ଜଗନ୍ନାଥ ପ୍ରସାଦ: ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଜଗନ୍ନାଥ ପ୍ରସାଦ ପରିସରରେ ବିଶ୍ଵ ରେଡ଼କ୍ରସ୍ ଦିବସ ପାଳିତ ହୋଇଯାଇଛି । ଆଞ୍ଚଳିକ ଡିଗ୍ରୀ କଲେଜ, ଜଗନ୍ନାଥ ପ୍ରସାଦର ଅଧ୍ୟକ୍ଷ ପ୍ରଫେସର ସନାତନ ସାହୁ ରେଡ଼କ୍ରସ୍ ପତାକା ଉତ୍ତୋଳନ କରି ସ୍ଵେଚ୍ଛସେବୀ ମାନଙ୍କୁ ଶପଥ ପାଠ କରାଇଥିଲେ । ପରେ ପରେ ଏକ ସଚେତନ ସଭା କଲେଜ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷ ଶ୍ରୀଯୁକ୍ତ ସାହୁ, ଜାଁ ହେନେରୀ ଦୁନାଣ୍ଟଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ବଳନ କରି କହିଥିଲେ ଯୁବ ସମାଜ ପାଇଁ ସେବାର ମନୋଭାବ ଜାଗ୍ରତ କରିବା ପାଇଁ କଲେଜ ମାନଙ୍କରେ ଯୁବ ରେଡ଼କ୍ରସ୍ ସଂସ୍ଥା ସ୍ଥାପନ କରାଯାଇଛି । ପ୍ରାକୃତିକ ବିପର୍ଯ୍ୟୟ ବେଳେ ରେଡ଼କ୍ରସ୍ ର ସ୍ବେଚ୍ଛାସେବୀ ମାନେ ଯେଉଁ ମାନବୀୟ କାର୍ଯ୍ୟ କରିଥାନ୍ତି ତାହା ପ୍ରଶଂସନୀୟ । ଯୁବ ରେଡକ୍ରସ୍ କାଉନସିଲର ପ୍ରାଧ୍ୟାପକ ଲୋକନାଥ ମହାନ୍ତି ରେଡକ୍ରସ୍ ର ଇତିହାସ, ଏହାର ସାତଟି ମୌଳିକ ନୀତି ଓ ଚଳିତ ବର୍ଷର ବିଷୟବସ୍ତୁ -“ମାନବ ଦୟାଳୁ ହୁଅ” ଉପରେ ଆଲୋକପାତ କରିଥିଲେ । ଚଳିତ ବର୍ଷ ପୂର୍ବରୁ ରେଡକ୍ରସ୍ ର ଉତ୍ତମ ସ୍ବେଚ୍ଛାସେବୀ ଭାବେ ମହାମହିମ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ସ୍ବେଚ୍ଛାସେବୀ କାହ୍ନୁ ଚରଣ ପ୍ରଧାନ ଓ ବିଭୂତି ଭୂଷଣ ନାୟକ ଯୋଗ ଦେଇ ଦୀର୍ଘ ୫ ବର୍ଷର ସେବା ଅନୁଭୂତି ପରିପ୍ରକାଶ କରିଥିଲେ । ଯୁବ ସାମ୍ବାଦିକ ତଥା ସ୍ବେଚ୍ଛାସେବୀ ଜଗନ୍ନାଥ ପ୍ରଧାନ, ପ୍ରଭଞ୍ଜନ ପ୍ରଧାନ ଓ ରାଜୀବ କୁମାର ନାୟକ କୋଭିଡ ସମୟରେ କିପରି ଶବକୁ ଦାହ କରିଥଲେ ତାହା ବର୍ଣ୍ଣନା କରିବା ସହିତ ରଥଯାତ୍ରାରେ ସେବା , ଫନୀ, ହୁଡୁହୁଡୁ, ତିତିଲି ଆଦି ପ୍ରାକୃତିକ ବିପର୍ଯ୍ୟୟରେ ସମୟରେ ରେଡକ୍ରସ୍ ତରଫରୁ ରିଲିଫ୍ ବଣ୍ଟନ ଓ ଦୁର୍ଘଟଣା ର ଶିକାର ହୋଇଥିବା ବ୍ୟକ୍ତି ଙ୍କୁ ସେବା ସେ ଉପରେ ନୂତନ ସ୍ବେଚ୍ଛାସେବୀ ମାନଙ୍କୁ କହିଥିଲେ । କାର୍ଯ୍ୟକ୍ରମ ଶେଷରେ ଡ଼ିଗ୍ରୀ କଲେଜ ଯୁବ ରେଡକ୍ରସ୍ କାଉନସିଲର ସରୋଜ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ସ୍ବେଚ୍ଛାସେବୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ଓ କଲେଜ ପରିସର ସଫା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କେଶବ ଭୋଇ, ଗୋପାଳ ନାୟକ, ଯୁଗୁନୁ ନାୟକ, ଶୋଭନ ସାହୁ, ଚନ୍ଦନ ସେନାପତି, ରାଜେନ୍ଦ୍ର କୁମାର ନାୟକ ଓ ଜୁନିଅର ସ୍ବେଚ୍ଛାସେବୀ ବ୍ରଜ କିଶୋର ପାତ୍ର ସହଯୋଗ କରିଥିଲେ।