ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଜାଲୋଏ ଗ୍ରାମପଞ୍ଚାୟତ ଅନ୍ତର୍ଗତ ମାନ୍ୟବର ଓଡିଶା ସରକାରଙ୍କ ତରଫରୁ ପୁରସ୍କାର ପ୍ରାପ୍ତ କୈରାଝୁଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଦେଖିବାକୁ ମିଳୁଛି ଏକ ଲଜ୍ଜାଜନକ ଅଭାବନୀୟ ଘଟଣା ା ବିଦ୍ୟାଳୟ ଶିକ୍ଷା କମିଟିର ଅଭିଯୋଗ ଅନୁସାରେ କୈରାଝୁଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁନ୍ଦର ଆକର୍ଷଣୀୟ ପରିବେଶ, ଉନ୍ନତ ମାନର ଶିକ୍ଷା ବ୍ୟବସ୍ଥା, କୋମଳମତୀ ଛାତ୍ରଛାତ୍ରୀ ମାନଙ୍କ ଆକର୍ଷଣୀୟ ସଫଳତା, ବିଦ୍ୟାଳୟ ଶିକ୍ଷା କମିଟି ଓ ବିଦ୍ୟାଳୟର ଶିକ୍ଷକ ମାନଙ୍କ ମଧ୍ୟରେ ଗଢି ଉଠିଥିବା ସୁସମ୍ପର୍କ, ବିଦ୍ୟାଳୟର ଅବିଶ୍ୱସନୀୟ ଅଗ୍ରଗତି ଯୋଗୁଁ ବିଦ୍ୟାଳୟଟି ମାନ୍ୟବର ଓଡିଶା ସରକାରଙ୍କ ତରଫରୁ ଅନେକ ଥର ପୁରସ୍କୃତ ହୋଇ ସାରିଛି। ଏପରିକି ବିଦ୍ୟାଳୟକୁ ବିଭିନ୍ନ ସମୟରେ ପରିଦର୍ଶନରେ ଆସୁଥିବା ମାନ୍ୟବର ଜିଲ୍ଲାପାଳ ମହୋଦୟା, ଜିଲ୍ଲା ଶିକ୍ଷା ଅଧିକାରୀ ମହୋଦୟଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ବିଦ୍ୟାଳୟଟିର ଆକର୍ଷଣୀୟ ସୁନ୍ଦର ମନୋହର ଉତ୍କୃଷ୍ଟ ପରିବେଶରେ ଆକର୍ଷିତ ହୋଇ ଭୁରି ଭୁରି ପ୍ରଶଂସା କରୁଛନ୍ତି । କିନ୍ତୁ ବଡ଼ ଦୁଃଖର ବିଷୟ ଗ୍ରାମର କିଛି ଅସାଧୁ ସ୍ୱାର୍ଥପର ବ୍ୟକ୍ତି ନିଜକୁ ସରକାରୀ କଳର ମୁଖ୍ୟ ଦର୍ଶାଇ ବିଦ୍ୟାଳୟ ପରିସର ମୁଖ୍ୟ ଫାଟକ ଓ ବିଦ୍ୟାଳୟ ଖେଳ ପଡିଆଟିକୁ ଜବରଦଖଲ କରି ନିଜ ଅକ୍ତିଆରରେ ରଖିଛନ୍ତି । ଯାହାଫଳରେ ବିଦ୍ୟାଳୟ ପାଚେରୀ ନିର୍ମାଣ ଓ ବିଭିନ୍ନ ଉନ୍ନତି ମୂଳକ ପ୍ରକଳ୍ପ ନିମନ୍ତେ ରାଜ୍ୟ ରାଜକୋଷରୁ ମଞ୍ଜୁରୀ ହେଉଥିବା ସରକାରୀ ଅର୍ଥ ଗୁଡିକ ବାରମ୍ବାର ଫେରସ୍ତ ହୋଇଯାଉଛି