ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର : ଜାନୁଆରୀ ୧ ତାରିଖ ୨୦୨୨’ ମସିହାକୁ ଯୋଗ୍ୟତାଭିତ୍ତିକ ତାରିଖ ଭାବେ ଗ୍ରହଣ କରି ଭାରତ ନିର୍ବାଚନ ଆୟୋଗ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକାର ସଂଶୋଧନ କାର୍ଯ୍ୟକ୍ରମ କରିବାକୁ ଯାଉଛନ୍ତି ବୋଲି ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

୨୦୨୧ ନଭେମ୍ବର ୧ ତାରିଖରେ ରାଜ୍ୟର ସମସ୍ତ ୩୭,୬୦୬ଟି ଭୋଟଗଣତି କେନ୍ଦ୍ର ସହ ୫୮ଟି ଉପଜିଲ୍ଲାପାଳ ତଥା ଭୋଟ ପଂଜୀକରଣ ଅଧିକାରୀ ଓ ୩୦ଟି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଡ୍ରାଫଟ୍‌ ଭୋଟର ତାଲିକା ପ୍ରକାଶ ପାଇବ । ଉପଜିଲ୍ଲାପାଳ ତଥା ଭୋଟ ପଂଜୀକରଣ ଅଧିକାରୀ ମାଗଣାରେ ସମସ୍ତ ଜାତୀୟ ଓ ରାଜ୍ୟସ୍ତରର ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ଡ୍ରାଫଟ୍‌ ଭୋଟର ତାଲିକାର କପି ପ୍ରଦାନ କରିବେ ଓ ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନେ ନିର୍ଦ୍ଧାରିତ ମୂଲ୍ୟ ଦେଇ ଭୋଟର ତାଲିକାର କପି ନେଇପାରିବେ ।

ଉଚିତ୍‌ ମୂଲ୍ୟ ଦେଇ ଏହାର ସଫଟ୍‌ କପି ମଧ୍ୟ ପିଡିଏଫ୍‌ ମାଧ୍ୟମରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ନେଇପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଭୋଟରମାନେ ମଧ୍ୟ ଏହାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ େୱବ୍‌ସାଇଟ୍‌ www.ceoorissa.nic.in ମାଧ୍ୟମରେ ଦେଖିପାରିବେ । ନାଗରିକମାନେ ଭୋଟର ତାଲିକାରେ ସେମାନଙ୍କର ନାମ ଯୋଗ ବା ବାଦ ଦେବା କିମ୍ବା ତ୍ରୁଟି ସଂଶୋଧନ ନିମନ୍ତେ ଦାବି ଓ ଆପତ୍ତି ସଂପୃକ୍ତ ଭୋଟ ପଂଜୀକରଣ ଅଧିକାରୀଙ୍କୁ ନିର୍ଦ୍ଧାରିତ ଫର୍ମ ମାଧ୍ୟମରେ ଜଣାଇପାରିବେ ।

ଏତଦ୍‌ବ୍ୟତୀତ ନାଗରିକମାନେ ମଧ୍ୟ ବୁଥ୍‌ସ୍ତରରେ ନିଯୁକ୍ତ ହୋଇଥିବା ବୁଥ୍‌ସ୍ତରୀୟ ଅଧିକାରୀ ସାଧାରଣତଃ ଶିକ୍ଷକ କିମ୍ବା ଅଙ୍ଗନୱାଡ଼ି କର୍ମୀ ଦାୟିତ୍ୱରେ ଥାଆନ୍ତି, ସେମାନଙ୍କୁ ମଧ୍ୟ ନିର୍ଦ୍ଧାରିତ ଫର୍ମ ପୂରଣ କରି ଦାବି ଓ ଆପତ୍ତି ସଂପର୍କରେ ନଭେମ୍ବର ୧ ତାରିଖଠାରୁ ନଭେମ୍ବର ୩୦ ତାରିଖ ମଧ୍ୟରେ ଜଣାଇପାରିବେ । ଏହାଛଡ଼ା ଭାରତ ନିର୍ବାଚନ ଆୟୋଗ ଅନ୍‌ଲାଇନ୍‌ ମାଧ୍ୟମରେ ଏକ ନାଗରିକ ଅନୁକୂଳ ଆପ୍‌ ଭୋଟର ହେଲପ୍‌ଲାଇନ୍‌ Voter Help Line App H nvsp.in App ପ୍ରଚଳନ କରିଛନ୍ତି ।

