇଛନ୍ତି।

Leave A Reply

Your email address will not be published.