ଏପରିକି ବିଦ୍ୟାଳୟ ପାଚେରୀ ନିର୍ମାଣ ହୋଇପାରୁ ନଥିବାରୁ ବୁଲା ଗୋରୁଗାଇ ବିଦ୍ୟାଳୟ ପରିସରକୁ ପଶି ବିଦ୍ୟାଳୟର ସୁନ୍ଦର ପରିବେଶକୁ ନଷ୍ଟ କରି ପକାଉଛନ୍ତି । ଯଦ୍ୱାରା କୋମଳମତି ଛାତ୍ରଛାତ୍ରୀମାନେ ନିଜକୁ ଅସୁରକ୍ଷିତ ଓ ଭୟଭୀତ ମନେକରୁଛନ୍ତି । ଏହି ବେଆଇନ ଜବରଦଖଲକାରୀ ମାନଙ୍କ ବିରୁଦ୍ଧରେ ଦୀର୍ଘ ବର୍ଷରୁ ବିଦ୍ୟାଳୟ ଶିକ୍ଷାକମିଟି ଓ ଅଞ୍ଚଳବାସୀଙ୍କ ତରଫରୁ ବିଭାଗୀୟ ପ୍ରଶାସନିକ ଅଧିକାରୀ, ଉପଖଣ୍ଡିୟ ପ୍ରଶାସନ ଅଧିକାରୀ, ଏପରିକି ମାନ୍ୟବର ଜିଲ୍ଲାପାଳଙ୍କ ନିକଟରେ ବାରମ୍ବାର ଅଭିଯୋଗ କରାଯାଉଅଛି ା ହେଲେ ବିଡମ୍ବନାର ବିଷୟ ବିଭାଗୀୟ ପ୍ରଶାସନିକ ଅଧିକାରୀ, ଉପଖଣ୍ଡିୟ ପ୍ରଶାସନିକ ଅଧିକାରୀ ଏପରିକି ଖୋଦ ମାନ୍ୟବର ଜିଲ୍ଲାପାଳଙ୍କ ତରଫରୁ ଅଦ୍ୟାବଧି କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯାଇ ପାରୁନାହିଁ । ଯାହାଦ୍ୱାରା ଅସାଧୁ ଜବରଦଖଲକାରୀ ମାନଙ୍କ ସାହସ ଆହୁରି ବଢିଯାଉଛି । ଏପରିକି ବିଦ୍ୟାଳୟ ଶିକ୍ଷାକମିଟିର ସଦସ୍ୟ ସଦସ୍ୟା ମାନଙ୍କ ସାମ୍ନାରେ ସେମାନେ ବାହାସ୍ଫୋଟ ମାରି କହୁଛନ୍ତି ଯେ ଆମ୍ଭେ ସରକାରୀ କଳର ବାହୁବଳୀ ଓ ପ୍ରଭାଵଶାଳୀ ବ୍ୟକ୍ତି ଆମ ଇସାରାରେ ପ୍ରଶାସନ ଉଠବସ ହେଉଛି ତମେମାନେ ଯେତେ ଚେଷ୍ଟା କଲେ ମଧ୍ୟ ଆମର କିଛି ଅସୁବିଧା କରିପାରିବନାହିଁ । ଯାହାଦ୍ୱାରା ବିଦ୍ୟାଳୟ ଶିକ୍ଷା କମିଟି, ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି ଏପରିକି ଉତ୍ୟକ୍ତ ଜନସାଧାରଣ ଯଥାଶୀଘ୍ର ଜିଲ୍ଲା ପ୍ରଶାସନ ତରଫରୁ ଅସାଧୁ ଜବରଦଖଲକାରୀ ମାନଙ୍କୁ ଉଚ୍ଛେଦ କରାଯାଉ ନଚେତ ଅନିର୍ଦ୍ଧିଷ୍ଟ କାଳ ପାଇଁ ବିଦ୍ୟାଳୟରେ ତାଲା ପକେଇବାକୁ ଆମେ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି ।