ଅବକାରୀ ଧରପଗଡର ସମୀକ୍ଷା କଲେ ରାଜ୍ୟ ଅବକାରୀ କମିଶନର

ଭୁବନେଶ୍ୱର : ରାଜ୍ୟ ଅବକାରୀ କମିଶନର ଆଶିଷ କୁମାର ସିଂହ ଆଜି ବିଭାଗ ପକ୍ଷରୁ ଚଳାଯାଉଥିବା ଅବକାରୀ ଧରପଗଡ ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି । ସମୀକ୍ଷାରୁ ଜଣାଯାଇଛି ଯେ ଚଳିତ ବର୍ଷ ନଭେମ୍ବର ଶେଷ ସୁଦ୍ଧା ରାଜ୍ୟରେ ୧୦୩୭କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ କରାଯାଇ ସାରିଲାଣି । ରାଜ୍ୟର ୭ଟି ଜିଲ୍ଲାରେ ୮୬୮୬ ଏକର ଜମିରେ ଥିବା ଏହି ଗଞ୍ଜେଇ ଗଛକୁ ଅବକାରୀ ବିଭାଗ ପକ୍ଷରୁ ଠାବ କରାଯିବା ସହିତ ତାହାକୁ ନଷ୍ଟକରି ଦିଆଯାଇଛି । ସେହିଭଳି ଏହି ସମୟ ମଧ୍ୟରେ ବ୍ୟାପକ ପରିମାଣର ବ୍ରାଉନସୁଗାର, ଅଫିମ, ନକଲି ବିଦେଶୀ ମଦ, ଦେଶୀ ମଦ, ମଦପ୍ରସ୍ତୁତ ସାମଗ୍ରୀ ସହିତ ଗାଡିମୋଟର ଆଦି ଜବତ ବି ହୋଇଛି ।

ଅବକାରୀ କମିଶନର କରିଥିବା ସମୀକ୍ଷାରୁ ଜଣାଯାଇଛି ଯେ ରାଜ୍ୟର ୭ଟି ଜିଲ୍ଲା ବୌଦ, ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରୁ ବିଭାଗ ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟ କରିଛି । ଏହିସବୁ ଜିଲ୍ଲାରେ ୮୬୮୬ ଏକର ଜମିରେ ଥିବା ୧,୦୩,୭୪,୫୭୩ଟି ଗଞ୍ଜେଇ ଗଛ ନଷ୍ଟ କରାଯାଇଛି ଯାହାର ଆନୁମାନିକ ମୂଲ୍ୟ ୧୦୩୭,୪୫,୭୩,୦୦୦ ଟଙ୍କା ହେବ ।

ସବୁଠାରୁ ଅଧିକ ୫୩ଲକ୍ଷ ୨୧ହଜାର ଗଞ୍ଜେଇ ଗଛ କନ୍ଧମାଳ ଜିଲ୍ଲାରେ ନଷ୍ଟ କରାଯାଇଥିବାବେଳେ ମାଲକାନଗିରିରେ ୩୨,୭୩,୭୦୦ ଗଛ, ଗଜପତିରେ ୧୪,୪୪,୪୮୦, କେରାପୁଟରେ ୨,୭୫,୮୯୦, ରାୟଗଡାରେ ୪୩,୦୦୦, ବୌଦରେ ୧୬,୨୫୦ ଓ କଳାହାଣ୍ଡି ଜିଲ୍ଲାରେ ମାତ୍ର ୨୫୩ଟି ଗଞ୍ଜେଇ ଗଛ ନଷ୍ଟ ହୋଇଛି । କନ୍ଧମାଳ ଜିଲ୍ଲାରେ ସର୍ବାଧିକ ୪୩୨୧ ଏକର ଜମିରୁ ଗଞ୍ଜେଇ ଗଛ ନିଶ୍ଚିହ୍ନ କରାଯାଇଥିବାବେଳେ ମାଲକାନଗିରିୋର ୨୨୦୪ଏକର, ଗଜପତିରେ ୭୨୨.୨୪ଏକର, କୋରାପୁଟରେ ୨୨୯.୬ଏକର, ବୌଦରେ ୧୬୬.୨୫ଏକର ଓ ରାୟଗଡା ଜିଲ୍ଲାରେ ୪୩ଏକର ଜମିରେ ଗଞ୍ଜେଇଗଛ ନଷ୍ଟ ହୋଇଛି ।

ଅବକାରୀ କମିଶନର କରିଥିବା ସମୀକ୍ଷାରୁ ଜଣାଯାଇଛି ଯେ ବିଭାଗ ପକ୍ଷରୁ ଗତ ୧୧ମାସ ମଧ୍ୟରେ ହୋଇଥିବା ବ୍ୟାପକ ଚଢଉ ସମୟରେ ସମଗ୍ର ରାଜ୍ୟରେ ୫୦୪୦ ଲିଟର ନକଲି ବିଦେଶୀ ମଦ, ୧୮୨୨ ଲିଟର ଟିକସ ଫାଙ୍କି ହୋଇଥିବା ବିଦେଶୀ ମଦ, ୩୪୫୭ଲିଟର ସ୍ପିରିଟ୍‍, ୧୬,୯୪୩ କିଲୋ ଗଞ୍ଜେଇ, ୭.୬ କିଲୋ ଅଫିମ, ୮୫୮୦ଗ୍ରାମ ବ୍ରାଉନସୁଗାର, ୫୧୯ ଲିଟର କଫ ସିରପ ଜବତ ହୋଇଛି ।

