ରାଜସ୍ୱ ପ୍ରଶାସନକୁ ଅଧିକ କ୍ରିୟାଶୀଳ କରାଯିବ
ଭୁବନେଶ୍ୱର : ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନ ଅଧିନସ୍ଥ ଦଶଗୋଟି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ ଏକ ସମୀକ୍ଷା ବୈଠକ ଭିଡିଓ କନଫରେନ୍ସ ଜରିଆରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭାଗର ବରିଷ୍ଠ ଅଧିକାରୀ, କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର, ଆଇ.ଜି.ଆର, ଓଡିଶା ଓ ଭୂ-ସର୍ବେକ୍ଷଣ ସଂସ୍ଥାର ନିର୍ଦ୍ଦେଶକ ଏବଂ ଅନ୍ୟାନ୍ୟ ଅଧିକାରୀ ଯୋଗଦାନ କରିଥିଲେ ।
ରାଜ୍ୟରେ ବିଭିନ୍ନ ପ୍ରକାର ଉନ୍ନତିମୂଳକ ତଥା ଭିତ୍ତିଭୂମି ପ୍ରକଳ୍ପଗୁଡିକ ନିମନ୍ତେ ଜମି ଅଧିଗ୍ରହଣ କାର୍ଯ୍ୟକୁ ତ୍ୱରାନିତ କରିବା ସହିତ ରେଳ, ଜାତୀୟ ରାଜପଥ ଓ ଜଳସେଚନ ଇତ୍ୟାଦି ପାଇଁ ଜମି ହସ୍ତାନ୍ତର କାର୍ଯ୍ୟଗୁଡିକୁ ଅଗ୍ରାଧିକାର ଭିତ୍ତିରେ ସମାପନ କରିବାକୁ ଅତିରିକ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଓଡିଶା ଲୋକସେବା ଅଧିକାର ଅଧିନିୟମ ଅନୁଯାୟୀ ସମସ୍ତ ଜନସେବାଗୁଡିକୁ ଉଦ୍ଦିଷ୍ଟ ସମୟସୀମା ଭିତରେ ଫଇସଲା କରିବା, ବେ-ବନ୍ଦୋବସ୍ତ ଜମିଜମାଗୁଡିକର ଫଇସଲା ଓ ସମାଧାନ କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ ।
ଲଘୁ ଖଣିଜ ପଦାର୍ଥ ଉତ୍ସଗୁଡିକରୁ ନିୟମିତ ରାଜସ୍ୱ ଆଦାୟ, ବେଆଇନ ଉଠାଣ ଓ ଚୋରିକୁ ରୋକିବା ସହିତ ବୈଷୟିକ ଜ୍ଞାନର ଉପଯୋଗ କରି ଲଘୁ ଖଣିଜ ଉତ୍ସଗୁଡିକର ସ୍ଥାୟୀ ପରିଚାଳନା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଆସନ୍ତା ଜାନୁଆରୀ ୨୫ ତାରିଖ ସୁଦ୍ଧା ଅତିରିକ୍ତ ଜିଲ୍ଲାପାଳମାନେ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ଓ ତହସିଲଦାରମାନଙ୍କ ସହିତ ସମୀକ୍ଷା ବୈଠକ କରି ସ୍କୁଲ ଓ କଲେଜଗୁଡିକରେ ଥିବା ଜମିଜମା ସମସ୍ୟାକୁ ସମାଧାନ କରିବେ ଏବଂ ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗକୁ ଜଣାଇବେ । ଏହିସବୁ କାର୍ଯ୍ୟଗୁଡିକୁ ପରିସମାପ୍ତି କରି ଆସନ୍ତା ମାର୍ଚ୍ଚ ୫ ତାରିଖ ମଧ୍ୟରେ ସେହି ସବୁ ଅନୁଷ୍ଠାନକୁ ଜମିପଟ୍ଟା ହସ୍ତାନ୍ତର କରିବେ ।
ରାଜସ୍ୱ ଜଙ୍ଗଲ ଜମି ଚିହ୍ନଟ କରି ନୂତନ ବନୀକରଣ ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ବସୁନ୍ଧରା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଜମି ଯୋଗାଇ ଦେବା ପାଇଁ ଯନିବାନ ହେବାକୁ ପରାମର୍ଶ ଦିଆଯାଇଛି । ସେହିପରି ବିଭିନ୍ନ ରାଜସ୍ୱ କାର୍ଯ୍ୟାଳୟଗୁଡିକର କୋଠାବାଡି ନିର୍ମାଣ, ନବୀକରଣ, ରକ୍ଷଣାବେକ୍ଷଣ ଓ ଉପକରଣ ତଥା ଆସବାବପତ୍ର ଯୋଗାଣ ନିମନ୍ତେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।
କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଏବଂ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳମାନେ ନିୟମିତ ଭାବେ ସମୀକ୍ଷା ବୈଠକ ଆୟୋଜନ କରି ବିଭିନ୍ନ ସମସ୍ୟାର ସମାଧାନ କରିବେ । ୫-‘ଟି’ ଓ ‘ମୋ ସରକାର’ କାର୍ଯ୍ୟସୂତ୍ରୀ ଆଧାରରେ ରାଜସ୍ୱ ପ୍ରଶାସନକୁ ସ୍ୱଚ୍ଛ, ନିର୍ମଳ ଓ ସଶକ୍ତିକରଣ କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ନେବାକୁ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଆଗାମୀ ଦିନରେ ଏହିପରି ସମୀକ୍ଷା ବୈଠକ ପ୍ରତି ମାସରେ ଅନୁଷ୍ଠିତ ହେବ ।