ଛଅ ମାସରେ ପ୍ରାଣ ହରାଇଲେଣି ୪ ହାତୀ
ଭଞ୍ଜନଗର: ଗଞ୍ଜାମ ଉତ୍ତର ଘୁମୁସର ବନଖଣ୍ଡ ତାରାସିଙ୍ଗି ବନାଞ୍ଚଳରେ କିଛି ମାସର ନୀରବତା ପରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ମାଣପୁର ଗ୍ରାମ ନିକଟସ୍ଥ ପରିବା ଚାଷ ଜମିରୁ ଗୁରୁବାର ଏକ ଦନ୍ତା ହାତୀର ମୃତ ଦେହ ଠାବ କରାଯାଇଛି। ହାତୀ ମୃତ ଖବର ପାଇ ଘଟଣା ସ୍ଥଳରେ ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା, ଏସିଏଫ ବିକ୍ରମ ଦେବ ପଟ୍ଟନାୟକ, ଭାରପ୍ରାପ୍ତ ତାରାସିଙ୍ଗି ରେଞ୍ଜର କୃତିବାସ କୁମାର, ଜଗନ୍ନାଥ ପ୍ରସାଦ ରେଞ୍ଜର ଉମାକାନ୍ତ ଦାସ, କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମର ବେହେରା ପ୍ରମୁଖ ପହଞ୍ଚି ଅନୁଧ୍ୟାନ ଆରମ୍ଭ କରିଥିଲେ। ହାତୀଟିର ବୟସ ୪୦ ରୁ ଉର୍ଦ୍ଧ୍ବ ହୋଇଥିବା ବେଳେ ଶରୀରରେ କୌଣସି କ୍ଷତ ଚିହ୍ନ ନଥିବା ଜଣାପଡିଥିଲା। ସେହିପରି ଅପରାହ୍ନରେ ଭୁବନେଶ୍ୱର ରୁ ଏକ ଟିମ ପହଞ୍ଚି ଅନୁଧ୍ୟାନ କରିଥିଲେ। ପଶୁ ଚିକିତ୍ସିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ କରିବା ପରେ ଏହାକୁ ପୋଡି ଦିଆଯାଇଛି। ବ୍ୟବଚ୍ଛେଦ ସମୟରେ ହାତୀର ପେଟ ନିକଟରେ ୩ଟି ଗୋଲେଇ କଣା ଥିବା ସହ କଳା ପଡିଯାଇଥିବାରୁ ପୂର୍ବରୁ ଅନ୍ୟ କୌଣସି ଦନ୍ତା ସହ ଝଗଡାରୁ ଏଭଳି କଣା ହୋଇଥିବା କିମ୍ବା ଅନୁମାନ ଖାଦ୍ୟନଳୀ ସଂକ୍ରମଣ ଯୋଗୁଁ ଦନ୍ତାର ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଥିବା ବିଭାଗ ପକ୍ଷରୁ କୁହାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଡିଏଫଓ ସୁଦର୍ଶନ ବେହେରା କହିଛନ୍ତି।