ପରିବର୍ତ୍ତନର ବାର୍ତ୍ତାବହ ହେବା ପାଇଁ ଜିଲ୍ଲାସ୍ତରରେ ୫-ଟି ମନ୍ତ୍ରକୁ କାର୍ଯ୍ୟକାରୀ କର

ଭୁବନେଶ୍ୱର : ଆଜି ଭର୍ଚୁଆଲ ମାଧ୍ୟମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ କହିଲେ ଯେ କରୋନା ମହାମାରୀର ଭୟାବହତା ସତ୍ତେ୍ୱ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀମାନେ ନିଜର ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଆସିଛନ୍ତି ।

ଲକ୍‌ ଡାଉନ୍‌, ସଟ୍‌ ଡାଉନ୍‌, କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା, ବହିରାଗତ ଶ୍ରମଜୀବୀମାନଙ୍କର ଯିବାଆସିବା, କରୋନା ଟୀକାକରଣ ଆଦି ସମସ୍ତ କ୍ଷେତ୍ରରେ ଓତଃପ୍ରୋତ ଭାବେ ଜଡ଼ିତ ରହି ଗଣମାଧ୍ୟମକୁ ସମୁଚିତ ସୂଚନା ପ୍ରଦାନ କରିବାରେ ସେମାନେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ଅମ୍ପାନ, ୟଶ୍‌ ବାତ୍ୟା ପରିପ୍ରେକ୍ଷୀରେ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ସେମାନଙ୍କ ଦାୟିତ୍ୱ ନିର୍ବାହ ପ୍ରଶଂସନୀୟ ହୋଇଛି ।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନ ଓ ୫-ଟି ମନ୍ତ୍ରକୁ ଜିଲ୍ଲା ଓ ଉପଖଣ୍ଡ ସ୍ତରରେ କାର୍ଯ୍ୟକାରୀ କରି ରାଜ୍ୟର ବିକାଶ କ୍ଷେତ୍ରରେ ଆଶାନୁରୂପ ପରିବର୍ତ୍ତନର ବାର୍ତ୍ତାବହ ହେବା ପାଇଁ ମନ୍ତ୍ରୀ ଶ୍ରୀ ଦାସ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଓ ଉପଖଣ୍ଡ ସୂଚନା ଲୋକସମ୍ପର୍କ ଅଧିକାରୀମାନଙ୍କୁ ଆହ୍ୱାନ ଦେଇଥିଲେ ।

କରୋନା ମାହାମାରୀର ଦ୍ୱିତୀୟ ଲହରରେ ଜନସାଧାରଣଙ୍କୁ ସଚେତନ କରିବାରେ ସେମାନେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି । ସମ୍ଭାବ୍ୟ ତୃତୀୟ ଲହର ବେଳେ ସେମାନେ ସେହିପରି ସଫଳତାର ସହ ନିଜର କର୍ତ୍ତବ୍ୟ ପାଳନ କରି ପାରିବେ ବୋଲି ମନ୍ତ୍ରୀ ଶ୍ରୀ ଦାସ ଆଶା ପ୍ରକାଶ କରିଛନ୍ତି ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ତଥା ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଲେ ଯେ ବର୍ତ୍ତମାନ ସମୟରେ ତୁରନ୍ତ ଗଣମାଧ୍ୟମକୁ ଖବର ତଥା ସୂଚନା ପ୍ରସାର ଦିଗରେ ସୋସିଆଲ ମିଡିଆର ଅବଦାନ ଅନସ୍ୱୀକାର୍ଯ୍ୟ । ଜିଲ୍ଲାସ୍ତରରେ ପ୍ରଶାସନର ସଫଳତା, ବିଭିନ୍ନ ଯୋଜନାର ସଫଳ ରୂପାୟନ ଓ ଜୀବନ ଜୀବିକାର ଉତ୍କର୍ଷ ଆଦି ଟିକିନିଖି ସଫଳତାର କାହାଣୀ ବିଭିନ୍ନ ଗଣମାଧ୍ୟମରେ ସ୍ଥାନିତ ହେବା ଦିଗରେ ସେମାନେ ସୋସିଆଲ ମିଡିଆର ଉପଯୋଗ କରିବା ସର୍ବାଦୌ ବାଞ୍ଚନୀୟ ।

