ଧାମନଗର – ଭୁବନେଶ୍ୱର ଲୋକସେବା ଭବନଠାରେ ସୋମବାର ଓ ମଙ୍ଗଳବାର ଦୁଇ ଦିନିଆ ଅନୁଷ୍ଠିତ ହେଉଥିବା ମେୟର ଓ ପୋୖରାଧକ୍ଷ ପାଇଁ କର୍ମଶାଳା ଶେଷ ହୋଇଛି। ଏହି ପୌର ଶାସନ ପ୍ରଣାଳୀ ଓ ଉନ୍ନୟନ ପଦ୍ଧତି କର୍ମଶାଳାରେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ଥିବା ବିଭିନ୍ନ ସମସ୍ୟାକୁ ଦୂର କରିବା ସହ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଦାବି ଉପସ୍ଥାପନ କରିଛନ୍ତି ଅଧ୍ୟକ୍ଷା ନିବେଦିବା ଜେନା। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଭାଗୀୟ ମନ୍ତ୍ରୀ ରାଜ୍ୟସ୍ତରୀୟ ପଦାଧିକାରୀମାନେ ଯୋଗ ଦେଇ ପୌରଶାସନ,ପୌରାଞ୍ଚଳର ଉନ୍ନୟନ ତଥା ବିକାଶ କାର୍ଯ୍ୟକ୍ରମ ଏବଂ ରାଜ୍ୟସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକୁ ଲୋକଙ୍କ ନିକଟକୁ ପହଞ୍ଚାଇବା, କିପରି ତ୍ୱରାନ୍ୱିତ ହେବ ସେ ନେଇ ଏହି କର୍ମଶାଳାରେ ତାଲିମ ଦେବା ସହ ଗୁରୁମନ୍ତ୍ର ଦିଆଯାଇଛି। ପୌର ଶାସନ ପ୍ରଣାଳୀ ଏବଂ ଉନ୍ନୟନ ପଦ୍ଧତି’ ଶୀର୍ଷକ କର୍ମଶାଳାକୁ ଉଦଘାଟନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ସହରକୁ ଶ୍ରେଷ୍ଠ ଭାବେ ଗଢି ତୋଳିବା ପାଇଁ ନିଷ୍ଠାର ସହ କାମ କରିବାକୁ ନବନିର୍ବାଚିତ ମେୟର ଓ ପୋୖରାଧ୍ୟକ୍ଷମାନଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହ ଲୋକଙ୍କ ସମସ୍ୟାର ସମାଧାନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ଵ ଦେଇଛନ୍ତି। ସ୍ୱଚ୍ଛତା ଓ ବର୍ଜ୍ୟ ବସ୍ତୁ ପରିଚାଳନା ଉପରେ ଅଧିକ ଗୁରୁତ୍ୱ ଦେଇ କାମ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ସହରାଞ୍ଚଳ ବିକାଶରେ ଆସିଥିବା ରୂପାନ୍ତରରେ 5T ଉପକ୍ରମର ମହତ୍ବପୂର୍ଣ୍ଣ ଭୂମିକା ରହିଛି। ଲୋକଙ୍କୁ ଉତ୍ତମ ସେବା ପ୍ରଦାନ ପାଇଁ ୫-ଟି କାର୍ଯ୍ୟକ୍ରମକୁ ସଫଳତାର ସହ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ଵାନ କରିଛନ୍ତି। ଚଳିତ ପୌର ନିର୍ବାଚନରେ ମା’ମାନେ ବହୁ ସଂଖ୍ୟାରେ ଭାଗ ନେଇ ବିଜୟୀ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଛନ୍ତି। ଭଲ କାମ କରି ଲୋକଙ୍କ ଆସ୍ଥା ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି। ନୂଆ ନେତୃତ୍ୱ ଓ ନୂଆ ପରିଚାଳନା କୌଶଳ ପୌର ସେବାକୁ ନୂତନ ଶିଖରରେ ପହଞ୍ଚାଇବାରେ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରେ ମାନ୍ୟବର ନଗର ଉନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପସ୍ଥିତିରେ ନବନିର୍ବାଚିତ ମେୟର ଓ ପୌରାଧକ୍ଷ ମାନଙ୍କୁ ସ୍ୱାଗତ କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ନିର୍ବାଚିତ ମେୟର ଓ ପୌରାଧକ୍ଷ ମାନଙ୍କୁ ପରାମର୍ଶ ଦେଇଥିଲେ। ଲୋକଙ୍କ ସାଥିରେ ରୁହ ଓ ଲୋକଙ୍କ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦେଇ ନିଜ ଅଞ୍ଚଳକୁ ଶ୍ରେଷ୍ଠ ସହର କରନ୍ତୁ।