୨୦୨୧ରେ ଅବକାରୀ ଧରପଗଡ : ୩୪ହଜାରରୁ ଅଧିକ ମାମଲା : ଗିରଫ ହୋଇଛନ୍ତି ୨୮,୪୨୭ଜଣ

ଭୁବନେଶ୍ୱର : ଅବକାରୀ ବିଭାଗର ବ୍ୟାପକ ଧରପଗଡ ଯୋଗୁଁ ୨୦୨୧ ରେ ନିଶା କାରବାର ଅଭିଯୋଗରେ ୨୮,୪୨୭ଜଣ ବ୍ୟକ୍ତି ବନ୍ଧା ହୋଇଥିବାବେଳେ ୩୪ହଜାରରୁ ଅଧିକ ମାମଲା ରୁଜୁ ହୋଇଛି । ଏହି ସମୟରେ ଅବକାର ୀବିଭାଗ ପକ୍ଷରୁ ୧୯୨୦ଟି ଗାଡିମୋଟର ବି ଜବତ ହୋଇଛି । ଜବତ ହୋଇଥିବା ବିଭିନ୍ନ ସାମଗ୍ରୀର ମୂଲ୍ୟ ୧୦୫ କୋଟି ଟଙ୍କା ହେବବୋଲି ଆକଳନ କରାଯାଇଛି ।

ଅବକାରୀ ବିଭାଗ ପକ୍ଷରୁ ଗତବର୍ଷ ହୋଇଥିବା ବ୍ୟାପକ କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ମିଳିଥିବା ସୂଚନା ଅନୁଯାୟୀ ୨୦୨୧ ଜାନୁୟାରୀରୁ ଡିସେମ୍ବର ମଧ୍ୟରେ ବ୍ୟାପକ ଧରପଗଡ ଯୋଗୁଁ ୩୪,୪୩୧ଟି ମାମଲା ରୁଜୁ ହୋଇଥିବାବେଳେ ୨୮,୪୨୭ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି । ଏହି ସମୟ ମଧ୍ୟରେ ଅବକାରୀ ବିଭାଗ ଧରପଗଡରେ ୮ଲକ୍ଷ ୮୧ହଜାର ଲିଟରରୁ ଅଧିକ କାରଖାନା ପ୍ରସ୍ତୁତ ଦେଶୀମଦ, ୯ଲକ୍ଷ ୨୩ହଜାରରୁ ଅଧିକ କିଲୋଗ୍ରାମର ମଦ ତିଆରି ସାମଗ୍ରୀ, ୫୬୨୦ ଲିଟରରୁ ଅଧିକ ନକଲି ବିଦେଶୀ ମଦ ଜବତ ହୋଇଛି ।

ସେହିଭଳି ଟିକସ ଫାଙ୍କି କାରବାର ହୋଇଥିବା ୨୦୩୪ ଲିଟର ବିଦେଶୀ ମଦ, ୩୮୯୭ଲିଟର ସ୍ପିରିଟ୍‍, ୩୨ହଜାର ଲିଟର ମହୁଲି ମଦ, ୧୭,୯୨୦ଲିଟର ବିଦେଶୀମଦ, ୨୦,୯୯୨ ଲିଟର ବିୟର, ୪୮୧୮ କିଲୋ ଭାଙ୍ଗ, ୧୧,୮୪୬ କୁଇଣ୍ଟାଲ ମହୁଲ ଫୁଲ ଓ ୧୬,୧୭୪ ଲିଟର ତାଡିକୁ ଅବକାରୀ ବିଭାଗ ଜବତ କରିଥିଲା । ଏହି ସମୟରେ ନିଶା କାରବାରରେ ସାମିଲ ଥିବା ୧୯୨୦ଟି ଗାଡିକୁ ଜବତ କରାଯାଇଛି । ଏହି ଗାଡିଗୁଡିକ ମଧ୍ୟରେ ଦୁଇ ଚକିଆ, ଅଟୋ, କାର୍‍ ଓ ଟ୍ରକ ଆଦି ରହିଛି ।

ସେହିଭଳି ଗତବର୍ଷ ଅବକାରୀ କର୍ତ୍ତୃପକ୍ଷ ଗଞ୍ଜେଇ, ବ୍ରାଉନସୁଗାର, ଅଫିମ ଓ କଫସିରଫ ଆଦି କାରବାର ଅଭିଯୋଗରେ ୬୯୯ଟି ମାମଲା ରୁଜୁ ହୋଇଥିବାବେଳେ ୭୮୪ଜଣଙ୍କୁ ଗିରଫ କରିଛନ୍ତି । ଏହି ବର୍ଷକ ମଧ୍ୟରେ ୩୧,୪୪୪ କିଲୋ ଗଞ୍ଜେଇ, ୧୧,୮୪୬ ଗ୍ରାମ ବ୍ରାଉନସୁଗାର, ୮ କିଲୋ ଅଫିମ ଓ ୫୮୬ ଲିଟର କଫସିରପ ଜବତ କରାଯାଇଛି । ଗତବର୍ଷ ଜବତ ହୋଇଥିବା ସାମଗ୍ରୀର ଆନୁମାନୁକ ମୂଲ୍ୟ ୧୦୫କୋଟି ଟଙ୍କା ବୋଲି ଆକଳନ କରାଯାଇଛି ।

