ବାଲେଶ୍ବର- ବାଲେଶ୍ବର ଜିଲ୍ଲା ଖଇରା ତହସିଲ ଗଣ୍ଡିବେଡ ଆର ଆଇ ଅଧିନ ପାର୍ବତୀପୁର ମୌଜାର ଜ୍ୟୋସ୍ନା ସ୍ୱାଇଁ ସ୍ବାମୀ ଭାଗବତ ସ୍ୱାଇଁଙ୍କ ଘର ଗତକାଲି(୧୦/୪/୨୨) ରାତି ପ୍ରାୟ ୧୧ ଘଟିକା ସମୟରେ ହଠାତ୍ ଜଳି ଉଠିଥିଲା । ଏହାଦେଖି ପରିବାର ଲୋକେ ଉଦ୍ଧାର ନିମନ୍ତେ ପାଖ ପଡୋଶୀଙ୍କୁ ଡାକ ପକାଇଥିଲେ । ଡାକଶୁଣି ଗ୍ରାମବାସୀ ମାନେ ଉଦ୍ଧାର ନିମନ୍ତେ ଘଟଣା ସ୍ଥଳକୁ ଦୌଡ଼ି ଆସିଥିଲେ । ଖବରପାଇ ଖଇରା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏଥିରେ ୨ ବଖରା ଘର ନଷ୍ଟ ହୋଇଛି । ଉକ୍ତ ଆକସ୍ମିକ ଅଗ୍ନିକାଣ୍ଡରେ କେବଳ ପିନ୍ଧାଲୁଗା ବ୍ଯତୀତ ସମସ୍ତ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡି ନଥିଲେ ମଧ୍ୟ ଇଲେକ୍ଟ୍ରି ସର୍ଟ ସର୍କିଟରୁ ହୋଇ ଥାଇପାରେ ବୋଲି ଦେଖଣାହାରୀ ମାନଙ୍କ ଦ୍ବାରା ଅନୁମାନ କରାଯାଇଛି । ଖବରପାଇ ସ୍ଥାନୀୟ ଶ୍ଯାମସୁନ୍ଦରପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ବନିତା ପ୍ରଧାନ, ସମିତି ସଭ୍ୟା ବାସନ୍ତୀ ମହାନ୍ତି, ୫ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟ ମାନସ ଦାଶ ଘଟଣା ସ୍ଥଳରେ ପହଞ୍ଚି ଚାଉଳ, ପରିବା ଓ ପିନ୍ଧା ବସ୍ତ୍ର ଦେବାର ବନ୍ଦୋବସ୍ତ କରିଥିଲେ । ଗଣ୍ଡିବେଡ ଆର ଆଇ ଘଟଣା ସ୍ଥଳ ପରିଦର୍ଶନ କରି ଫେରିଛନ୍ତି । ପରେ ପରେ ଖବର ପାଇ ସ୍ଥାନୀୟ ବିଧାୟକ ତଥା ଓଡିଶାର ଭାଷା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ବିପନ୍ନ ପରିବାର ବର୍ଗଙ୍କ ନିକଟରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ଏବଂ ସାହାଯ୍ୟର ହାତ ବଢାଇଛନ୍ତି । ଶ୍ରୀଯୁକ୍ତ ମନ୍ତ୍ରୀଙ୍କ ସହିତ ଜିଲ୍ଲା ପରିଷଦ ମାନସ ଦାଶ, ସ୍ଥାନୀୟ ସମିତି ସଭ୍ୟାଙ୍କ ପ୍ରତିନିଧି ରବିନ୍ଦ୍ର କୁମାର ମହାନ୍ତି, ସରପଞ୍ଚଙ୍କ ପ୍ରତିନିଧି ବିଶ୍ବରଞ୍ଜନ ପ୍ରଧାନ ଏବଂ ଶ୍ଯାମସୁନ୍ଦରପୁର ପଞ୍ଚାୟତର ବରିଷ୍ଠ ନେତୃମଣ୍ଡଳୀ ପ୍ରମୁଖ ଉପସ୍ଥିତ ଥିଲେ । ତହସିଲ ପ୍ରଶାସନ ତରଫରୁ ସମ୍ପୂର୍ଣ୍ଣ ତଦନ୍ତ ପରେ ପ୍ରକୃତ କ୍ଷୟକ୍ଷତିର ପରିମାଣ ଜଣା ପଡିବ ବୋଲି ଆଶା କରାଯାଇଛି।।