ସୋରଡ଼ା :- ଘୋଷଜାତ ପାଇଁ ପ୍ରସ୍ତୁତି ଏବେ ଠାରୁ ଆରମ୍ଭ ହୋଇ ସାରିଲାଣି । ରାଜ୍ୟର ବିଭିନ୍ନ ବନାଞ୍ଚଳରୁ ପୁରୀରେ ପହଞ୍ଚିବାରେ ଲାଗିଛି ରଥକାଠ । ସରସ୍ୱତୀ ପୂଜାରେ ରଥକାଠ ପୂଜାନୀତି ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ପର୍ଯ୍ୟାୟରେ ଏବେ ପୁରୀକୁ ରଥକାଠ ପହଞ୍ଚୁଛି। ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡ ସୋରଡ଼ା ବନାଞ୍ଚଳ ଅନ୍ତର୍ଗତ ଗାଜଲବାଡ଼ି ଦକ୍ଷିଣ ସେକ୍ସନ୍ ରୁ ରଥକାଠ ପୁରୀ ଶ୍ରୀମନ୍ଦିର କୁ ପଠାଯାଇଛି। ସୋମବାର ଏହି ରଥ କାଠ ଟ୍ରକ ଯୋଗେ ଯିବା ବେଳେ ସୋରଡାର ବିଭିନ୍ନ ଜାଗାରେ ରଥକାଠକୁ ଲୋକମାନେ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି। ଘଣ୍ଟ ଘଣ୍ଟା, ଝାଞ୍ଜ ବଜାଇ ପୂଜାର୍ଚ୍ଚନା କରି ରଥକାଠ ଗାଡିକୁ ବିଦାୟ ଦେଇଛନ୍ତି ଅଞ୍ଚଳର ଲୋକେ। କାର୍ଯ୍ୟକ୍ରମରେ ସୋରଡା ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ,ଥାନା ଅଧିକାରୀ ରମେଶ ଚନ୍ଦ୍ର ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୀମାଞ୍ଚଳ ମଣ୍ଡଳ,ସୋରଡା ,ଅସୁରବନ୍ଧ ଓ ଗାଜଲବାଡି ସେକ୍ସନ ର ସମସ୍ତ ବନ ଅଧିକାରୀ ଙ୍କ ସହ ଜିଲ୍ଲା ପରିଷଦ ସଦସ୍ୟ ସମରେନ୍ଦ୍ର କୁମାର ସାହୁ,ବସନ୍ତ ସ୍ଵାଇଁ,ତଥା ସୋରଡା ର ସମସ୍ତ ୱାର୍ଡ ମେମ୍ବର ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇଥିଲେ ।ଆସନ୍ତା ଅକ୍ଷୟ ତୃତୀୟା ଦିନ ତିନି ରଥ ନିର୍ମାଣର ଶୁଭାରମ୍ଭ ହେବାର ବିଧି ରହିଛି। ତିନିରଥ ନିର୍ମାଣ ପାଇଁ ପରମ୍ପରା ଅନୁଯାୟୀ ଶ୍ରୀରାମନବମୀ ଠାରୁ କଟକ ସ୍ଥିତ ଖପୁରିଆ କରତକଳରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ ହୋଇଛି।