ଖପ୍ରାଖୋଲ –: ଆଜି ହେଉଛି ପବିତ୍ର ସାବିତ୍ରୀ ବ୍ରତ ! ସଧବା ନାରୀମାନେ ଏହି ଦିନ ସ୍ୱାମୀଙ୍କ ଦୀର୍ଘ ଆୟୁଷ ଓ ମଙ୍ଗଳ କାମନା କରି ସାବିତ୍ରୀଙ୍କ ପରି ଆଜୀବନ ସଧବା ହେବା ପାଇଁ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି ! ପ୍ରତ୍ୟେକ ନାରୀ ନିଜ ସ୍ୱାମୀଙ୍କର ସୁନ୍ଦର ସ୍ୱାସ୍ଥ୍ୟ ଓ ନିରାମୟ ଜୀବନ ଲାଗି ଦେବୀ ସାବିତ୍ରୀଙ୍କ ନିକଟରେ ପ୍ରାର୍ଥନା କରିଥାନ୍ତି ! ପୂରାଣ କଥା ବସ୍ତୁ ଅନୁସାରେ ଦେବୀ ସାବିତ୍ରୀ ନିଜ ସ୍ୱାମୀଙ୍କୁ ଯମ ଦେବତାଙ୍କଠାରୁ ଫେରାଇ ଆଣିଥିଲେ ! ସେହିଦିନଠାରୁ ସମସ୍ତ ସଧବା ନାରୀମାନେ ନିଜ ନିଜ ସ୍ୱାମୀ ମାନଙ୍କ ପାଇଁ ଏହି ବ୍ରତ ପାଳନ କରିଥାନ୍ତି ! ଏହି ଅବସରରେ ଲକ୍ଷ୍ମୀ ନାରାୟଣଙ୍କ ମୂର୍ତ୍ତି ସ୍ଥାପନା କରି ପୂଜା କରାଯାଏ ! ଉଖୁଡ଼ା , ନଡ଼ିଆ , ଆଖୁ , ଖଇ , ଛେନା , ଗୁଡ଼ , ନାନାଦି ଫଳ ସଜାଡ଼ି , ଅରୁଆ ଚାଉଳ , ଦୁବ ଓ ନାନା ପ୍ରକାର ଫୁଲରେ ପୂଜା କରାଯାଏ ! ଏହାପରେ ବ୍ରତକାରିଣୀମାନେ ବ୍ରତ ବାନ୍ଧନ୍ତି । ଏହି ଦିନ ନାରୀମାନେ ଘର ଅଗଣାରେ ବୃନ୍ଦାବତୀଙ୍କ ନିକଟରେ ମଧ୍ୟ ପୂଜା କରିଥାନ୍ତି ! ନୂଆ ଶାଢ଼ୀ , ଶଙ୍ଖା , ସିନ୍ଦୂର , ନାଲି ବ୍ରତ ଓ ଭୋଗ ସଜାଡ଼ି ରଖନ୍ତି ! ପାଚିଲା ଆମ୍ବ , ପଣସ , ସପୁରି , ତାଳସଜ , ନଡ଼ିଆ , କଦଳୀ , ଲିଚୁ , ଜାମୁକୋଳି ଆଦି ୬୪ ପ୍ରକାର ପକ୍ୱଫଳ ଓ ଧୂଆମୁଗ ନୈବେଦ୍ୟ ରୂପେ ବଢାଯାଏ ! ଅଳତା-ସିନ୍ଦୂର ପିନ୍ଧି ସଜେଇ ହୋଇ ପୂଜା ପାଇଁ ଅପେକ୍ଷା କରିଥାନ୍ତି ! ତା’ପରେ ପୂଜକ ପୂଜା କରନ୍ତି ! ପୂଜା ହୋଇଥିବା ଶାଢ଼ୀ , ଚୁଡ଼ି ଓ ସିନ୍ଦୂର ପିନ୍ଧି ବୃନ୍ଦାବତୀଙ୍କୁ ବନ୍ଦାପନା କରି ସ୍ୱାମୀଙ୍କ ଆଶୀଷ ନେଇ ଜଳ ଗ୍ରହଣ କରନ୍ତି ! ଶିଳପୁଆରେ ମଧ୍ୟ କେହି କେହି ସାବିତ୍ରୀ ବ୍ରତ ପୂଜା କରିଥାନ୍ତି ! ଏହି ବ୍ରତରେ ଦେବୀ ସାବିତ୍ରୀ , ଯମଦେବତା ଓ ସତ୍ୟବାନଙ୍କୁ ପୂଜା କରାଯାଏ ! ଆଜି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଖପ୍ରାଖୋଲ ପଞ୍ଚାୟତ ମହୁରୁଣ୍ଡି ଗାଁରେ ପବିତ୍ର ସାବିତ୍ରୀ ବ୍ରତ ପାଳନ କରାଯାଇଥିଲା ! ଗାଁର ସଧବା ନାରୀମାନେ ଓ ପୂଜକ ଯୁଧିଷ୍ଠିର ଥାନାପତି ପୂଜାରେ ଉପସ୍ଥିତ ଥିଲେ !