ଏହି କାରବାରରେ ସମ୍ପୃକ୍ତି ବ୍ୟକ୍ତିଙ୍କ ଠାରୁ ୧୪୦୬ଟି ଗାଡିମୋଟର ଜବତ ହୋଇଥିବାବେଳେ ଏଥି ମଧ୍ୟରେ ଦୁଇଚକିଆ, ତିନି ଚକିଆ, କାର୍‍ ଓ ଟ୍ରକ ଆଦି ରହିଛି । ଏହି ସମସ୍ତଜବତ ସାମଗ୍ରୀର ମୂଲ୍ୟ ୮୯କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ସେହିଭଳି ଏହି ୧୧ମାସ ମଧ୍ୟରେ ୨୫,୫୩୪ଟି ଅବକାରୀ ସଂକ୍ରାନ୍ତୀୟ ମାମଲା ରୁଜୁ ହୋଇଥିବାବେଳେ ୧୯,୩୯୫ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି ।

ଜିଲ୍ଲା ଅବକାରୀ ସୁପରିଟେଣ୍ଡଣ୍ଟମାନଙ୍କ ସହିତ ହୋଇଥିବା ଏହି ଭର୍ଚୁଆଲ ସମୀକ୍ଷା ବୈଠକରେ ଅବକାରୀ କମିଶନର ଶ୍ରୀ ସିଂହ ଚଢାଉକୁ ଆହୁରି ବ୍ୟାପକ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଯେଭଳି କୌଣସି ନକଲି କିମ୍ବା ଟିକସଫାଙ୍କି ବିଦେଶୀ ମଦ କାରବାର ନହୁଏ ତାହା ଉପରେ କଡା ନଜର ରଖିବାପାଇଁ ଅବକାରୀ ସୁପରିଟେଣ୍ଡଣ୍ଟମାନଙ୍କୁ କୁହାଯାଇଛି । ସେହିଭଳି ବେଆଇନ୍‍ ନିଶାକାରର ମୂଳୋତ୍ପାଟନ ସହିତ ଗଞ୍ଜେଇ ଓ ବ୍ରାଉନସୁଗାର ବିରୁଦ୍ଧରେ ସ୍ୱତନ୍ତ୍ର ଅଭିଯାନ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରତି ସପ୍ତାହରେ ସବଇନ୍ସପେକ୍ଟରମାନେ ମଦ ଦୋକାନଗୁଡିକର ଅନୁଧ୍ୟାନ କରିବା ସହିତ ୧୫ ଦିନରେ ଥିରେ ଇନ୍ସପେକ୍ଟର ଓ ମାସକୁ ଥରେ ଅବକାରୀ ସୁପରିଟେଣ୍ଡଣ୍ଟମାନେ ଅନୁଧ୍ୟାନ କରି ନିର୍ଦ୍ଦେଶାଳୟକୁ ରିପୋର୍ଟ ପ୍ରଦାନ କରିବେ । ବିଭିନ୍ନ ମଦର ନମୂନା ସଂଗ୍ରହ ସହିତ ଏହାର ବ୍ୟାପକ ପରୀକ୍ଷା ପାଇଁ ମଧ୍ୟ କୁହାଯାଇଛି । ଗଞ୍ଜେଇ ଚାଷ ହେଉଥିବା ଜିଲ୍ଲାଗୁଡିକ ଉପରେ ସ୍ୱତନ୍ତ୍ର ନଜର ସହିତ ଏହାକୁ ସମୂଳେ ନଷ୍ଟ କରିବା ଏବଂ ଏହି ଚାଷରେ କେଉଁ କେଉଁମାନେ ଜଡିତ ଅଛନ୍ତି ତାହାର ସୂଚନା ସଂଗ୍ରହ କରି ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ ପାଇଁ ଅବକାରୀ କମିଶନର ଶ୍ରୀ ସିଂହ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରିଛନ୍ତି ।

ସମୀକ୍ଷାରୁ ଆହୁରି ଜଣାପଡିଛି ଅବକାରୀ ବିଭାଗର କାର୍ଯ୍ୟାନୁଷ୍ଠାନରେ ଯେ ଚଳିତମାସ ୨୩ତାରିଖ ଦିନ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ଥାନା ଅର୍ନ୍ତଗତ ସିମାନବାଡି ଅଞ୍ଚଳରୁ ସର୍ବାଧିଖ ୧୨୫୦ କିଲୋ ଗଞ୍ଜେଇ ଜବତ ହୋଇଛି । ଏହି ଚଢାଉରେ ବ୍ରହ୍ମପୁର ଅବକାରୀ ବିଭାର ଅଧିକାରୀମାନେ ସାମିଲ ଥିଲେ । ସେହିଭଳି ମାଲକାନଗିରି ଜିଲ୍ଲା କାଲିମେଳା ଇଲାକାରୁ ୫୮.୨୫ ଲିଟର ବିଦେଶୀ ମଦ ଜବତ ହୋଇଥିବାବେଳେ ବାଲେଶ୍ୱର ଜିଲ୍ଲାରୁ ୭୦ ଲିଟର ନକଲି ବିଦେଶୀ ମଦ ଜବତ ହୋଇଛି ।

Leave A Reply

Your email address will not be published.