ମୁଖ୍ୟମନ୍ତ୍ରୀ ନା ମୁଖ୍ୟଯନ୍ତ୍ରୀ: କିଏ ଏଠି ଶାସନ ମୁଖ୍ୟ?

ଭୁବନେଶ୍ୱର : ଆମ ଦେଶରେ ଅମଲାତାନ୍ତ୍ରିକ ଅହଙ୍କାର ଓ ଦାଓପେଞ୍ଚ ବିଷୟରେ ଅନେକ ସମୟରେ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବରମାନ ପ୍ରସାରଣ ହେଉଛି। ସଂଷଦ ଓ ବିଧାନସଭାରେ ଯେତେ ଲୋକାଭିମୁଖୀ ଆଇନ ହେଲେ ମଧ୍ୟ, ତା’ର ସୁଫଳ ଯେ ସମାଜର ତଳ ସ୍ତରର ଲୋକମାନଙ୍କ ପାଖରେ ସଠିକ ଭାବରେ ପହଞ୍ଚୁନାହିଁ, ଏ’କଥା ପଞ୍ଚାୟତଠୁ ପାର୍ଲିଆମେଣ୍ଟ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ ହେଇ ଆସୁଛି। ବାଡ଼ ଯଦି କ୍ଷେତ ଖାଇବ, କିଏ ଏଠି କାହାକୁ ଜଗିବ?

ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚିତ ପ୍ରତ୍ୟେକ ସରକାରର ପ୍ରାଥମିକତା ସମସ୍ତ ଜନସାଧାରଣଙ୍କର ନିଶ୍ଚିତ ବିକାଶ ହେଉ ଏବଂ ସରକାର ଅଧିକରୁ ଅଧିକ ଲୋକପ୍ରିୟ ହେଉ। ଏହିଭଳି ଦେଶ ସ୍ଵାଧୀନ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ସମସ୍ତ ନିର୍ବାଚିତ ସରକାର ଅନେକ ଲୋକହିତକର ଐତିହାସିକ ପଦକ୍ଷେପ ମାନ ନେଇଛନ୍ତି।

ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଦୀର୍ଘ ସରକାର ସମୟରେ ଅନେକ ଲୋକାଭିମୁଖୀ ପଦକ୍ଷେପ ନିଆଯାଇଛି। ଅନେକ ବ୍ୟୟବରାଦ ହେଉଛି। ଅନେକ ପ୍ରାଶାସନିକ ସଂସ୍କାର କାର୍ଯ୍ୟକ୍ରମ ମଧ୍ୟ ଅବ୍ୟାହତ ରହିଛି, କିନ୍ତୁ ଅତ୍ୟନ୍ତ ବିଡ଼ମ୍ଵନାର ବିଷୟ ଅନେକ ସମୟରେ କିଛି ମୁଷ୍ଟିମେୟ କର୍ମଚାରୀ ଓ ଅଧିକାରୀଙ୍କ ନ୍ୟସ୍ତ ସ୍ଵାର୍ଥ ଦାଓପେଞ୍ଚ ଯୋଗୁଁ ଏହାର ସଠିକ କାର୍ଯ୍ୟକାରୀ ହୋଇପାରୁନାହିଁ। ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିଲା ପରି, ଯଦି ଗୋଟିଏ ସରକାରୀ ଯୋଜନା ଓ ଏହାର କାର୍ଯ୍ୟକାରିତାର ଉଦାହରଣ ନିଆଯାଏ, ତା’ହେଲେ ଏଇଥିରୁ ସହଜରେ ବୁଝି ହେବ ସରକାରୀ ଅଧିକାରୀଙ୍କ କାର୍ଯ୍ୟ ନିଷ୍ଠା, ସଂହତି ଓ ସାଧୁତା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଵୟଂ ଟୁଇଟ ବାର୍ତ୍ତା ଜରିଆରେ ରାଜ୍ୟବାସିଙ୍କ ଉଦ୍ଦେଶ୍ୟରେ ଜଣେଇଲେ ଯେ ଏଣିକି ଆମ ରାଜ୍ୟରେ ଅବସ୍ଥିତ ସମସ୍ତ କେନାଲ ଗୁଡ଼ିକରେ ଜଳ ପ୍ରବାହକୁ ବନ୍ଦ ନକରି ଅତ୍ୟାଧୁନିକ ଜର୍ମାନୀ ଜ୍ଞାନ କୌଶଳ ଆଧାରରେ, ଏହି ସବୁ କେନାଲ ଗୁଡ଼ିକ ମରାମତି କରାଯିବ। ଆପଣଙ୍କୁ ଏଇଠି ସୁଚେଇ ଦେବାକୁ ଚାହୁଁ, ଆମରାଜ୍ୟର ପ୍ରତ୍ୟେକ କେନାଲରେ ନିରନ୍ତର ପ୍ରବାହିତ ଜଳ ଲକ୍ଷ ଲକ୍ଷ ଚାଷୀଙ୍କର ଚାଷ କାର୍ଯ୍ୟରେ ବ୍ୟବହୃତ ହୁଏ, ଲକ୍ଷ ଲକ୍ଷ ଲୋକ ପ୍ରତ୍ୟେହ ପାନୀୟ ଜଳ ଭାବେ ବ୍ୟବହାର କରନ୍ତି ଏବଂ ପ୍ରତ୍ୟେକ ଦିନ ହଜାର ହଜାର ଶିଳ୍ପ ପ୍ରତିଷ୍ଠାନ ମଧ୍ୟ ବ୍ୟବହାର କରିଥାନ୍ତି।

ପୁରୁଣା Cement Concrete Lining ପଦ୍ଧତିରେ କେନାଲ ବନ୍ଧବାଡ଼ ମରାମତି କରିବାକୁ ହେଲେ, ସାମୟିକ ଭାବେ କେନାଲରେ ଜଳ ପ୍ରବାହ ବନ୍ଦ କରିବା ନିହାତି ଜରୁରୀ। କିନ୍ତୁ କେନାଲରେ ଜଳ ପ୍ରବାହ ବନ୍ଦହେଲେ ଚାଷ କାର୍ଯ୍ୟ, ପାନୀୟ ଜଳ ଆବଶ୍ୟକତା ଏବଂ ଶିଳ୍ପ ପ୍ରତିଷ୍ଠାନ ଭୟଙ୍କର ଭାବେ ପ୍ରବାହିତ ହେବ ଯାହା ଭୟଙ୍କର ସାମାଜିକ ଓ ଅର୍ଥନୈତିକ ସମସ୍ୟା ସୄଷ୍ଟି କରିବ। ସମୟ ସମୟରେ ମଧ୍ୟ ଆଇନଶୄଙ୍ଖଳା ପରିସ୍ଥିତି ଅଣାୟତ୍ତ ହେବା ନଜିର ଅଛି।

ତେଣୁ ଏହି ସବୁ ସମସ୍ୟାକୁ ଦୄଷ୍ଟିରେ ରଖି ଏବଂ କେନାଲ ବନ୍ଧବାଡ଼ ଜରୁରୀ ମରାମତି ଆବଶ୍ୟକତାକୁ ଅନୁଭବ କରି ନିଜେ ସ୍ଵୟଂ ମୁଖ୍ୟମନ୍ତ୍ରୀ ମହୋଦୟ ଜୁଲାଇ ତା ୧୬ ରିଖ ଦିନ ଟୁଇଟ୍ କରି ଅତ୍ୟାଧୁନିକ ଜର୍ମାନୀ ଜ୍ଞାନ କୌଶଳ ଅନୁସାରେ ମରାମତି କରିବା ପାଇଁ ଘୋଷଣା କଲେ। ହାଇପାଓ୍ଵାର କ୍ୟାବିନେଟ କମିଟି ମଧ୍ୟ ଅନୁମୋଦନ କଲେ। ସେଥିପାଇଁ ସମସ୍ତ ବିଭାଗୀୟ ପ୍ରକ୍ରିୟା ସମ୍ପର୍ଣ୍ଣ ହେବା ସହିତ ଆବଶ୍ୟକୀୟ ଅର୍ଥରାଶି ମଧ୍ୟ ବ୍ୟବସ୍ଥା ହେଲା। ଯାହା ଜଳସମ୍ପଦ ବିଭାଗୀୟ ଅନୁମୋଦନ ପତ୍ର ସଂଖ୍ୟା ୧୫୩୮୪, ତା ୨୪ ରିଖ, ଜୁନ୍ ମାସ ୨୦୨୧, ମାଧ୍ୟମରେ ଜଳସମ୍ପଦ ସର୍ବୋଚ୍ଚଯନ୍ତ୍ରୀଙ୍କୁ କାର୍ଯ୍ୟକାରୀ ନିମନ୍ତେ ଅବଗତି କରାଗଲା।

