ଭଦ୍ରକ- ଭଦ୍ରକ ପୌର ପରିଷଦର ଏକ ସ୍ୱତନ୍ତ୍ର ବୈଠକରେ ଉପୁଜିଥିବା ବିବାଦ ଏବେ ଭିନ୍ନମୋଡ ନେଇଛି । ଏହି ଘଟଣାକୁ ନେଇ ପୌର ନିର୍ବାହୀ ଅଧିକାରୀ ତାଙ୍କୁ ଉପ ନଗରପାଳଙ୍କ ପୁତ୍ର ତଥା ପୂର୍ବତନ ପାରିଷଦ ପ୍ରବୀର ଜେନା ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ସହରାଞ୍ଚଳ ଥାନାରେ ଅଭିଯୋଗ କରିଥିବାବେଳେ ପ୍ରତିପକ୍ଷ ମଧ୍ୟ ଅନୁରୂପ ଦୁଇଟି ପାଲଟା ଅଭିଯୋଗ କରିଛନ୍ତି । ଏହି ଘଟଣାରେ ଥାନାରେ ୩ଟି ମାମଲା ରୁଜୁ ହୋଇଥିବାବେଳେ ସତ୍ୟାସତ୍ୟ ନେଇ ସହରାବାସୀ ପୁଲିସ୍ର ତଦନ୍ତ ଉପରେ ନଜର ରଖିଛନ୍ତି । ତେବେ ପୂର୍ବତନ ପାରିଷଦ ଶ୍ରୀ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ମା’ ତଥା ଉପ ନଗରପାଳ ଅଂଜୁବାଳା ଜେନାଙ୍କୁ ଉକ୍ତ ବୈଠକରେ ଚେୟାର ନଦେବାକୁ କେନ୍ଦ୍ର କରି ପ୍ରଶ୍ନ କରିବାରୁ କାର୍ଯ୍ୟନିର୍ବାହୀ ଅଧିକାରୀ ତାଙ୍କୁ ଅସଦ୍ ବ୍ୟବହାର ପ୍ରଦର୍ଶନ ସହ କାର୍ଯ୍ୟାଳୟରୁ ବାହାରିଯିବାକୁ କହିଥିଲେ ବୋଲି ଅଭିଯୋଗ କରି ତାଙ୍କ ନାମରେ ଥାନାରେ ମାମଲା ଦାଏର କରିଛନ୍ତି । କିନ୍ତୁ ଏହି ଘଟଣା ଘଟିବାର ୩ ଦିନ ପରେ ଆଜି ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ୍ ନିଜ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଉକ୍ତ ଘଟଣାରେ କେତେକ ନ୍ୟସ୍ତସ୍ୱାର୍ଥ ସଂପନ୍ନ ରାଜନୈତିକ ନେତା ଓ ତାଙ୍କ ଚାଟୁକାରମାନେ ଭଦ୍ରକ ପୌରପାଳିକାର ବିକାଶ ଦିଗରେ ଅନ୍ତରାୟ ସାଜି ଯେଉଁ କୁଟ ଚକ୍ରାନ୍ତ କରିଛନ୍ତି, ତାହା ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି । ଗୁଲମକ୍କୀଙ୍କ କହିବା ମୂଳେ ସେ ଗଣମାଧ୍ୟମ ଜରିଆରେ ଜାଣିବାକୁ ପାଇଥିଲେ ତାଙ୍କ ଉପସ୍ଥିତିରେ ଉପନଗରପାଳଙ୍କୁ ୧୫ ମିନିଟ୍ ପର୍ଯ୍ୟନ୍ତ ଚେୟାର ଦିଆଗଲା ନାହିଁ । ଯେଉଁଥିପାଇଁ ସେ କାଉନ୍ସିଲର ସମ୍ମିଳନୀ କକ୍ଷରେ ଠିଆ ହୋଇରହିଲେ । ଏ ସଂପର୍କରେ ଜଣେ ନାରୀନେତ୍ରୀ ମଧ୍ୟ ଗଣମାଧ୍ୟମରେ କରିଥିବା ଅଭିଯୋଗ ମୂଳେ ସେ ଜଣେ ମହିଳା ହୋଇ ଜଣେ ବୟସ୍କ ନାଗରିକ ତଥା ମହିଳାଙ୍କୁ ଅପମାନ କରିଛନ୍ତି । ଏ ସଂପର୍କରେ ଗୁଲମକ୍କୀ ଦେଇଥିବା ସୂଚନା ମୂଳେ ଉପନଗରପାଳ ଶ୍ରୀମତୀ ଜେନା ସର୍ବପ୍ରଥମେ ତାଙ୍କର ଜଣେ ଗୁରୁଜନ ଓ ମା’ ବୟସର । ସେ ତାଙ୍କୁ ଅନେକ ସମ୍ମାନ କରନ୍ତି । ତାଙ୍କ କାର୍ଯ୍ୟାଳୟକୁ ଜଣେ ସାଧାରଣ ନାଗରିକ ଆସିଲେ ସେ ତାଙ୍କୁ ବସିବା ପାଇଁ ଚେୟାର ଦେଇଥାନ୍ତି । ସେଦିନ ତାଙ୍କ ସମ୍ମୁଖରେ କାଉନସିଲ ବୈଠକରେ ଉପନଗରପାଳ ୧୫ ମିନିଟ୍ ଠିଆ ହେବା ଘଟଣା ସଂପୂର୍ଣ୍ଣ ଅସତ୍ୟ । ତାହା ହୋଇଥିଲେ ସେ ତାହାକୁ କଦାପି ବରଦାସ୍ତ କରିନଥାନ୍ତେ । ଏହା ଏକ ସଂପୂର୍ଣ୍ଣ ପୂର୍ବ କଳ୍ପିତ ମିଥ୍ୟା ଅଭିଯୋଗ । ଏଭଳି ଘଟଣା ଘଟିଥିଲେ ବୈଠକରେ ଥିବା କୌଣସି ପ୍ରତିନିଧି ଗଣତାନ୍ତ୍ରିକ ପଦ୍ଧତିରେ ସଂଗେ ସଂଗେ ଅଭିଯୋଗ କରିଥାନ୍ତେ । ସେଦିନ ଏହି ବୈଠକରେ ଉପନଗରପାଳଙ୍କ ପାଇଁ ଏକ ବଡ ଅଫିସ୍ ରୁମ୍ ବାବଦରେ ଏକଘଣ୍ଟା ଧରି ଯୁକ୍ତି ଚାଲିଥିଲା । କିନ୍ତୁ ତାଙ୍କୁ ଅସମ୍ମାନିତ କରାଯାଇଛି ବୋଲି କେହିବି ଅଭିଯୋଗ କରିନଥିଲେ । ପରବର୍ତ୍ତୀ ସମୟରେ ଅଫିସ୍ କାର୍ଯ୍ୟ ସମୟରେ ସେ ଉପସ୍ଥିତ ରହିଥିବାବେଳେ ଉପନଗରପାଳଙ୍କ ପୁତ୍ର ତଥା ପୂର୍ବତନ ପାରିଷଦ ଶ୍ରୀ ଜେନା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅସମ୍ମାନ କରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ ପୂର୍ବକ ଯେଉଁ ଆକ୍ରମଣ କଲେ, ତାହାକୁ ସେ ତୀବ୍ର ନିନ୍ଦା କରିବା ସହ କାର୍ଯ୍ୟନିର୍ବାହୀ ଅଧିକାରୀ ଜଣେ ସଚ୍ଚୋଟ କାର୍ଯ୍ୟଦକ୍ଷ ବ୍ୟକ୍ତି ହୋଇଥିବାରୁ ତାଙ୍କୁ କିଛି ମୁଷ୍ଟିମୟ ନେତା ଭଦ୍ରକ ପୌରପାଳିକାରୁ ବଦଳି କରିବା ନେଇ ଅନେକଦିନ ଧରି ଷଡଯନ୍ତ୍ର