ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ଜାରି କରାଯାଇଥିବା ଲକ୍ଡାଉନ୍ ଯୋଗୁ କରୋନା ସଂକ୍ରମଣ ଅନେକ ପରିମାଣରେ ହ୍ରାସ ପାଇଛି ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି । ଆଜି କରୋନା ପରିଚାଳନାର ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ସୂଚନା ଦେଇ ଶ୍ରୀ ମହାପାତ୍ର ଏହା କହିଛନ୍ତି । ବିଭିନ୍ନ ଜିଲ୍ଲାରେ କରୋନା ସଂକ୍ରମଣ ହାରକୁ ଲକ୍ଷ୍ୟକରି ଲକ୍ଡାଉନ୍ କୋହଳ ନିମନ୍ତେ ରାଜ୍ୟର ୩୦ ଟି ଜିଲ୍ଲାକୁ ୨ ଭାଗରେ ବର୍ଗୀକରଣ କରାଯାଇଛି-: ‘ବର୍ଗ-କ’ ରେ ୧୭ ଟି ଜିଲ୍ଲା ଏବଂ ‘ବର୍ଗ-ଖ’ ରେ ୧୩ ଟି ଜିଲ୍ଲାକୁ ତାଲିକାଭୁକ୍ତ କରାଯାଇଛି।
ମୁଖ୍ୟତଃ ପଶ୍ଚିମ ଓ ଦକ୍ଷିଣାଞ୍ଚଳ ଜିଲ୍ଲା ଯଥା ବରଗଡ଼, ବଲାଙ୍ଗିର, ବୌଦ୍ଧ, ଦେବଗଡ଼, ଗଜପତି, ଗଂଜାମ, ଝାରସୁଗୁଡ଼ା, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ମାଲକନାଗିରି, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ଼ । ଏହି ସବୁ ଜିଲ୍ଲାମାନଙ୍କରେ ସଂକ୍ରମଣହାର ୫% ବା ସେଥିରୁ କମ୍ ଅଛି । ଏହି ୧୭ ଟି ଜିଲ୍ଲାରେ ସକାଳ ୬ ଟା ଠାରୁ ସଂଧ୍ୟା ୫ ଟା ପର୍ଯ୍ୟନ୍ତ ଆବଶ୍ୟକୀୟ ଦ୍ରବ୍ୟ ଦୋକାନ ଖୋଲା ରହିବ । ରାସ୍ତକଡ଼ ଖାଦ୍ୟ ଓ ଜଳଖିଆ ଦୋକାନ ଖୋଲାହେବ । ତେବେ ସେଠାରୁ ଲୋକମାନେ ଖାଦ୍ୟ ପାର୍ସଲ୍ ନେଇପାରିବେ । ଦୋକାନରେ ବସି ଖାଇପାରିବେ ନାହିଁ ।
ଅନ୍ୟ ୧୩ ଟି ଜିଲ୍ଲାରେ ପରୀକ୍ଷା ଓ ପଜିଟିଭ୍ ହାର ଅଧିକ ଥିବାରୁ ସେଗୁଡ଼ିକ ‘ବର୍ଗ-ଖ’ ରେ ତାଲିକାଭୁକ୍ତ କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରଖ, କଟକ, ଜଗତସିଂପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, ନୟାଗଡ଼, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ ଏବଂ ମୟୁରଭଞ୍ଜ । ଏସବୁ ଜିଲ୍ଲାରେ ସଂକ୍ରମଣହାର କମିଥିଲେ ଯେ ବର୍ଗ-କ ଜିଲ୍ଳାମାନଙ୍କଠାରୁ ଅଧିକ ରହିଛି । ତେଣୁ ଏସବୁ ଜିଲ୍ଲାରେ ଅତ୍ୟାବଶ୍ୟକୀୟ ପଦାର୍ଥ ଦୋକାନ ସକାଳ ୬ ଟାରୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଖୋଲାରହିବ । ପୁର୍ବରୁ ଏହା ସକାଳ ୭ ଟାରୁ ୧୧ ଟା ପର୍ଯ୍ୟନ୍ତ ଥିଲା । ଏହି ୧୩ ଟି ଜିଲ୍ଲାରେ ଅନ୍ୟାନ୍ୟ କଟକଣା ବଳବତ୍ତର ରହିବ ।
ସାରା ରାଜ୍ୟରେ ଜୀବନ ଓ ଜିବୀକା ମଧ୍ୟରେ ସମନ୍ୱୟ ରଖିବା ନିମନ୍ତେ ସାଇକେଲ୍ ମରାମତି, ଯାନବାହନ ମରାମତି, କଳକାରଖାନା, ବିଭିନ୍ନ ପ୍ରକାର ନିର୍ମାଣ କାର୍ଯ୍ୟ, ଦ୍ରବ୍ୟ ପରିବହନ, କୃଷି, ମତ୍ସ୍ୟ ଚାଷ ଓ ପଶୁପାଳନ ସମ୍ବନ୍ଧିତ ଦୋକାନ ଏବଂ କାମକୁ କଟକଣା ମୁକ୍ତ କରାଯାଇଛି । ସେହିପରି ଦୁଗ୍ଧଚାଷୀଙ୍କ ଜିବୀକା ଦୃଷ୍ଟିରୁ ମିଠା ଦୋକାନ ନିର୍ଦ୍ଧାରିତ ସମୟ ମଧ୍ୟରେ ଖୋଲିବାପାଇଁ ଅନୁମତି ଦିଆଯାଇଛି । ତେବେ ଗ୍ରାହକ କେବଳ ମିଠା କିଣି ଘରକୁ ନେଇ ପାରିବେ । ପ୍ରାତଃ ଚାଲିବା, କସରତ ଏବଂ ଜଗିଂ ଆଦି କାର୍ଯ୍ୟକୁ ଅନୁମତି ଦିଆଯାଇଛି । କିନ୍ତୁ, ପାର୍କ ଓ ଜିମ୍ ଆଦି ବନ୍ଦରହିବ ।
ସ୍ୱାସ୍ଥ୍ୟ ସେବା, କୋଭିଡ୍ ଟିକା, କୋଭିଡ୍ ପରୀକ୍ଷା, ବଦ୍ୟୁତ୍ ଯୋଗାଣ, ଟେଲିକମ୍, ଅଗ୍ନିଶ୍ରମ ସେବା, ଅନ୍ୟାନ୍ୟ ମୌଳିକ ଏବଂ ଜରୁରୀ କାଳୀନ ସେବା ଆଦି ପୂର୍ବପରି ଚାଲୁ ରହିବ । ବିଭିନ୍ନ ପ୍ରକାର ଦ୍ରବ୍ୟର ହୋମ୍ ଡେଲିଭରି, ଇ-କମର୍ସ, ସମ୍ବାଦ ସଂଗ୍ରହ ଓ ପରିବେଷଣ କାର୍ଯ୍ୟରେ ନିୟୋଜିତ ଗଣ-ମାଧ୍ୟମ, ପେଟ୍ରୋଲ୍ ପମ୍ପ୍, ପେଟ୍ରୋଲିୟମ୍ ଗ୍ୟାସ୍, କୋଲ୍ଡ ଷ୍ଟୋର୍ ଆଦି ଖୋଲାହେବ । ରାସ୍ତାକଡ଼ ଢାବା କେବଳ ଖାଦ୍ୟ ପାର୍ସଲ ଦେବା ପାଇଁ ଖୋଲା ରହିବ । ବ୍ୟାଙ୍କ, ଏ.ଟି.ଏମ୍, ଋଣ ସମବାୟ ସମିତି ଆଦି ଖୋଲା ରହିବ । ତେବେ ଏହି ସବୁ କାର୍ଯ୍ୟାଳୟ ସର୍ବନିମ୍ନ କର୍ମଚାରୀଙ୍କୁ ନେଇ ଚାଲିବ । ଅନ୍ୟମାନେ ‘ୱାର୍କ ଫ୍ରମ୍ ହୋମ୍’ ବ୍ୟବସ୍ଥାରେ କାମ କରିବେ ।
କଟକଣା କୋହଳ ସମୟରେ ଏକ ଦୋକାନରୁ ଅନ୍ୟ ଦୋକାନର ଦୁରତା ଅତି କମ୍ରେ ୩୦ ଫୁଟ ରଖିବା, ଦୋକାନରେ ଭିଡ଼ ନଜମିବା ଆଦିକୁ ସଂପୃକ୍ତ ଦୋକାନୀ ଏବଂ ବଜାର କମିଟି ନିଶ୍ଚିତ କରାଇବେ । ଏଥିରେ ଅବହେଳା ହେଲେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ବା ପୌରାଞ୍ଚଳ କମିଶନର ଦୃଢ଼ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ନେବେ । ପରିବାପତ୍ର ନିମନ୍ତେ ପାଦରେ ନିମଟତମ ଦୋକାନରୁ ଚାଲି ଚାଲି ଯାଇ ଜନସାଧାରଣ ସବୁଜ ପନିପରିବା କିଣିବାକୁ ଅନୁରୋଧ କରାଯାଇଛି ।
ପୂର୍ବ ଲକ୍ଡାଉନ୍ ପର୍ଯ୍ୟାୟରୁ ନିଷିଦ୍ଧଥିବା ସମସ୍ତ ପ୍ରକାର କଟକଣା ଜାରି ରହିବ । ସାମାଜିକ ଓ ରାଜନୈତିକ ସଭା ସମିତି , ଧାର୍ମିକ ସଭାସମିତି, ସାହିତ୍ୟିକ ଆସର, ଭୋଜି, ବିବାହ ପାଇଁ ପ୍ରୋସେସନ୍, ଭୋଜି ଆଦି ଉପରେ ପୂର୍ବବତ୍ କଟକଣା ରହିବ । ମନ୍ଦିର ଏବଂ ଦେବାନୁଷ୍ଠାନରେ ଦୈନିକ ନିତୀ ପୂଜା ହେବ କିନ୍ତୁ ସେସବୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ବନ୍ଦ ରହିବ । ସମସ୍ତ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟର, ସିନେମା ହଲ୍, ସୁଇମିଂ ପୁଲ୍, ମଲ୍, ଯାତ୍ରା, ଥିଏଟର, ସିନେମା ସୁଟିଂ ଆଦି ବନ୍ଦ ରହିବ ।
ସାରା ରାଜ୍ୟରେ ଶନିବାର ଏବଂ ରବିବାର ଦିନ ସପ୍ତାହନ୍ତ ସଟ୍ଡାଉନ୍ ପୁର୍ବ ପର୍ଯ୍ୟାୟ ଲକ୍ ଡାଉନ୍ ପରି ଜାରି ରହିବ । ମାସ୍କ ପିନ୍ଧିବା, ପରସ୍ପର ଠାରୁ ସ୍ଥାନଗତ ଦୁରତା ବଜାୟ ରଖିବା, ସାଧାରଣ ସ୍ଥାନ ମାନଙ୍କରେ ଛେପ ଖଙ୍କାର ନପକାଇବା, ସର୍ବସାଧାରଣ ସ୍ଥାନରେ ଧୁମ୍ରପାନ ଓ ମଦ୍ୟପାନ ନକରିବା ଆଦି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ ।
କରୋନା ସ୍ଥିତି ପରିଚାଳନାରେ ଗ୍ରାମ ପଂଚାୟତମାନଙ୍କର ଅତି ଗରୁତ୍ୱପୁର୍ଣ୍ଣ ଭୂମିକା ରହିଛି ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ । ନିଜ ଅଂଚଳରେ କରୋନା ପ୍ରତିରୋଧ ବ୍ୟବହାର ବିଷୟରେ ସଚେତନା ସୃଷ୍ଟି, ବାହାରୁ ଆସୁଥିବା ଲୋକଙ୍କ ବିଷୟରେ ସୂଚନା ପ୍ରଦାନ, ସଂକ୍ରମଣ ସର୍ବେକ୍ଷଣ, ଘରୋଇ ପୃଥକବାସରେ ରହିଥିବା ଲୋକମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଉପରେ ଦୃଷ୍ଟି, ଆବଶ୍ୟକସ୍ଥଳେ ଡାକ୍ତରଖାନାକୁ ସ୍ଥାନାନ୍ତରକରଣ, କର୍ତ୍ତୁପକ୍ଷଙ୍କୁ କୋଭିଡ୍ ନିୟମ ଉଲଙ୍ଘନ ସମ୍ବନ୍ଧିତ ସୂଚନା ପ୍ରଦାନ ଆଦି ବିଷୟରେ ଗ୍ରାମ ପଂଚାୟତ ସରପଂଚ ଓ ୱାର୍ଡ଼ ମେମ୍ବର ମାନଙ୍କ ସକ୍ରିୟ ସହାୟତା ଏକାନ୍ତ ଆବଶ୍ୟକ ବୋଲି ଶ୍ରୀ ମହାପାତ୍ର କହିଥିଲେ ।
ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଡାଉନ୍ ଏବଂ ସଟ୍ଡାଉନ୍ ନିୟମ ଅନୁପାଳନରେ ସହଯୋଗ କରିଥିବାରୁ ମୁଖ୍ୟ ଶାସନ ସଚିବ ଜନସାଧାରଣ, ଜନ ପ୍ରତିନିଧି, କରୋନା ଯୋଦ୍ଧା ଏବଂ ଆଗ ଧାଡ଼ିର ସେବା ଯୋଗାଣକାରୀ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସାଧୁବାଦ ଜଣାଇବା ସହ ଆଗାମୀ ଦିନରେ ସହଯୋଗ ଓ ଅନୁପାଳନ ଜାରି ରଖିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ‘‘ସଂକ୍ରମଣ କମିଛି । ସ୍ଥିତି ପୂର୍ଣ୍ଣ ନିୟନ୍ତ୍ରଣାଧିନ ଅଛି । ସମସ୍ତଙ୍କର ମିଳିତ ପ୍ରଚେଷ୍ଟାରେ ଆମେ ଶିଘ୍ର କରୋନାକୁ ଦୁରେଇ ଦେଇ ପାରିବା’’ ବୋଲି ମୁଖ୍ୟ ଶାସନ ସଚିବ ଆଶା ପ୍ରକାଶ କରିଥିଲେ ।