ମୁଖ୍ୟମନ୍ତ୍ରୀ, କ୍ୟାବିନେଟ ଓ ବିଭାଗୀୟ ଅନୁମୋଦନ ସତ୍ତ୍ୱେ, ଗତ ତା ୧୬ ରିଖ, ନଭେମ୍ବର ମାସ ୨୦୨୧ ମସିହା, ମୁଖ୍ୟଯନ୍ତ୍ରୀ – ବୁର୍ଲା ଟେଣ୍ଡର ସଂଖ୍ୟା ୨୨ ଅନୁଯାୟୀ -ବରଗଡ଼ ସାସନ କେନାଲ ମରାମତି କାର୍ଯ୍ୟ ପୁରୁଣା ପଦ୍ଧତିରେ ଯଥା କେନାଲରେ ଜଳ ପ୍ରବାହକୁ ବନ୍ଦ କରି କରାଯିବ ବୋଲି ପ୍ରକାଶ ପାଇଛି। ଯାହା ସାଧାରଣ ଜନତା, ଚାଷୀ ଏବଂ ସ୍ଥାନୀୟ ଶିଳ୍ପାନୁଷ୍ଠାନ ମାନଙ୍କର ବିପୁଳ ଅର୍ଥନୈତିକ ସମସ୍ୟା ସୄଷ୍ଟି ହେବା ସହିତ ସ୍ଥାନୀୟ ଅଧିବାସୀ ମାନେ ପାନୀୟ ଜଳ ବିନା ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବେ ଏବଂ ତତ୍ ଜନିତ ଆଇନଶୃଙ୍ଖଳା

ପରିସ୍ଥିତି ମଧ୍ୟ ଉପୁଜିପାରେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ସାସନ କେନାଲ ମରାମତି ପାଇଁ, ହିରାକୁଦ ଜଳଭଣ୍ଡାରରୁ କେନାଲକୁ ଥରେ ଜଳ ପ୍ରବାହ ବନ୍ଦ କଲେ ଗୋଟିଏ କୃଷି ଋତୁ ପିଛା ଓଡ଼ିଶାର ଚାଷୀମାନେ ହାରାହାରି ୩୦୦୦ କୋଟି ଟଙ୍କା ହରାଇଥାନ୍ତି। ଯାହାକି ସ୍ଥାନୀୟ ଚାଷୀମାନଙ୍କ ସହିତ ଆଲୋଚନା ଓ କ୍ଷୟକ୍ଷତିକୁ ଆକଳନ କରି ପୁର୍ବତନ ମୁଖ୍ୟଯନ୍ତ୍ରୀ – ବୁର୍ଲା ତଥା ଅପର ମହାନଦୀ ବେସିନ ପରିଚାଳକ ତାଙ୍କର ପତ୍ର ସଂଖ୍ୟା ୩୬୮, ତା ୨୭ ରିଖ ଜାନୁଆରୀ ମାସ ୨୦୨୧ ଜରିଆରେ ସର୍ବୋଚ୍ଚ ଯନ୍ତ୍ରୀ – ଜଳସମ୍ପଦଙ୍କୁ ସୁଚନା ଦେଇଥିଲେ।

ଏହା ବାଦ୍ ପାନୀୟ ଜଳ ସମସ୍ୟା ଜଟିଳ ପରିସ୍ଥିତି ହେବା ସହିତ ଶିଳ୍ପ ସଂସ୍ଥା ମାନଙ୍କର କ୍ଷୟକ୍ଷତି ହିସାବ କଲେ ସରକାର ହଜାର ହଜାର କୋଟି ଟଙ୍କା ରାଜସ୍ବ ହରେଇବେ। ସରକାର ଗ୍ରାମ ପଞ୍ଚାୟତ ଓ ମ୍ୟୁନିସପାଲିଟି ନିର୍ବାଚନ ପାଇଁ ସଜବାଜ ହେଉଥିବା ବେଳେ, ମୁଖ୍ୟଯନ୍ତ୍ରୀଙ୍କ ମେରିରାୟ ନୀତି ବାଟରେ କଣ୍ଟା ହେଇପାରେ ବୋଲି ସାଧାରଣରେ ଭୀଷଣ ଆଲୋଚନା ହେଉଛି। ଏହା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଅଶାନ୍ତିର କାରଣ ମଧ୍ୟ ହୋଇସାରିଛି ଏବଂ ଅନେକ ସଚେତନ ନାଗରିକ, ବୁଦ୍ଧିଜୀବୀ ତଥା ସାମାଜିକ କର୍ମୀ ବିଭିନ୍ନ ଫୋରମରେ ଅନେକ ଅଭିଯୋଗ କରିଥିବା ଖବର ମଧ୍ୟ ସପ୍ରମାଣ ଆମର ହସ୍ତଗତ ହୋଇଛି।