ଟ୍ୱିଟର, ଫେସ୍‌ବୁକ୍‌ ଓ ହ୍ୱାଟସଅପ୍‌ ଆଦିର ସଫଳ ଉପଯୋଗ କରି ସେମାନେ ଜିଲ୍ଲାର ସକରାତ୍ମକ କାହାଣୀଗୁଡ଼ିକୁ ଖୁବ୍‌ଶୀଘ୍ର ଲୋକଲୋଚନକୁ ଆଣି ପାରିବେ । ଜିଲ୍ଲାର ଐତିହ୍ୟ, ସଂସ୍କୃତି ଓ ପାଠାଗାରର ଅମୂଲ୍ୟ ପୁସ୍ତକଗୁଡ଼ିକୁ ଡିଜିଟାଇଜେସନ୍‌ କରିବା ଦିଗରେ ସେମାନେ ପ୍ରୟାସ କରିବା ଆବଶ୍ୟକ ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ସେଠୀ ମତବ୍ୟକ୍ତ କରିଥିଲେ ।

ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତି୍ରପାଠୀ କହିଲେ ଯେ ରାଜ୍ୟ ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମଗୁଡ଼ିକ ସମ୍ବନ୍ଧରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ଜିଲ୍ଲା ଏବଂ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀମାନେ ଗୁରୁତ୍ୱାରୋପ କରିବା ନିତାନ୍ତ ଜରୁରୀ । ବିଭିନ୍ନ ପ୍ରତିକୂଳ ପରିସ୍ଥିତି ଓ ଜିଲ୍ଲାସ୍ତରରେ ଅନୁଭୂତ ହେଉଥିବା ସମସ୍ୟା ସତ୍ତେ୍ୱ ସୂଚନା ଓ ଲୋକସଂପର୍କ ଅଧିକାରୀମାନେ ସୁଚାରୁ ରୂପେ ଦାୟିତ୍ୱ ସମ୍ପାଦନ କରିବା ମଧ୍ୟ ତାତ୍ପର୍ଯ୍ୟପୂର୍ଣ୍ଣ ।

ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ରାଜ୍ୟରେ ଥିବା ସୂଚନା କେନ୍ଦ୍ରଗୁଡ଼ିକର ଉନ୍ନତି, ଇ-ଲାଇବ୍ରେରୀର ଆଦୃତି ଅର୍ଜନ, ଜିଲ୍ଲାର ପ୍ରମୁଖ ସ୍ଥାନରେ ଭିଡିଓ ପ୍ରାଚୀରମାନ ସ୍ଥାପନ ଜରିଆରେ ସୂଚନା ପ୍ରଦାନ, କୋଭିଡ୍‌ ମହାମାରୀର ମାର୍ଗଦର୍ଶିକା ଓ ନିୟମାବଳୀ ଇତ୍ୟାଦିର ହୋର୍ଡିଂ ମାଧ୍ୟମରେ ପ୍ରଚାର, କାର୍ଯ୍ୟରତ ସାମ୍ବାଦିକମାନଙ୍କ କଲ୍ୟାଣ ପାଇଁ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଯୋଜନାର ସବିଶେଷ ସ୍ଥିତି, ସାମ୍ବାଦିକ ଅଧିସ୍ୱୀକୃତି, ସୋସିଆଲ୍‌ ଓ େୱବ୍‌ ମିଡିଆ ସମ୍ବନ୍ଧରେ ବିଶଦ ତଥ୍ୟ ପ୍ରଦାନ କରିବା ସହ ଜିଳ୍ଲାସ୍ତରରେ ୫-ଟି ଉପକ୍ରମର କାର୍ଯ୍ୟାନ୍ୱୟନ କିପରି ଅଧିକ ଫଳପ୍ରଦ ହୋଇପାରିବ ସେ ଦିଗରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀମାନେ ତତ୍ପରତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ସୂଚନା ଅଧିକାରୀମାନେ ମଧ୍ୟ ସେମାନଙ୍କର ସମସ୍ୟାଗୁଡ଼ିକ ବାବଦରେ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଏହି ଭର୍ଚୁଆଲ୍‌ ବୈଠକରେ ଅତିରିକ୍ତ ନିର୍ଦ୍ଦେଶକ ଡ. ପ୍ରମୋଦ କୁମାର ମଲ୍ଲିକ, ଯୁଗ୍ମ ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ପରିଡ଼ା, ଉପ ନିର୍ଦ୍ଦେଶକ ମାନସ ରଞ୍ଜନ ଖୁଣ୍ଟିଆ, ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଉପ ନିର୍ଦ୍ଦେଶକ ବିଶ୍ୱଜିତ୍‌ ଦାଶ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.