ଗତବର୍ଷ ଡିସେମ୍ବର ୧୨ତାରିଖରେ କନ୍ଧମାଳ ଅବକାରୀ କର୍ତ୍ତୃପକ୍ଷ ୧୨୫୦ କିଲୋ ଗଞ୍ଜେଇ ଜବତ ହୋଇଥିବାବେଳେ ୨୯ ତାରିଖରେ ଗଜପତି ଅବକାରୀ କର୍ତ୍ତୃପକ୍ଷ ୧୯୫୦ କିଲୋଗ ଗଞ୍ଜେଇ, ମାର୍ଚ୍ଚ ୩ ତାରିକରେ ବ୍ରହ୍ମପୁର ଅବକାରୀ କର୍ତ୍ତୃପକ୍ଷ ୧୬୪୩ କିଲୋ, ଫେବୃୟାରୀ ୨୪ତାରିଖରେ ମାଲକାନଗିରି ଅବକାରୀ ସ୍କ୍ୱାଡ୍‍ ୮୦୦ କିଲୋ, ଫେବୃୟାରୀ ୮ତାରିଖରେ ବଲାଙ୍ଗିର ଅବକାରୀ ବିଭାଗ ୪୬୮ କିଲୋ, ଜାନୁୟାରୀ ୩୦ ତାରିଖରେ ବ୍ରହ୍ମପୁର ଅବକାରୀ ବିଭାଗ ୧୮୫୯ କିଲୋ ଏବଂ ଜାନୁୟାରୀ ୬ାତରିଖରେ ୯୬୧ କିଲୋ ଗଞ୍ଜେଇ ଜବତ କରିଥିଲା । ସେହିଭଳି ଗଞ୍ଜାମ ଅବକାରୀ ଦଳ ମଇ ମାସରେ ୯୦୦ କିଲୋ ଗଞ୍ଜେଇ ଜବତ କରିଥିବାବେଳେ ବ୍ରହ୍ମପୁର ଅବକାରୀ ବିଭାଗ ସେପ୍ଟେମ୍ବର ମାସରେ ୧୧୪୦ କିଲୋ ଗଞ୍ଜେଇ ଧରିଥିଲେ ।

ସେହିଭଳି ଗତ ବର୍ଷ ଅକ୍ଟୋବର ୨୨ ତାରିଖରେ କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାଡ୍‍ ବାଲେଶ୍ୱରରୁ ୨୧୦୦ ଗ୍ରାମ ବ୍ରାଉନସୁଗାର ଜବତ କରିଥିବାବେଳେ ଏପ୍ରିଲ୍‍ ୬ତାରିଖରେ ୩୨୫ଗ୍ରାମ ଜବତ ହୋଇଥିଲା । ଅବକାରୀ ବିଭାଗ ପକ୍ଷରୁ ନକଲି ଓ ଟିକସ ଫାଙ୍କି ବିଦେଶୀ ମଦ ଉପରେ ନଜର ରଖାଯିବା ଫଳରେ ପ୍ରାୟ ଏ ସଂକ୍ରାନ୍ତୀୟ ୨୦୦ ମାମଲା ରୁଜୁ ହୋଇଛି ।

ଗଞ୍ଜାମ, ବ୍ରହ୍ମପୁର, କଟକ, ଖୋରଧ, କେନ୍ଦ୍ରାପଡା, ରାଉରକେଲା, ଝାରସୁଗୁଡା, ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର, ନବରଙ୍ଗପୁର ଓ ନୟାଗଡ ଆଦି ଅଞ୍ଚଳରୁ ବିପୁଳ ପରିମାଣ ବିଦେଶୀ ମଦ ପ୍ରସ୍ତୁତ ପାଇଁ ଆବଶ୍ୟକ ହେଉଥିବା ଲେବୁଲ୍‍, ହୋଲୋଗ୍ରାମ, ଠିପି ଆଦି ବି ଜବତ ହୋଇଛି । ଆଗାମୀ ଦିନରେ ଅବକାରୀ ବିଭାଗ ତାହାର ଧରପଗଡକୁ ଆହୁରି ଜୋରଦାର କରିବା ସହିତ ରାଜ୍ୟରୁ ନିଶା କାରବାର ମୂଳୋତ୍ପାଟନ ପାଇଁ ଉଦ୍ୟମ ଜାରି ରଖିବ ବୋଲି ଜଣାଯାଇଛି ।

Leave A Reply

Your email address will not be published.