ହିଞ୍ଜିଳିକାଟୁ,- ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌରାଞ୍ଚଳ ଅନ୍ତର୍ଗତ ଥାନା ତୋଟା ସାହିର ସତ୍ୟ ସୁଗମ ସ୍ବାଇଁ (୨୮ବର୍ଷ) ନାମକ ଜଣେ ଯୁବକ ସଡ଼କ ଦୁର୍ଘଟଣାରେ ଗୋଆ ନିକଟରେ ପ୍ରାଣ ହରାଇଛନ୍ତି। ସୂଚନା ମୁତାବକ ଉକ୍ତ ଯୁବକ ଜଣକ ବ୍ରହ୍ମପୁରର ଏକ ଘରୋଇ ମହାବିଦ୍ୟାଳୟରେ ସ୍ନାତକତ୍ତୋର ମ୍ୟାନେଜମେଣ୍ଟ ପାଠ ପଢ଼ି ଗୋଆର ପନଜି ଠାରେ ଥିବା ଏକ ଘରୋଇ ସଂସ୍ଥାରେ ଚାକିରୀ କରୁଥିଲେ। ତେବେ ପ୍ରତ୍ୟେକ ମାସରେ କିଛି ଦିନ ପାଇଁ ତାଙ୍କୁ ମହାରାଷ୍ଟ୍ରର କୋହ୍ଲାପୁର ସହରକୁ ଯିବାକୁ ପଡୁଥିଲା। ଏହି ଦୁଇ ଶହ କିଲୋମିଟର ରାସ୍ତାକୁ ସତ୍ୟ ପ୍ରାୟତଃ ନିଜ ବାଇକରେ ଯିବା ଆସିବା କରୁଥିଲେ। ବୁଧବାର ଦିନ ବିଳମ୍ବିତ ରାତିରେ ସେ ବାଇକ ଚଳାଇ କୋହ୍ଲାପୁର ଅଭିମୁଖେ ଯାଉଥିବା ବେଳେ ପଛପଟୁ ଏକ ମାଲବାହୀ ଟ୍ରକ ଧକା ଦେବାରୁ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ଶୁକ୍ରବାର ଅପରାହ୍ନରେ ଉକ୍ତ ଯୁବକଙ୍କ ମୃତ ଦେହ ଏକ ସ୍ୱତନ୍ତ୍ର ଯାନରେ ହିଞ୍ଜିଳିକାଟୁ ସ୍ଥିତ ବାସଭବନରେ ପହଞ୍ଚିବା ପରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଶହ ଶହ ଲୋକ ଓ ସାଙ୍ଗସାଥି ତାଙ୍କ ଶେଷ ଯାତ୍ରାରେ ସାମିଲ ହୋଇ ସ୍ମଶାନ ଘାଟକୁ ଯାଇ ଶବ ସତ୍କାର କରିଥିଲେ।