୩୭୧ ତମ ଆନ୍ତଃ ଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି ବୈଠକ ଅନୁଷ୍ଠିତ

ଭୁବନେଶ୍ୱର : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଓଡ଼ିଶାରେ କାର୍ଯ୍ୟରତ ସମସ୍ତ ଗଣମାଧ୍ୟମ ବିଭାଗ, କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ବିଭାଗ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମଧ୍ୟରେ ସମନ୍ୱୟ ରକ୍ଷା କରୁଥିବା ଆନ୍ତଃ ଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି (ଆଇଏମପିସିସି)ର ୩୭୧ ତମ ବୈଠକ ଆଜି ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି ।

 ସମିତିର ଅଧ୍ୟକ୍ଷ ତଥା ସୂଚନା ପ୍ରସାରଣ ମନ୍ତ୍ରଣାଳୟର ଓଡ଼ିଶା ପ୍ରାନ୍ତ ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଶ୍ରୀ ରାଜିନ୍ଦର ଚୌଧୁରୀ ଏହି ବୈଠକରେ ପୌରହିତ୍ୟ କରିଥିଲେ। ଆନ୍ତଃ ଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତିର  ସଭ୍ୟ ମାନେ ଯୋଗଦେଇ ନିଜ ନିଜ ଅନୁଷ୍ଠାନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।

ବୈଠକରେ ଏଡିଜି ଶ୍ରୀ ଚୌଧୁରୀ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ଲାଗି କେନ୍ଦ୍ର ସରକାରଙ୍କ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ମଧ୍ୟରେ ସମନ୍ବୟ ସ୍ଥାପନ କରିବାର ଆବଶ୍ୟକତା ରହିଛି।

ଆଧୁନିକ ପ୍ରଯୁକ୍ତି ଏବଂ ସାମାଜିକ ଗଣମାଧ୍ୟମର ପ୍ରଭାବୀ ଉପଯୋଗ ସହ ଜନସାଧାରଣଙ୍କ ନିକଟରେ ଗୁରୁତ୍ବପୂର୍ଣ୍ଣ ଏବଂ ସଠିକ ସୂଚନା ପହଞ୍ଚାଇବା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ଅନ୍ୟ ସଂସ୍ଥାଗୁଡ଼ିକ ଏ କ୍ଷେତ୍ରରେ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ସହିତ ସମ୍ପର୍କ ସ୍ଥାପନ କରିବା ଲାଗି ସେ ପରାମର୍ଶ ଦେଇଥିଲେ।

ବୈଠକରେ ପୂର୍ବତଟ ରେଳବାଇର ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ କୌଶଳେନ୍ଦ୍ର ଖାଡ଼ଙ୍ଗା, ପିଆଇବିର ଉପ ନିର୍ଦ୍ଦେଶକ ଡ. ଗିରୀଶ ଚନ୍ଦ୍ର ଦାଶ, ଗଣ ଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ, ଏସ ପଟେଲ, ଭାରତୀୟ ସର୍ବେକ୍ଷଣ ବିଭାଗର ନିର୍ଦ୍ଦେଶକ କେ.ସି ଦାସ, ପୂର୍ବତଟ ରେଳବାଇ ଲୋକସମ୍ପର୍କ ଅଧିକାରୀ ବିକାଶ କୁମାର, ଗେଲ ଇଣ୍ଡିଆ ଲିମିଟେଡର ଡିଜିଏମ ଏନ. ମିଶ୍ର, ଓ୍ବାପକସ ଲିମିଟେଡର ଆର.ଡି ରାଓ, ଏନଆଇସି ଭୁବନେଶ୍ବରର ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ଏ. କେ. ପଣ୍ଡା, ପାରାଦୀପ ପୋର୍ଟ ଟ୍ରଷ୍ଟର ଏ. କେ. ବେହେରା, ରତିକାନ୍ତ ନାଗର, ପିଆଇବି ଭୁବନେଶ୍ବରର ସ୍ବାଧୀନ ଶକ୍ତିପ୍ରସାଦ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ବୈଠକରେ ଭାରତୀୟ ସୂଚନା ସେବା- 2019 ବ୍ୟାଚର ପ୍ରଶିକ୍ଷାର୍ଥୀ ଅଧିକାରୀ ସନ୍ତୋଷ ଭି., ମନଦୀପ କୁମାର, ଶୀନମ ଜୈନ ଓ ନିକିତା ଯୋଶୀ ମଧ୍ୟ ଯୋଗ ଦେଇଥିଲେ।

Leave A Reply

Your email address will not be published.