ବୁଗୁଡ଼ା ତହସିଲଦାରଙ୍କ ଦୁର୍ନୀତି ବିରୁଦ୍ଧରେ ବିଜେପି ପକ୍ଷରୁ ତହସିଲ କାର୍ଯ୍ଯାଳୟ ଘେରାଉ

ବୁଗୁଡା : ସ୍ଥାନୀୟ ତହସିଲଦାର ସଂଗ୍ରାମ କେଶରୀ ଜେନାଙ୍କ ଦୁର୍ନୀତି ବିରୁଦ୍ଧରେ ଘୁମୁସର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଆଜି ତହସିଲ କାର୍ଯ୍ଯାଳୟକୁ ଘେରାଉ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୭ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାଯାଇଛି । ପ୍ରକାଶ ଯେ , ଆଜି ପୂର୍ବାହ୍ନରେ ଘୁମୁସର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ସଭାପତି ଗୋକୁଳାନନ୍ଦ ମଲ୍ଲିକଙ୍କ ନେତୃତ୍ୱରେ ଶତାଧିକ କର୍ମୀ ବୁଗୁଡ଼ା ତହସିଲ କାର୍ଯ୍ଯାଳୟକୁ ଘେରାଉ କରି କାର୍ଯ୍ଯରତ ତହସିଲଦାରଙ୍କ ଦୂର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ତାଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ଦାବିପତ୍ର ପ୍ରେରଣ କରିଛନ୍ତି । ଉକ୍ତ ଦାବିପତ୍ରରେ ତହସିଲଦାର ସଂଗ୍ରାମ କେଶରୀ ଜେନାଙ୍କୁ ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀ ଭାବେ ସାବ୍ୟସ୍ତ କରି ଦର୍ଶାଯାଇଅଛି ଯେ ତହସିଲଦାର ବାବୁ ଦୀର୍ଘ ୪ ବର୍ଷ ହେଲା ବୁଗୁଡ଼ାରେ ପ୍ରଥମେ ଅତିରିକ୍ତ ତହସିଲଦାର ଭାବେ ଯୋଗଦେଇ ପରବର୍ତ୍ତୀ ସମୟରେ ପଦ୍ଦୋନ୍ନତି ପୁଣି ଏଠାରେ ତହସିଲଦାର ଭାବେ ନିଯୁକ୍ତି ପାଇବା ସହ ଉପ-ନିବନ୍ଧକ ଦାୟିତ୍ବକୁ ମଧ୍ୟ ଅତିରିକ୍ତ ଭାବେ ଗ୍ରହଣ କରି ଦୁର୍ନୀତିର କାୟା ବିସ୍ତାର କରିଛନ୍ତି ବୋଲି ଅଭିଯୋଗ ହୋଇଛି । ଏଥିସହ ବୁଗୁଡ଼ା ତହସିଲ ଅଞ୍ଚଳର ନିଲାମ ହୋଇନଥିବା ବିଭିନ୍ନ ପଥର ପାହାଡ ଓ ବାଲିଘାଟରୁ ବେଆଇନ ଚୋରା ଚାଲାଣ କରୁଥିବା ମାଫିଆଙ୍କ ସହ ସାମିଲ ହୋଇ ମାସିକ ଲକ୍ଷାଧିକ ଟଙ୍କା ରୋଜଗାର ସାଙ୍ଗକୁ ଜମି ମାଫିଆଙ୍କ ସହ ସାମିଲ ହୋଇ ବିଭିନ୍ନ ପଞ୍ଚାୟତରେ ଥିବା ଗ୍ରାମ କଣ୍ଟକ , ଗୋଚର ଓ ଅନାବାଦି ଜମିକୁ ପଟ୍ଟା କରଥିବା ଅଭିଯୋଗ କରି ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଅର୍ଜିତ କଳାଟଙ୍କାରେ ତହସିଲଦାର ବିଭିନ୍ନ ସ୍ଥାନରେ ବଡ ବଡ କୋଠା ନିର୍ମାଣ କରିଥିବା ଦର୍ଶାଇ ଭିଜିଲାନ୍ସ ତଦନ୍ତ ମଧ୍ୟ ଦାବି କରିଛନ୍ତି । ଅଧିକନ୍ତୁ , ଏହି ବାବୁ ଜଣକ କୁଆଡେ ହରିଲୁଟ୍ ଅର୍ଥକୁ ମାଫିଆମାନଙ୍କ ଗହଣରେ ମଦମାଂସର ଆସର ଜମାଇବା ସାଙ୍ଗକୁ ବିଜେଡି ସଂଗଠନରେ ଲଗାଇବା ସହିତ ସରକାରୀ କାର୍ଯ୍ୟାଳୟକୁ ବିଜେଡି କାର୍ଯାଳୟ ଭାବେ ବ୍ଯବହୃତ କରିବା ସହ ତୃତୀୟ ମହଲାକୁ ମାସିକିଆ ପାଉଣା ଦେଉଥିବାରୁ ତାଙ୍କର କେହି ବି କିଛି କରିପାରିବେ ନାହିଁ ବୋଲି କହୁଥିବା ନେଇ ବିଜେପି ପକ୍ଷରୁ ଗୁରୁତର ଅଭିଯୋଗ କରାଯାଇଛି । ଏଥିସହ ତହସିଲଦାର ବାବୁଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିବା ସାଧାରଣ ଲୋକଙ୍କୁ ସେ ମିଥ୍ଯା କେସ୍ ଓ ପୋଲିସର ଭୟ ଦେଖାଇ ଧମକଚମକ ଦେଉଥିବା ଅଭିଯୋଗ କରିବା ସହ ଚଳିତ ବର୍ଷ ଗତ ଜାନୁୟାରୀ ୨୩ ତାରିଖରେ ତହସିଲଦାରଙ୍କ ବିରୁଦ୍ଧରେ ବୁଗୁଡ଼ା ଥାନାରେ ବିଜେପି ପକ୍ଷରୁ ହୋଇଥିବା ଏଫ୍ଆଇଆର ଅନୁଯାୟୀ ଅଦ୍ୟାବଧି କୌଣସି କାର୍ଯାନୁଷ୍ଠାନ ଗ୍ରହଣ କରାଯାଇନଥିବା ବେଳେ ତାହାକୁ ପୁନଃ ବିଚାରକୁ ନେବା ପାଇଁ ଦାବି ହୋଇଛି । ତେବେ ଆଜି ସ୍ଥାନୀୟ ବିଜେପି କାର୍ଯ୍ଯାଳୟରୁ ନଗର ସଭାପତି ସୂର୍ଯ୍ୟ ନାରାୟଣ ମହାନ୍ତି, ନିଳମଣି ବିଷୋୟୀ , ଦୀପକ ପ୍ରଧାନ , ରଞ୍ଜନ ପୋଲେଇ , ରଶ୍ମିତା ରଣା ଓ ପ୍ରକାଶ ମହାରଥାଙ୍କ ସମେତ ବିଜେପିର ଶତାଧିକ ପୁରୁଷ ଓ ମହିଳା କର୍ମୀ ଶୋଭାଯାତ୍ରାରେ ବାହାରି ତହସିଲ କାର୍ଯ୍ଯାଳୟରେ ପହଞ୍ଚି ତାହାଙ୍କୁ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଥିଲେ । ତହସିଲ କାର୍ଯ୍ଯାଳୟ ଘେରାଉ କାଳରେ ବ୍ଯାପକ ପୋଲିସ ମୁତୟନ ରହିଥିବା ବେଳେ ବିଡ଼ିଓ ତନ୍ମୟ ପାତ୍ର ମାଜିଷ୍ଟ୍ରେଟ ଦାୟିତ୍ବରେ ରହିଥିଲେ  । ଅନ୍ଯପକ୍ଷରେ, ବିଜେପିର ଏହି ସମସ୍ତ ଅଭିଯୋଗ ଭିତ୍ତିହୀନ , ଅଭିସନ୍ଧିମୂଳକ ଓ କପୋଳକଳ୍ପିତ ବୋଲି ସ୍ବପ୍ରତିକ୍ରିୟାରେ ତହସିଲଦାର ସଂଗ୍ରାମ କେଶରୀ ଜେନା ପ୍ରକାଶ କରିଛନ୍ତି  ।

Leave A Reply

Your email address will not be published.