ବୁଗୁଡ଼ା :- ପ୍ରବଳ ରୌଦ୍ରତାପରେ ଛଟପଟ ହେଉଥିବା ପଥଚାରୀ , ଯାତ୍ରୀ ଏବଂ ଜନସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖି ବୁଗୁଡ଼ା ସହରର ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିବାକୁ ସର୍ବସାଧାରଣରେ ଦାବି ହୋଇଆସୁଥିଲେ ହେଁ ଏନ୍ଏସି କର୍ତ୍ତୃପକ୍ଷ ଏଥିପ୍ରତି ଭୃକ୍ଷେପ କରୁନଥିବା ବେଳେ ଆଜି ଛାତ୍ର ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ମେଡିକାଲ ଛକ ନିକଟରେ ଏକ ଜଳଛତ୍ର ଖୋଲାଯାଇଥିବା ଯୋଗୁଁ ତାହା କିଛି ମାତ୍ରାରେ ଲୋକଙ୍କୁ ଆଶ୍ବସ୍ତ କରିଛି । ବିଧାୟକ ପ୍ରତିନିଧି କେ.ତ୍ରିଲୋଚନ ଦୋରାଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ ଜଳଛତ୍ରର ଉଦଘାଟନୀ କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସମେତ ବିଜେଡିର ବହୁ ନେତା ଓ କର୍ମୀ ଉପସ୍ଥିତ ରହିଥିଲେ । ମୁଣ୍ଡ ଫଟା ଖରାରେ ବୁଗୁଡ଼ା ସହରକୁ ବିଭିନ୍ନ କାମରେ ଆସୁଥିବା ଲୋକଙ୍କୁ ପାନୀୟ ଜଳର ସୁବିଧା ଯୋଗାଇ ଦେବା ପାଇଁ ଡ୍ରାଇଭର ସଂଘ ଏବଂ ସ୍କାଉଟ୍ ଓ ଗାଇଡ୍ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଜଳଛତ୍ର ଖୋଲାଯାଇ ଲୋକଙ୍କ ପ୍ରଶଂସା ସାଉଁଟି ଥିବା ବେଳେ ଏନ୍ଏସି ପକ୍ଷରୁ ଜଳଛତ୍ର ଖୋଲାଯିବା ନେଇ ଅନିଶ୍ଚିତତା ଦେଖାଦେଇଥିବା ଘଟଣା ବିଭିନ୍ନ ମହଲରେ ସମାଲୋଚିତ ହେଉଥିବା ଜଣାଯାଇଛି ।