କରିଆସୁଛନ୍ତି । ଯାହାର ପ୍ରତିଫଳନ ଉପନଗରପାଳଙ୍କୁ ଚେୟାର ନଦେବା ଭଳି ମିଥ୍ୟା ଘଟଣାରୁ ସହଜରେ ଅନୁମେୟ । ଦ୍ୱିତୀୟରେ ଉପନଗରପାଳଙ୍କୁ ଯଦି ବୈଠକରେ ଅସମ୍ମାନିତ କରାଯାଇଥାଆନ୍ତା, ତେବେ ସେ ସେଦିନ ସେଠାରେ ପ୍ରତିବାଦ ମଧ୍ୟ କରିପାରିଥାନ୍ତେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ଯାହା ଚାପରେ ତାଙ୍କୁ ଚେୟାର ଦିଆନଯିବା ଭଳି ମିଥ୍ୟା ଅଭିଯୋଗ ଥାନାରେ କଲେ, ତାହା ସହରବାସୀ ଓ ସମସ୍ତ ଉପସ୍ଥିତ କାଉନସିଲର ଜାଣନ୍ତି । ଏଣୁ ଭଦ୍ରକ ପୌରପାଳିକାରେ ଜନସାଧାରଣ ସହରର ବିକାଶ ଦିଗରେ ତାଙ୍କୁ ଭୋଟ୍ ଦେଇ ଜିତାଇଥିବାରୁ ତାହାର ଉନ୍ନତି ଦିଗରେ ସମସ୍ତେ ମିଳିମିଶି ଉଦ୍ୟମ କରିବା ଉଚିତ୍ । କିନ୍ତୁ କିଛି ମୁଷ୍ଟିମେୟ ନ୍ୟସ୍ତସ୍ୱାର୍ଥ ସଂପନ୍ନ ନେତା ତାଙ୍କ ପ୍ରତି ଅସୂୟାଭାବ ପ୍ରଦର୍ଶନ କରି ପୌରପାଳିକାକୁ ଅଚଳ କରି କୌଣସି ଉନ୍ନତିମୂଳକ କାର୍ଯ୍ୟ କରାଇନଦେବାର ଯେଉଁ ଅପଚେଷ୍ଟା କରୁଛନ୍ତି, ତାହା କେବେ ସଫଳ ହେବନାହିଁ ବୋଲି ସେ କହିଛନ୍ତି । ଏବଂ ସମସ୍ତ ପ୍ରତିନିଧି, କର୍ମଚାରୀମାନଙ୍କୁ ଏକାଠି ହୋଇ ମିଳିମିଶି ଭଦ୍ରକ ସହରର ଉନ୍ନତି ଦିଗରେ ୫ ବର୍ଷ ସହଯୋଗ କରିବାକୁ ଅନୁରୋଧ କରିବା ସହ ଉକ୍ତ ଘଟଣାରେ ପୁଲିସ୍ ନିରପେକ୍ଷ ତଦନ୍ତ ପୂର୍ବକ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ପୌରପାଳିକାର ସମସ୍ତ କାର୍ଯ୍ୟ ବନ୍ଦ ରହିବ ବୋଲି ଚେତାବନୀ ଦେଇଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ କାଉନ୍ସିଲର ସେକ୍ ସାହିଲ୍ କାଦ୍ରୀ, ହେମନ୍ତ ସାହୁ, ସେକ୍ ଜହିରୁଦ୍ଦିନ୍, ଫରିୟାଦ ଖାନ୍, ଯମୁନା ସୋରେନ, ରେସ୍ମା ପରୱିନ୍, ଜାହିଦ ସାହା, ନଜମା ଖାତୁନ, ନାସିରୁଦ୍ଦିନ୍ ଖାନ୍, ପୂର୍ବତନ ପାରିଷଦ ଅୟୂବ ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ ।