ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଯନ୍ତ୍ରୀଙ୍କ ନିକଟରେ ଜିରୋ ଟଲେରାନ୍ସ ଓ ୫-ଟି ଫେଲ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଜିରୋ ଟଲେରାନ୍ସ, ୫-ଟି, ମୋ ସରକାର ସବୁକିଛି ଓଡିଶା ରାଜ୍ୟ ପ୍ରଦୂଷଣ ବୋର୍ଡରେ ଚିତ୍‍ପଟାଙ୍ଗ ମାରିଛି । ବର୍ଷେ ନୁହେଁ କି ଦୁଇବର୍ଷ ନୁହେଁ, ଜଣେ ଜଣେ ଅଧିକାରୀ ଏହି ଦପ୍ତରରେ ୨୦/୨୨ବର୍ଷ ଧରି ଆସ୍ଥାନ ଜମାଇବା ସହିତ ନିଜ ପାଖରେ ଏକାଧିକ କ୍ଷମତାକୁ ରଖିଛନ୍ତି । ଏହାର ଏକ ଉଦାହରଣ ହେଉଛନ୍ତି ବୋର୍ଡରେ ଥିବା ମୁଖ୍ୟଯନ୍ତ୍ରୀ । ଏହି ଯନ୍ତ୍ରୀ ଜଣଙ୍କ ଏଠାରେ ୨୩ବର୍ଷ ଧରି ଥିବାବେଳେ ନିଜ ପାଖରେ ଗୁରୁତ୍ୱପୂର୍ଣ୍ଣ ୬ଟି କ୍ଷମତା ଠୁଳ କରିଛନ୍ତି । ବାବୁ ଜଣଙ୍କ ଉପର ସ୍ତରରେ ଏଭଳି ଧରାଧରି କରିଛନ୍ତି ଯେ ତାଙ୍କ ପାଖରେ ସରକାରଙ୍କ ୫-ଟି ବ୍ୟବସ୍ଥା ବି ହାର ମାନିଗଲାଣି ।

ନିକଟରେ ବିଧାନସଭାରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସମୟ ଅବଧି ସଂକ୍ରାନ୍ତରେ ପ୍ରଶ୍ନ ଆସିଥିଲା । ଏଥିରୁ ଜଣାଗଲା ଯେ ୧୨୦ଜଣ କର୍ମଚାରୀ ଏଠାରେ ୧୫ବର୍ଷରୁ ଅଧିକ ସମୟ ଧରି ଅଛନ୍ତି । ଏମାନଙ୍କ ମଧ୍ୟରେ ସମ୍ପୃକ୍ତ ଯନ୍ତ୍ରୀଙ୍କ ଭଳି କିଛି କର୍ମଚାରୀ ୨୩ବର୍ଷ ହେଲା ଦପ୍ତର ଛାଡୁନଥିବାବେଳେ ଆଉ କିଛି କରିତ୍‍କର୍ମା ଅବସର ପରେ ବି ଏଠାରେ ଥଇଥାନ ହୋଇଛନ୍ତି । ତେବେ ଖୋଦ୍‍ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷ ଥିବା ଏହି ପ୍ରଦୂଷଣ ବୋର୍ଡରେ କିଭଳି କର୍ମଚାରୀମାନେ ଏତେ ଦିନ ଧରି ରହୁଛନ୍ତି ଓ ନିଜ ପାଖରେ ଏତେ କ୍ଷମତା ଠୁଳ କରୁଛନ୍ତି ତାହା ପ୍ରଶାସକମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।

ତେବେ ନିଜ ହାତରେ ଅନ୍ୟୁନ ୬ଟି ଗୁରୁତ୍ୱପୂର୍ଣ୍ଣ କ୍ଷମତାକୁ ଜାବୁଡି ଧରିଥିବା ମୁଖ୍ୟଯନ୍ତ୍ରୀଙ୍କ ସଂକ୍ରାନ୍ତରେ ଅନେକ ସଙ୍ଗୀନ ଅଭିଯୋଗ ବି ଆସିବାରେ ଲାଗିଛି । ନିର୍ଦ୍ଦିଷ୍ଟ ସଂସ୍ଥାରୁ ୱାଟର ଓ ଏୟାର ଆନାଲାଇଜର କିଣିବା, ନିର୍ଦ୍ଦିଷ୍ଟ ସଂସ୍ଥାରୁ ଏଚ୍‍ଡି କ୍ୟାମେରା କିଣିବାକୁ ଶିଳ୍ପସଂସ୍ଥାଙ୍କୁ ବାଧ୍ୟ କରିବା, ଏୟାର ଓ ୱାଟର ଆନାଲାଇଜର ଡାଟା ହେରାଫେରି କରି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ପଠାଇବା ଆଦି ରହିଛି । ଏହି ଯନ୍ତ୍ରୀଙ୍କ ହାତରେ ପ୍ରଦୂଷଣ ଯାଞ୍ଚ, ବର୍ଜ୍ୟ ବିଘନ, ସିଓଟି ପ୍ରଦାନ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷମତା ଥିବାରୁ ସେ ଗୋଟିକୁ ହେଲେ ଛାଡିବାକୁ ନାରାଜ ।

ଏକାଧିକ ଦୁଧିଆଳୀ କ୍ଷମତାକୁ ବର୍ଷ ବର୍ଷ ଧରି ମାଡି ବସିଥିବା ଏହି ଯନ୍ତ୍ରୀଙ୍କ ବିରୁଦ୍ଧରେ ହେଉଥିବା ଆଲୋଚନାରୁ ଜଣାଯାଇଛି ଯେ ବାବୁ ଜଣଙ୍କ ନିଜେ ଶିଳ୍ପ ପ୍ରତିଷ୍ଠାରେ ମାତିଛନ୍ତି । ଏଥିପାଇଁ ଖୋରଧା ଶିଳ୍ପାଞ୍ଚଳରେ ଜମି ନେଇଥିବାବେଳେ ଏ ଦାୟିତ୍ୱ ନିଜ ପୁଅକୁ ଦେଇଛନ୍ତି । ସେହିଭଳି ପଶ୍ଚିମଓଡିଶାର ଜଣେ ବରିଷ୍ଠ ମନ୍ତ୍ରୀଙ୍କ ସହିତ ମିଶି ବାବୁ କୁଆଡେ ଝାରସୁଗୁଡାରେ ଗୋଟିଏ ଶିଳ୍ପରେ ଅର୍ଥ ଖଟାଇଛନ୍ତି । ଏଥିପାଇଁ ସମ୍ପୃକ୍ତ ମନ୍ତ୍ରୀ ଜଣଙ୍କ ଏହି ଯନ୍ତ୍ରୀଙ୍କ ପାଇଁ ଓକିଲାତି କରି ତାଙ୍କର କିଭଳି ବଦଳି ନହେବ ସେଥିପାଇଁ ଲାଗି ପଡିଛନ୍ତି ।

ଅତି ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କିଛିଦିନ ତଳେ ବାବୁଙ୍କ କାରନାମାର ଖବର ତୃତୀୟ ମହଲାରେ ପହଞ୍ଚିବାପରେ ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଠିକ୍‍ ରେଡ୍‍ ହେବାର ଦିନ ପୂର୍ବରୁ ବାବୁ ଏହାର ସୁରାକ ପାଇ ଜଣେ ପ୍ରଭାବଶାଳୀ ଯୁବ ବିଧାୟକଙ୍କ ଶରଣ ପଶିଥିଲେ । ଏହାପରେ କୌଣସି ଅକୁହା କାରଣରୁ ଭିଜିଲାନ୍ସ ଏହି ଫାଇଲ୍‍ରେ ନାଲିଫିତା ବାନ୍ଧି ଥୋଇଦେଲା ।

କେବଳ ସମ୍ପୃକ୍ତ ଯୁବ ବିଧାୟକ ନୁହନ୍ତି ଦକ୍ଷିଣଓଡିଶାର ଜଣେ ମନ୍ତ୍ରୀଙ୍କୁ ନିୟମିତ ପାଉଣା ଦେଇ ଯନ୍ତ୍ରୀ ଜଣଙ୍କ ଖୁସି କରି ରଖିଛନ୍ତି । ସିଏ ବି ୟାଙ୍କ ପାଇଁ ଲବି କରୁଛନ୍ତି । ତେବେ ଏହି ଯନ୍ତ୍ରୀ ଜଣଙ୍କର ଅବସର ପାଖେଇ ଆସୁଥିବାରୁ କାଳେ କିଛି ଘଟିଯିବ ସେଥିପାଇଁ ସିଏ ଏବେ ସମସ୍ତଙ୍କୁ ତୃତୀୟ ମହଲାର ଜଣେ ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କ ନାଁ ନେଇ କଥାବାର୍ତ୍ତା କରୁଛନ୍ତି । ଏପରିକି ନିଜର ଚାକିରି ଅବଧି ବଢାଇବାପାଇଁ ସମ୍ପୃକ୍ତ ଯୁବ ବିଧାୟକଙ୍କୁ ୧୦କୋଟି ଟଙ୍କା ଅଗ୍ରିମ ଦେଇଥିବା ନେଇ ଚର୍ଚ୍ଚା ଚାଲୁଛି ।

ତେବେ ଯାବତୀୟ କେଳେଙ୍କାରୀ ସତ୍ୱେ ଜଣେ ଯନ୍ତ୍ରୀଙ୍କ ହାତକୁ କ୍ଷମତା ନକାଢିବା, ତାଙ୍କ ବିରଦ୍ଧରେ ଯାଞ୍ଚ ନହେବା, ତାଙ୍କୁ ଅନ୍ୟ ବଦଳି ନହେବା ଦେଖି ପ୍ରଦୂଷଣ ବୋର୍ଡର ଅନ୍ୟ ତଳିଆ କର୍ମଚାରୀମାନେ ଏବେ କର୍ମବିମୁଖତା ପାଲଟି ଗଲେଣି । ଏହାଦ୍ୱାରରା କେବଳ ସରକାର ବଦନାମ ହେଉନାହାନ୍ତି ମୁଖ୍ୟସଚିବଙ୍କ ଠାରୁ ଆରମ୍ଭ କରି ତୃତୀୟ ମହଲାର କିଛି କର୍ମଚାରୀଙ୍କ ନାଁ ଯୋଡି ହୋଇ ଯାଉଥିବାରୁ ସେମାନେ ବି ଏହି ଯନ୍ତ୍ରୀଙ୍କ ପାଇଁ ସାଧାରଣ ଲୋକଙ୍କ ସନ୍ଦେହ ଦୃଷ୍ଟିରେ ଅଛନ୍ତି । ତେଣୁ ତୁରନ୍ତ ଏହି ଯନ୍ତ୍ରୀଙ୍କ ବିରୁଦ୍ଧରେ ଯାଞ୍ଚ କରି ପ୍ରକୃତ ସତ୍ୟ ପ୍ରଦାକୁ ଆଣିବା ସହିତ ସରକାର ନିଜର ଜିରୋ ଟଲେରାନ୍ସ ଓ ୫-ଟି ର ପ୍ରମାଣ ଦେବା ଆବଶ୍ୟକ ବୋଲି ବୋର୍ଡର କିଛି କର୍ମଚାରୀ ନାମ ଗୋପନ ସର୍ତ୍ତରେ ମତ ଦେଉଛନ୍ତି ।

Leave A Reply

Your email address will not be published.