୨୦ ଟି ଜିଲ୍ଲାରେ କଟକଣା କୋହଳ

ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ଜାରି କରାଯାଇଥିବା ଆଂଶିକ ଲକ୍‌ଡାଉନ୍‌ ଯୋଗୁ କରୋନା ସଂକ୍ରମଣ ଅନେକ ପରିମାଣରେ ହ୍ରାସ ପାଇଛି ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି । ଏଥିରୁ ମିଳିଥିବା ସୁଫଳ ଅନୁସାରେ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ କରାଯାଇଛି ।  ଆଜି କରୋନା ପରିଚାଳନାର ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ସୂଚନା ଦେଇ ଶ୍ରୀ ମହାପାତ୍ର କହିଛନ୍ତି ଯେ  ବିଭିନ୍ନ ଜିଲ୍ଲାରେ କରୋନା ସଂକ୍ରମଣ ହାରକୁ ଲକ୍ଷ୍ୟକରି ଲକ୍‌ଡାଉନ୍‌ କୋହଳ ନିମନ୍ତେ ରାଜ୍ୟର ୩୦ ଟି ଜିଲ୍ଲାକୁ ୨ ଭାଗରେ ବର୍ଗୀକରଣ କରାଯାଇଛି-: ‘ବର୍ଗ-କ’ ରେ ୨୦ ଟି ଜିଲ୍ଲା ଏବଂ ‘ବର୍ଗ-ଖ’ ରେ ୧୦ ଟି ଜିଲ୍ଲାକୁ ତାଲିକାଭୁକ୍ତ କରାଯାଇଛି ।

ମୁଖ୍ୟତଃ ବରଗଡ଼, ବଲାଙ୍ଗିର, ବୌଦ୍ଧ, ଦେବଗଡ଼, ଗଜପତି, ଗଂଜାମ, ଝାରସୁଗୁଡ଼ା, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ମାଲକନାଗିରି, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ଼ ଆଦି ଜିଲ୍ଲାମାନଙ୍କରେ ପୁର୍ବ ପର୍ଯ୍ୟାୟ ଲକ୍‌ଡାଉନ୍‌ ବେଳକୁ ସଂକ୍ରମଣ ହାର ୫ ଶତକଡ଼ାରୁ ତଳକୁ ଖସିଥିଲା । ଇତି ମଧ୍ୟରେ ଅନୁଗୁଳ, ଢେଙ୍କାନାଳ ଏବଂ କେନ୍ଦୁଝର ଆଦି ୩ ଟି ଜିଲ୍ଲାରେ କୋଭିଡ୍‌ ନିୟମର ସଠିକ୍‌ ଅନୁପାଳନ ଯୋଗୁ ସଂକ୍ରମଣ ହାର ୫ ଶତକଡ଼ା ତଳକୁ ଖସିଛି । କେଣୁ ଏସବୁ ଜିଲ୍ଲାକୁ ବର୍ଗ-କ(କାଟେଗୋରୀ-ଏ) ଏବଂ ଅବଶିଷ୍ଟ ୧୦ ଟି ଜିଲ୍ଲାକୁ ବର୍ଗ-ଖ(କାଟେଗୋରୀ-ବି) ଜିଲ୍ଲା ଅନ୍ତର୍ଭୁକ୍ତ କରାଯାଇଛି ।

ବର୍ଗ-କ ଜିଲ୍ଲାମାନଙ୍କରେ ସମସ୍ତ ପ୍ରକାର ଆବଶ୍ୟକୀୟ ଦ୍ରବ୍ୟ ଦୋକାନ ସକାଳ ୬ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଖୋଲା ରହିବ । କିନ୍ତୁ ସପିଂ ମଲ୍‌, ସ୍ପା, ବିଉଟି ପାର୍ଲର, ସୁଇମିଂ ପୁଲ୍ ଆଦି ବନ୍ଦ ରହିବ । ଏହି ଜିଲ୍ଲା ମାନଙ୍କରେ ସପ୍ତାହନ୍ତ ସଟ୍‌-ଡାଉନ୍‌ ହେବ ନାହିଁ । ସାଧାରଣ ଯାତ୍ରୀବାହି ବସ୍‌ କେବଳ ଏହି ଜିଲ୍ଲାମାନଙ୍କରେ ଚାଲି ପାରିବ । କିନ୍ତୁ ବସ୍‌ରେ ସିଟ୍‌ ଅନୁସାରେ ଲୋକ ଯାତ୍ରା କରିପାରିବେ ।  ୨ ଜଣ ପ୍ୟାସେଞ୍ଜରଙ୍କୁ ନେଇ ଅଟୋ ଓ ଟ୍ୟାକ୍ସି ଆଦି ଘରୋଇ ଯାନ ଚାଲି ପାରିବ । ଆଉଟ୍‌ଡୋର ସୁଟିଂ, ସାପ୍ତାହିକ ବଜାର ଆଦି ଖୋଲିବ, କିନ୍ତୁ ବଜାର ହାଟରେ ଦୋକାନୀମାନେ କୋଭିଡ୍‌ ନିୟମ ଅନୁସାରେ ଦୁରତା ରଖି ବସିବେ ।

ନୟାଗଡ଼, ପୁରୀ, କଟକ, ଖୋର୍ଦ୍ଧା, ଭଦ୍ରଖ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂପୁର ଓ ଯାଜପୁର ଆଦି ୧୦ଟି ଜିଲ୍ଲାକୁ ବର୍ଗ-ଖ ଅନ୍ତର୍ଭୁକ୍ତ କରାଯାଇଛି । ଏସବୁ ଜିଲ୍ଲାରେ ସଂକ୍ରମଣ ହାର କମୁଥିଲେ ମଧ୍ୟ ୫ ଶତକଡ଼ାରୁ ଅଧିକ ରହିଛି । ତେଣୁ ଏସବୁ ଜିଲ୍ଲାରେ କଟକଣା ବର୍ଗ-କ ଜିଲ୍ଲାମାନଙ୍କ ଠାରୁ ଅଧିକ ରହିବ । ସମସ୍ତ ଆବଶ୍ୟକୀୟ ପଦାର୍ଥ ଦୋକାନ ସକାଳ ୬ଟାରୁ ଦିନ ୨ ପର୍ଯ୍ୟନ୍ତ ଖୋଲା ରହିବ । ସପିଂ ମଲ୍‌, ସ୍ପା, ବିଉଟି ପାର୍ଲର, ସୁଇମିଂ ପୁଲ୍‌ ଆଦି ବନ୍ଦ ରହିବ । ପୂର୍ବପର୍ଯ୍ୟାୟ ଲକ୍‌ଡାଉନ୍‌ ଥିବା ସମସ୍ତ କଟକଣା ଏହି ସବୁ ଜିଲ୍ଲାମାନଙ୍କରେ ଲାଗୁ ରହିବ । ବର୍ଗ-ଖ ୧୦ ଟି ଜିଲ୍ଲାରେ ଶନିବାର ଏବଂ ରବିବାର ଦିନ ସପ୍ତାହନ୍ତ ସଟ୍‌ଡାଉନ୍‌ ପୂର୍ବ ପର୍ଯ୍ୟାୟ ଲକ୍‌ଡାଉନ୍‌ ପରି ଜାରି ରହିବ । ସପ୍ତାହିକ ଏବଂ ଦୈନିକ ହାଟ, ସାଧାରଣ ଯାତ୍ରୀବାହି ବସ୍‌ ଚଳାଚଳ ଆଦି ପୂର୍ବପରି ବନ୍ଦ ରହିବ ।

ଜୁଲାଇ ୧୬ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ସଂଧ୍ୟା ୬ରୁ ସକାଳ ୬ ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଜାରି କରାଯାଇଛି । ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ପ୍ରଦର୍ଶନୀ, ମେଳା, ସିନେମାହଲ୍‌, ମଲ୍ଟିପ୍ଲେକ୍ସ, ଜିମ୍‌, ପାର୍କ, ଥଏଟର, ଯାତ୍ରା, ବାର୍‌, ଅଡିଟୋରିଅମ୍‌, ମ୍ୟାରି- ଗୋ-ରାଉଣ୍ଡ ଦୋଳି, ମୀନା ବଜାର, ଏକତ୍ର ହେବା, ହଲ୍‌, ସମସ୍ତ ପ୍ରକାର ସାମାଜିକ, ଧାର୍ମିକ ବା ରାଜନୈତିକ ସଭାସମିତି, ବିବାହ ଓ ବ୍ରତ ଆଦି ପାଇଁ ଶୋଭାଯାତ୍ରା ଓ ଉତ୍ସବ, ମନ୍ଦିର ଓ ଧର୍ମାନୁଷ୍ଠାନ ଆଦିରେ ସାଧାରଣ ଦର୍ଶନ ବନ୍ଦ ରହିବ । ତେବେ ମନ୍ଦିର, ମସ୍‌ଜିଦ୍‌ ଓ ଗୁରୁଦ୍ୱାର ଓ ଚର୍ଚ୍ଚ ଆଦିରେ ପୁର୍ବ ପର୍ଯ୍ୟାୟଭଳି ସିମୀତ ପୂଜକଙ୍କୁ ନେଇ ଦୈନିକ ନୀତି ଚାଲୁ ରହିବ ।

ସାରା ରାଜ୍ୟରେ ଜୀବନ ଓ ଜିବୀକା ମଧ୍ୟରେ ସମନ୍ୱୟ ରଖିବା ନିମନ୍ତେ ସାଇକେଲ୍‌ ମରାମତି, ଯାନବାହନ ମରାମତି, କଳକାରଖାନା, ବିଭିନ୍ନ ପ୍ରକାର ନିର୍ମାଣ କାର୍ଯ୍ୟ, ଦ୍ରବ୍ୟ ପରିବହନ, କୃଷି, ମତ୍ସ୍ୟ ଚାଷ ଓ ପଶୁପାଳନ ସମ୍ବନ୍ଧିତ ଦୋକାନ ଏବଂ କାମକୁ କଟକଣା ମୁକ୍ତ କରାଯାଇଛି । ସେହିପରିର ମିଠା ଦୋକାନୀ, ଠେଲାଗାଡ଼ି, ଉଠାଦୋକାନୀ ମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ବ୍ୟବସାୟ କରିପାରିବେ । ତେବେ ଗ୍ରାହକ କେବଳ ଖାଦ୍ୟ କିଣି ଘରକୁ ନେଇ ପାରିବେ । କେହି ଦୋକାନରେ ବସି ବା ସେଠାରେ ଠିଆ ହୋଇ ଖାଇ ପାରିବେ ନାହିଁ । ରାସ୍ତାକଡ଼ ଢାବା କେବଳ ଖାଦ୍ୟ ପାର୍ସଲ ଦେବା ପାଇଁ ଖୋଲା ରହିବ ।

ସ୍ୱାସ୍ଥ୍ୟ ସେବା, ବିଦ୍ୟୁତ୍‌ ଯୋଗାଣ, ଟେଲିକମ୍‌, ଅଗ୍ନିଶ୍ରମ ସେବା, ଅନ୍ୟାନ୍ୟ ମୌଳିକ ଏବଂ ଜରୁରୀ କାଳୀନ ସେବା ଆଦି ପୂର୍ବପରି ଚାଲୁ ରହିବ । ବିଭିନ୍ନ ପ୍ରକାର ଦ୍ରବ୍ୟର ହୋମ୍‌ ଡେଲିଭରି, ଇ-କମର୍ସ, ସମ୍ବାଦ ସଂଗ୍ରହ ଓ ପରିବେଷଣ କାର୍ଯ୍ୟରେ ନିୟୋଜିତ ଗଣ-ମାଧ୍ୟମ, ପେଟ୍ରୋଲ୍‌ ପମ୍ପ୍‌, ପେଟ୍ରୋଲିୟମ୍‌ ଗ୍ୟାସ୍‌, କୋଲ୍ଡ ଷ୍ଟୋର୍‌ ଆଦି ଖୋଲାହେବ । ବ୍ୟାଙ୍କ, ଏ.ଟି.ଏମ୍‌, ଋଣ ସମବାୟ ସମିତି ଆଦି ଖୋଲା ରହିବ । ତେବେ ଏହି ସବୁ କାର୍ଯ୍ୟାଳୟ ସର୍ବନିମ୍ନ କର୍ମଚାରୀଙ୍କୁ ନେଇ ଚାଲିବ । ଅନ୍ୟମାନେ ‘ୱାର୍କ ଫ୍ରମ୍‌ ହୋମ୍‌’ ବ୍ୟବସ୍ଥାରେ କାମ କରିବେ ।

