‘ଆଜାଦୀ କି ଅମୃତ ମହୋତ୍ସବ” ସମ୍ପର୍କୀତ ସାମ୍ବାଦିକ ସମ୍ମିଳନୀ
ଭୁବନେଶ୍ୱର : ଭାରତ ସରକାରଙ୍କ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଭୁବନେଶ୍ୱରସ୍ଥିତ ପତ୍ରସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ ଓଡିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆଜି କଟକଠାରେ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ଦ୍ୱାରା ଗଠିତ ଆଜାଦ୍ ହିନ୍ଦ୍ ସରକାରର ପ୍ରତିଷ୍ଠା ଦିବସ ଅବସରରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଏହି ଅବସରରେ ଉଦ୍ବୋଧନ ଦେଇ ଓଡିଶା ପ୍ରାନ୍ତର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ରାଜୀନ୍ଦର ଚୌଧୁରୀ କହିଥିଲେ ଯେ ଦେଶ ‘ଆଜାଦୀ କି ଅମୃତ ମହୋତ୍ସବ” ପାଳନ କରୁଛି ଯାହା ଆମର ସ୍ୱାଧୀନତା ସଂଗ୍ରାମୀଙ୍କର ତ୍ୟାଗ ଓ ବଳିଦାନକୁ ସ୍ମରଣ କରିବାକୁ ଉଦ୍ଦିଷ୍ଟ । ଭାରତର ସ୍ୱାଧୀନତା ସଂଗ୍ରାମରେ ନେତାଜୀଙ୍କ ଅବଦାନ ବିପୁଳ । ନେତାଜୀ ୧୯୪୩ ଅକ୍ଟୋବର ୨୧ରେ ଆଜାଦ୍ହିନ୍ଦ୍ ଫୌଜ ଗଠନ କରିଥିଲେ । ମୁକ୍ତି ସଂଗ୍ରାମ କାଳରେ ଏହି ବାହିନୀ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିଲା ।
ଶ୍ରୀ ଚୌଧୁରୀ ଏହି ଅବସରରେ ପାଳିତ ହେଉଥିବା ଆଜାଦି କି ଅମୃତ ମହୋତ୍ସବ ସମ୍ପର୍କରେ ସକାରାତ୍ମକ ଖବର ପ୍ରସାରଣରେ ଗଣମାଧ୍ୟମର ଭୂମିକା ଉପରେ ଗୁରୁତ୍ୱ ଦେଇଥିଲେ । ସେ କହିଥିଲେ, “ ଆମ ମୁକ୍ତି ସଂଗ୍ରାମୀମାନଙ୍କ ଅତୁଳନୀୟ ତ୍ୟାଗ ଓ ବଳିଦାନ ଯୋଗୁଁ ଆମକୁ ଏକ ସ୍ୱାଧୀନ ଭାରତ ମିଳିଛି । ଏ କ୍ଷେତ୍ରରେ ଗଣମାଧ୍ୟମର ଏକ ବଡ ଭୂମିକା ରହିଛି । ଏହା ଏହି ମୁକ୍ତି ସଂଗ୍ରାମୀମାନଙ୍କର ଅବଦାନ ସଂକ୍ରାନ୍ତ ଖବରକୁ ଅଧିକରୁ ଅଧିକ ପ୍ରଚାର ପ୍ରସାର କରିପାରିବ ଏବଂ ସେମାନଙ୍କୁ ଯଥାର୍ଥ ସ୍ୱୀକୃତି ପ୍ରଦାନ କରିବାରେ ସହାୟକ ହେବ ।”
ଓଡିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡକ୍ଟର ସୁରେଶଚନ୍ଦ୍ର ଦଳାଇ କହିଥିଲେ ଯେ ନେତାଜୀଙ୍କ ଜନ୍ମସ୍ଥାନ କଟକରେ ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜିତ କରିବା ବାସ୍ତବରେ ଏକ ଗର୍ବ ଓ ଗୌରବର ବିଷୟ । “ନେତାଜୀ ଦେଶର ଜଣେ ବିଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ଥିଲେ । ତାଙ୍କ ଦ୍ୱାରା ଗଢାଯାଇଥିବା ଆଜାଦ ହିନ୍ଦ୍ ଫୌଜ ଆମ ମୁକ୍ତି ସଂଗ୍ରାମକୁ ପ୍ରଚୁର ଅବଦାନ ଯୋଗାଇଥିଲା ।
ସେ ଆହୁରି କହିଥିଲେ, “ନେତାଜୀ ମହିଳା ସଶକ୍ତିକରଣ ଉପରେ ସର୍ବଦା ଗୁରୁତ୍ୱ ଦେଉଥିଲେ । ତାଙ୍କ ଆଜାଦ୍୍ ହିନ୍ଦ୍ ଫୌଜରେ ମହିଳାଙ୍କ ପାଇଁ “ରାଣୀ ଝାନ୍ସୀ ରେଜିମେଂଟ”ନାମରେ ଏକ ସ୍ୱତନ୍ତ୍ର ରେଜିମେଂଟ ଥିଲା । ଏଥିରେ ଓଡିଶାରୁ ବହୁ ଯୁବତୀ ସାମିଲ ହୋଇଥିଲେ । ନେତାଜୀ ସମତା ଉପରେ ଗୁରୁତ୍ୱ ଦେଉଥିଲେ । ତେଣୁ ମହିଳାମାନଙ୍କୁ ପୁରୁଷଙ୍କ ସହିତ ସବୁ କ୍ଷେତ୍ରରେ ସମାନ ସୁଯୋଗ ଅଧିକାର ଓ ମର୍ଯ୍ୟାଦା ପ୍ରଦାନର ସମୟ ଉପନୀତ ବୋଲି ସେ କହିଥିଲେ ।
ଏହି ମିଳିତ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ପିଆଇବିର ଉପନିର୍ଦ୍ଦେଶକ ଡକ୍ଟର ଗିରୀଶ ଚନ୍ଦ୍ର ଦାଶ, ମିଡିଆ ଓ ଯୋଗାଯୋଗ ଅଧିକାରୀ ପ୍ରଦୀପ ଚୌଧୁରୀ, ସଂସ୍କୃତି ବିଭାଗର ଉପସଚିବ ସଂଜୟ ମିଶ୍ର ତଥା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଅଧିକାରୀମାନେ ଭାଗ ନେଇଥିଲେ ।