କାହା ସ୍ୱାର୍ଥରେ ୨୬କୋଟିର ସୁଇମିଙ୍ଗପୁଲ୍‍

ସୁନ୍ଦରଗଡ : ଜିଲ୍ଲା ପ୍ରଶାସନ ନିର୍ମାଣ କରୁଥିବା ସୁଇମିଙ୍ଗପୁଲ୍‍ ଏବେ ଚର୍ଚ୍ଚାରେ । ରାଜାରାଜୁଡା ଅମଳ ବିଜୁଳି ବନ୍ଧରେ ଥିବା ପୋଖରୀକୁ ଶୁଖାଇ ପ୍ରାୟ ୨୬କୋଟି ଟଙ୍କା ବ୍ୟୟରେ ନିର୍ମାଣ ଏହି ସୁଇମିଙ୍ଗପୁଲ୍‍ କାହା କାମରେ ଲାଗିବ ବୋଲି ଏବେ ସାଧାରଣରେ ଚର୍ଚ୍ଚା ହେଉଛି ।

ରାଣୀ ଜାନକୀ ହାଇସ୍କୁଲ ସମ୍ମୁଖରେ ତିଆରି ଚାଲିଥିବା ଏହି ସୁଇମିଙ୍ଗ୍‍ ପୁଲ୍‍ ପାଇଁ ପ୍ରାୟ ୨୬କୋଟି ଟଙ୍କା ବ୍ୟୟ ଅଟକଳ ରହିଛି । ଏହି ସମସ୍ତ ଅର୍ଥ ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍‍ଏଫ୍‍) ରୁ ବ୍ୟୟ ହେବ । ତେବେ ଜିଲ୍ଲା ପ୍ରଶାସନ ଲୋକଙ୍କୁ ଜଳସେଚନ ସୁବିଧା ଉପଲବ୍ଧ ପାଇଁ ପୋଖରୀ ଖୋଳୁଥିବାବେଳେ ଏଠାରେ ପୋଖରୀ ଶୁଖାଇବାକୁ ଲୋକେ ସହଜରେ ହଜମ କରିପାରୁ ନାହାନ୍ତି ।

ତେବେ ସବୁଠାରୁ ବଡ କଥା ହେଉଛି ପରିବେଶ ସୁରକ୍ଷା ଓ ପାରିପାଶ୍ୱିର୍କ ଉନ୍ନୟନ ପାଇଁ ଡିଏମ୍‍ଏଫ୍‍ ଅର୍ଥ ବ୍ୟୟ ହେବାର ଥିବାବେଳେ କାହା ସ୍ୱାର୍ଥରେ କୋଟି କୋଟି ଟଙ୍କା ବ୍ୟୟରେ ସୁଇମିଙ୍ଗପୁଲ୍‍ ନିର୍ମାଣ ହେଉଛି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସାଧାରଣ ଲୋକଙ୍କ କହିବାକଥା ଯେ ଯେତିକି ଅର୍ଥ ସୁଇମିଙ୍ଗ୍‍ ପୁଲ୍‍ରେ ଖର୍ଚ୍ଚ ହେଉଛି ସେହି ଅର୍ଥରେ ଜିଲ୍ଲାରେ ଏକାଧିକ ଜଳଛୟା ପ୍ରକଳ୍ପ ପ୍ରତିଷ୍ଠା ହୋଇପାରିଥାନ୍ତା ।

ଜିଲ୍ଲାରେ ପ୍ରତିଷ୍ଠା ହେଉଥିବା ଏହି ସୁଇମିଙ୍ଗ ପୁଲ୍‍ରୁ ସାଧାରଣ ଲୋକେ ଯେତିକି ଲାଭ ନପାଇବେ ଏହାର ନିର୍ମାଣ ଦାୟିତ୍ୱରେ ଥିବା ବାବୁମାନେ ଅଧିକ ଲାଭ ପାଇବା ନେଇ ଆଲୋଚନା ହେଉଛି । ତେବେ ଏହି ମେଗା ପ୍ରକଳ୍ପ କାମ କିଏ ପାଇଛି ଓ କିଏ କରୁଛି ତାହା ସବୁଠାରୁ ବଡ ଚର୍ଚ୍ଚାର ବିଷୟ ହୋଇଛି । ହେଉଥିବା ଆଲୋଚନା ଅନୁଯାୟୀ ଗୋଟିଏ ଦକ୍ଷିଣ ଭାରତୀୟ ସଂସ୍ଥାର ଏହାର ଠିକାକାମ ପାଇଥିବାବେଳେ କାଳେ କିଏ ବିରୋଧ କରିବ ସେଥିପାଇଁ ସ୍ଥାନୀୟ କିଛି ଠିକାଦାରଙ୍କୁ ସବଲେଟ୍‍ କାମ ମିଳିଯାଇଛି ।

ଜିଲ୍ଲାରେ ଏବେ କରୋନା ପରବର୍ତ୍ତୀ ନିଯୁକ୍ତି, ଧାନ ବିକ୍ରି, ମେଡିକାଲରେ ଆଇସିୟୁ ସୁବିଧା ଆଦି ପୂରଣ କରିବାପାଇଁ ଲୋକ ପ୍ରତିନିଧିମାନେ ଦାବି କରୁଥିବାବେଳେ ଜିଲ୍ଲା ପ୍ରଶାସନ କିନ୍ତୁ ସୁଇମିଙ୍ଗପୁଲ୍‍ ନିର୍ମାଣ ପ୍ରତି ଅହେତକୁ ଆଗ୍ରହ ପ୍ରକାଶ କରିବାରେ ଲାଗିଛି । ଡିଏମଏଫ୍‍ ପାଣ୍ଠିକୁ ଏଭଳି ମନୋରଞ୍ଜନ କାର୍ଯ୍ୟ ଓ ଠିକାଦାର ପୋଷାରେ ଲଗାଇବା ଉଚିତ୍‍ ନୁହେଁ ବୋଲି କିଛି ବ୍ୟକ୍ତି ମତ ଦେଉଛନ୍ତି ।

Leave A Reply

Your email address will not be published.