ଏହି ଆପ୍‌ ଆନ୍‌ଡ୍ରଏଡ୍‌ ଫୋନ୍‌ର ପ୍ଲେଷ୍ଟୋରରୁ ଓ ଆଇଓଏସ୍‌/ଆପଲ୍‌ ଆଇ ଫୋନ୍‌ର ଆପ୍‌ ଷ୍ଟୋରରୁ ଡାଉନ୍‌ଲୋଡ଼ କରିପାରିବେ । ଭୋଟର ତାଲିକାରେ ନୂତନ ଭାବେ ନାମ ପଂଜୀକରଣ ନିମନ୍ତେ ଫର୍ମ ନଂ-୬, ଭୋଟର ତାଲିକାରୁ ନାମ ବାଦ ଦେବା ନିମନ୍ତେ ଫର୍ମ ନଂ-୭ ଓ ଭୋଟର ତାଲିକାରେ ନାମ, ଠିକଣା ଓ ବୟସ ଇତ୍ୟାଦିରେ ତ୍ରୁଟି ଥିଲେ ଫର୍ମ ନଂ-୮ରେ ଆବେଦନ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ଗୋଟିଏ ନିର୍ବାଚନ ମଣ୍ଡଳୀ ମଧ୍ୟରେ ଅନ୍ୟ ଏକ ସ୍ଥାନ ପରିବର୍ତ୍ତନ କରିବାକୁ ହେଲେ ଫର୍ମ ନଂ-୮(କ)ରେ ଆବେଦନ କରିବାକୁ ହେବ । ନିର୍ଦ୍ଧାରିତ ଆପ୍‌ ଡାଉନ୍‌ଲୋଡ୍‌ କରିସାରିବା ପରେ ଫର୍ମ ପୂରଣ କରିବାକୁ ହେବ ଓ ସଠିକ୍‌ ବାସସ୍ଥାନ ଠିକଣା ନିମନ୍ତେ ବିଦୁ୍ୟତ ବିଲ୍‌/ଟେଲିଫୋନ୍‌ ବିଲ୍‌/ଜମିଜମା ଦସ୍ତାବିଜ୍‌ର ସ୍କାନ୍‌ କପି ଅପ୍‌ଲୋଡ୍‌ କରିବାକୁ ହେବ ।

ସେହିପରି ଜନ୍ମତାରିଖ ପ୍ରମାଣିତ କରିବା ନିମନ୍ତେ ଜନ୍ମ ପ୍ରମାଣପତ୍ର/ ପାସ୍‌ପୋର୍ଟ/ ପ୍ୟାନ୍‌କାର୍ଡ/ ମାଟ୍ରିକ୍‌ ସାର୍ଟିଫିକେଟ୍‌/ ଡ୍ରାଇଭିଂ ଲାଇସେନ୍ସର ସ୍କାନ୍‌ କପି ସହ ପାସ୍‌ପୋର୍ଟ ସାଇଜ୍‌ ଫଟୋ ଅପ୍‌ଲୋଡ୍‌ କରିବାକୁ ହେବ । ଏଥିରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ନାଗରିକ ନିଜେ ନିଜର ଫର୍ମ ପୂରଣ କରୁଥିବାରୁ ତ୍ରୁଟିଶୂନ୍ୟ ଭୋଟର ତାଲିକା ବା ଫଟୋ ପରିଚୟ ପତ୍ର ହୋଇପାରିବ । ଉଭୟ ଇଂରାଜୀ ଓ ଓଡ଼ିଆରେ ନିଜର ନାମ, ଠିକଣା ଓ ବୟସ ଇତ୍ୟାଦି ଭୋଟର ପରିଚୟ ପତ୍ର ଓ ଭୋଟର ତାଲିକାରେ ତ୍ରୁଟିଶୂନ୍ୟ ହୋଇପାରିବ ।