କଟକଣା କୋହଳ ସମୟରେ ଏକ ଦୋକାନରୁ ଅନ୍ୟ ଦୋକାନ ମଧ୍ୟରେ ନିର୍ଦ୍ଧାରିତ ଦୁରତା ବଜାୟ ରଖିବା, ଦୋକାନ ଭିତରେ ବା ସାମ୍ନାରେ ଭିଡ଼ ନହେବା ଆଦିକୁ ସଂପୃକ୍ତ ଦୋକାନୀ ଏବଂ ବଜାର କମିଟି ନିଶ୍ଚିତ କରାଇବେ । ଏଥିପାଇଁ ଦୋକାନୀ ଓ ବଜାର କମିଟି ଦାୟୀ ରହିବେ । ନିଜର କର୍ମଚାରୀ ବା ସ୍ୱେଚ୍ଛାସେବୀଙ୍କ ମାଧ୍ୟମରେ ବଜାର କମିଟି ଭୋଭିଡ଼୍‌ ନିୟମ ଅନୁପାଳନ ନିଶ୍ଚିତ କରାଇବେ । ଉଭୟ ଦୋକାନୀ ଏବଂ ଗ୍ରାହକ ଉପଯୁକ୍ତ ବ୍ୟବଧାନ  ରଖିବେ ଏବଂ ସଠିକ୍‌ ଭାବେ ମାକ୍ସ ପିନ୍ଧିବେ । ଏଥିରେ ଅବହେଳା ହେଲେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ବା ପୌରାଞ୍ଚଳ କମିଶନର ଦୃଢ଼ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ନେବେ ।

କରୋନା ସ୍ଥିତି ପରିଚାଳନାରେ ଗ୍ରାମ ପଂଚାୟତମାନଙ୍କର ଅତି ଗରୁତ୍ୱପୁର୍ଣ୍ଣ ଭୂମିକା ରହିଛି ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ । ନିଜ ଅଂଚଳରେ କରୋନା ପ୍ରତିରୋଧ ବ୍ୟବହାର ବିଷୟରେ ସଚେତନା ସୃଷ୍ଟି, ବାହାରୁ ଆସୁଥିବା ଲୋକଙ୍କ ବିଷୟରେ ସୂଚନା ପ୍ରଦାନ, ସଂକ୍ରମଣ ସର୍ବେକ୍ଷଣ, ଘରୋଇ ପୃଥକବାସରେ ରହିଥିବା ଲୋକମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଉପରେ ଦୃଷ୍ଟି, ଆବଶ୍ୟକସ୍ଥଳେ ଡାକ୍ତରଖାନାକୁ ସ୍ଥାନାନ୍ତରକରଣ, କର୍ତ୍ତୁପକ୍ଷଙ୍କୁ କୋଭିଡ୍‌ ନିୟମ ଉଲଙ୍ଘନ ସମ୍ବନ୍ଧିତ ସୂଚନା ପ୍ରଦାନ ଆଦି ବିଷୟରେ ଗ୍ରାମ ପଂଚାୟତ ସରପଂଚ ଓ ୱାର୍ଡ଼ ମେମ୍ବର ମାନଙ୍କ ସକ୍ରିୟ ସହାୟତା ଏକାନ୍ତ ଆବଶ୍ୟକ ବୋଲି ଶ୍ରୀ ମହାପାତ୍ର କହିଥିଲେ ।

କରୋନା ପରୀକ୍ଷା, ଟ୍ରାକିଂ, ଚିକିତ୍ସା, ଟିକାକରଣ ଏବଂ କୋଭିଡ଼୍‌ ନିୟମ ଅନୁପାଳନ ଆଦି ୫-ସୁତ୍ରୀ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ ଓ ସଘନ କରାଯିବ ବୋଲି ମଧ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଏବଂ ସଟ୍‌ଡାଉନ୍‌ ନିୟମ ଅନୁପାଳନରେ ସହଯୋଗ କରିଥିବାରୁ ମୁଖ୍ୟ ଶାସନ ସଚିବ ଜନସାଧାରଣ, ଜନ ପ୍ରତିନିଧି, କରୋନା ଯୋଦ୍ଧା ଏବଂ ଆଗ ଧାଡ଼ିର ସେବା ଯୋଗାଣକାରୀ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସାଧୁବାଦ ଜଣାଇବା ସହ ଆଗାମୀ ଦିନରେ ସହଯୋଗ ଓ ଅନୁପାଳନ ଜାରି ରଖିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.