ପ୍ରଚଳିତ ପ୍ରାଶାସନିକ ବ୍ୟବସ୍ଥା ଅନୁଯାୟୀ, ମୁଖ୍ୟଯନ୍ତ୍ରୀଙ୍କ ଉପରେ ସର୍ବୋଚ୍ଚଯନ୍ତ୍ରୀ, ସଚିବ ଓ ମନ୍ତ୍ରୀ ଥାଉ ଥାଉ ମୁଖ୍ୟଯନ୍ତ୍ରୀଙ୍କର ଏଭଳି ବହପ ପଛରେ କାହାର ଲୁକ୍କାୟିତ ନ୍ୟସ୍ତ ସ୍ଵାର୍ଥ ଜଡ଼ିତ? ଏହାଦ୍ବାରା ଜନସାଧାରଣଙ୍କ କେଉଁ ହିତ ସାଧନ ହେବ? ସରକାରଙ୍କ କେତେ ରାଜସ୍ବ ବଢ଼ିବ? ସରକାର କେଉଁ ଲୋକପ୍ରିୟତା ଅର୍ଜନ କରିବେ?

ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, କ୍ୟାବିନେଟ ଅନୁମୋଦନ, ବିଭାଗୀୟ ଅନୁମୋଦନ ଏବଂ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ମୁଖ୍ୟଯନ୍ତ୍ରୀ କେଉଁ କ୍ଷମତା ଆଧାରରେ ଅବା କାହା ସ୍ଵାର୍ଥରେ ନିଜ ମନମୁତାବକ ପୁରୁଣା ପଦ୍ଧତି ଆପଣେଇ ଶହ ଶହ କୋଟି ଟଙ୍କା ପାଣିରେ ଭସେଇବା ପାଇଁ ଯୋଜନା କରୁଛନ୍ତି। ଏହା କ୍ଷମତାନ୍ଧ ଅହଙ୍କାରୀ ଅମଲାତାନ୍ତ୍ରିକ ହରିଲୁଟ୍ ବିଷୟରେ ସୁଚେଇ ଦେଉନାହିଁ କି?

ମୁଖ୍ୟମନ୍ତ୍ରୀଙ୍କ ପୁର୍ବ ନିଷ୍ପତ୍ତି ଅନୁଯାୟୀ ଯେପରି ଅତ୍ୟାଧୁନିକ ଜ୍ଞାନ କୌଶଳ ଦ୍ଵାରା ଯୋଜନାର ସଫଳ କାର୍ଯ୍ୟକାରୀ ହୋଇ ପାରିବ ସେଥିପାଇଁ ସ୍ଵୟଂ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ଏହାକୁ ଅନୁଧ୍ୟାନ କରିବା ସହିତ ସ୍ଥାନୀୟ ଜନସାଧାରଣ ଓ ଚାଷୀଙ୍କୁ ଅର୍ଥନୈତିକ ସୁରକ୍ଷା ଦିଅନ୍ତୁ ଏବଂ ସାଧାରଣରେ ଯେପରି କୌଣସି ଆଇନଶୃଙ୍ଖଳା ପରିସ୍ଥିତି ସୄଷ୍ଟି ନହେବ ସେଥିପାଇଁ ବିଭାଗୀୟ ଅଧିକାରୀଙ୍କୁ କଠୋର ନିର୍ଦ୍ଦେଶ ଦିଅନ୍ତୁ ବୋଲି ଜନସାଧାରଣରେ ଦାବି ହେଉଛି।

ଏସମ୍ଵନ୍ଧରେ ଆମେ ସଂପୃକ୍ତ ମୁଖ୍ୟଯନ୍ତ୍ରୀ ଶ୍ରୀ ଆନନ୍ଦ ଚନ୍ଦ୍ର ସାହୁଙ୍କୁ ଯୋଗାଯୋଗ କରି ମତାମତ ଜାଣିବା ପାଇଁ ବାରମ୍ବାର ଚେଷ୍ଟା କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ମତାମତ ପାଇପାରିନାହୁଁ।

Leave A Reply

Your email address will not be published.