ରାଜ୍ୟର ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଓ ଭୋଟ ପଂଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳମାନଙ୍କୁ ନେଇ ତା. ୨୯/୧୦/୨୦୨୧ରେ ମୁଖ୍ୟ ନିର୍ବାଚନ ଅଧିକାରୀ ଏକ ଭର୍ଚୁଆଲ୍‌ ବୈଠକ କରିଥିଲେ । ଏହି ବୈଠକରେ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକାର ସଂଶୋଧନ କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଜିଲ୍ଲାସ୍ତରରେ ସମସ୍ତ ରାଜନୈତିକ ଦଳମାନଙ୍କ ସହ ବୈଠକ କରାଯାଇ ବୁଥ୍‌ସ୍ତରରେ ବୁଥ୍‌ସ୍ତରୀୟ ଏଜେଣ୍ଟ ନିଯୁକ୍ତି କ୍ଷେତ୍ରରେ ସହାୟତା ନିଆଯିବ ।

ବୁଥ୍‌ସ୍ତରୀୟ ଏଜେଣ୍ଟମାନେ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତିରେ ଭୋଟ ପଂଜୀକରଣ ଅଧିକାରୀଙ୍କୁ ସହାୟତା କରିବେ, ଯେପରି ଜଣେ ଯୋଗ୍ୟ ଭୋଟର ବାଦ୍‌ ନ ପଡ଼ନ୍ତି । ଏଥି ନିମନ୍ତେ ନଭେମ୍ବର ମାସର ପ୍ରଥମ ଓ ତୃତୀୟ ରବିବାର ଅର୍ଥାତ୍‌ ନଭେମ୍ବର ୭ ତାରିଖ ଓ ନଭେମ୍ବର ୨୧ ତାରିଖରେ ସବୁ ବୁଥ୍‌ରେ ‘ସ୍ୱତନ୍ତ୍ର ଅଭିଯାନ’ ଆରମ୍ଭ ହେବ । ଉକ୍ତ ଦିନ ବୁଥ୍‌ସ୍ତରୀୟ ଅଧିକାରୀମାନେ ସକାଳ ୧୦ଟାଠାରୁ ଅପରାହ@ ୫ ଘଟିକା ପର୍ଯ୍ୟନ୍ତ ଉପସ୍ଥିତ ରହି ନାଗରିକମାନଙ୍କର ଆପତ୍ତି ଅଭିଯୋଗ ଗ୍ରହଣ କରିବେ ।

ଏହି କାର୍ଯ୍ୟକ୍ରମକୁ ତଦାରଖ କରିବା ନିମନ୍ତେ ରାଜ୍ୟ ସରକାରଙ୍କର ୯ ଜଣ ବରିଷ୍ଠ ଅଧିକାରୀଙ୍କୁ ରୋଲ୍‌ ଅବଜରଭର ଭାବେ ନିଯୁକ୍ତ କରାଯାଇଛି । ରୋଲ୍‌ ଅବଜରଭର୍‌ମାନେ ଜିଲ୍ଲାକୁ ଜିଲ୍ଲା ଗସ୍ତ କରି ଏ ସମସ୍ତ କାର୍ଯ୍ୟର ତଦାରଖ କରି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଜଣାଇବେ । ଡିସେମ୍ବର ୨୦ ତାରିଖ ସୁଦ୍ଧା ସମସ୍ତ ଆପତ୍ତି ଅଭିଯୋଗଗୁଡ଼ିକର ଫଏସଲା ହେବ ଓ ଚୂଡାନ୍ତ ଭୋଟର ତାଲିକା ୨୦୨୨ ଜାନୁଆରୀ ୫ ତାରିଖରେ ପ୍ରକାଶ ପାଇବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି ।

ଭୋଟରମାନଙ୍କ ଘରକୁ ଭୋଟ ପରିଚୟ ପତ୍ର ସ୍ପିଡ୍‌ପୋଷ୍ଟ ମାଧ୍ୟମରେ ପଠାଇବା ନିମନ୍ତେ ଭାରତ ନିର୍ବାଚନ ଆୟୋଗ ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥି ନିମନ୍ତେ ଫର୍ମ ପୂରଣ ସମୟରେ ସଠିକ୍‌ ଡାକ ଠିକଣା ସହ ଏକକ ମୋବାଇଲ୍‌ ନମ୍ବର ଦେବାକୁ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.