ବରୀ ଅଞ୍ଚଳର ବିଶିଷ୍ଟ ପାଲ୍ଲା ଗାୟକ ରଘୁନାଥ ନାଥଶର୍ମାଙ୍କ ପରଲୋକ

                                       ବରୀ : ଗତ ରବିବାର ଦିନ ବିଶିଷ୍ଟ ପାଲ୍ଲା ଗାୟକ ରଘୁନାଥ ନାଥଶର୍ମାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା ଲୋକ କଳା ପାଲାର ପ୍ରଚାର ପ୍ରସାର ଦିଗରେ ସ୍ଵର୍ଗତ ନାଥଶର୍ମାଙ୍କର ବିଶେଷ ଅବଦାନ ରହିଥିଲା ଦୀର୍ଘ ପଚାଶ ବର୍ଷ ଧରି ସେ ଓଡ଼ିଶାର ବିଭିନ୍ନ ଜିଲ୍ଲା ଓ ପଡ଼ୋଶୀ ରାଜ୍ୟ ପଶ୍ଚିମ ବଙ୍ଗ, ଉତ୍ତରାଖଣ୍ଡ, ଛତିଶଗଡ଼ରେ ଦୀର୍ଘ ବର୍ଷ ଧରି ପାଲା ପରିବେଷଣ କରି ଆସୁଥିଲେ। ସାହିତ୍ୟ, କଳା, ସଂସ୍କୃତି, ଧର୍ମ ତଥା ଆଧ୍ୟାତ୍ମିକ ବିଚାର ଧାରାକୁ ଜନଜୀବନରେ ପ୍ରଚାରିତ ଓ ପ୍ରସାରିତ କରିବାରେ ତାଙ୍କର ଯୋଗଦାନକୁ ପାଥେୟ କରି ୧୯୮୦ ମସିହାରେ ସମାଜ ସଂପାଦକ ଡ଼ ରାଧାନାଥ ରଥଙ୍କ ଠାରୁ ସେ ଗାୟକ ରତ୍ନାକର ଉପାଧି ପ୍ରାପ୍ତ କରିଥିଲେ। ପାଲା ପରିବେଷଣ ସହିତ ରାଜ୍ୟରେ ଶତାଧିକ ପାଲା କଳାକାରଙ୍କୁ ତାଲିମ ଦେଇ ସେମାନଙ୍କର ଉନ୍ନତିରେ ସହାୟକ ହେବା ସହିତ ଓଡ଼ିଶାର ଲୋକକଳାର ବିକାଶରେ ନିଜକୁ ସମର୍ପିତ କରିଥିଲେ। ସ୍ଵର୍ଗତ ନାଥ ଶର୍ମାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶିକାର ଛାୟା ଖେଳି ଯାଇଛି। ସଂସ୍କୃତି କ୍ଷେତ୍ରରେ ଅନ୍ୟତମ ଆଲୋକ ଲିଭି ଯାଇଛି କଳା କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ହୋଇଛି ଆକାଶରୁ ତାରା ଟିଏ ଖସି ପଡିଲା ପରି ଲାଗୁଛି ବୋଲି ବରୀ ଅଂଚଳରେ ଚର୍ଚ୍ଚା ହେଉଛି।                                           ,                        ସ୍ଵର୍ଗତ ନାଥ ଶର୍ମାଙ୍କର ଜନ୍ମ ୧୯୩୫ ମସିହା ଫେବୃୟାରୀ ୨୮ ତାରିଖରେ ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ବାଲିବିଲ ଗ୍ରାମରେ ହୋଇଥିଲା। ପିତା ବଂଶୀଧର ନାଥଶର୍ମା ଓ ମାତା ସତ୍ୟଭାମା ଦେବୀଙ୍କ ବଡ଼ ପୁଅ ରଘୁନାଥ ମାତ୍ର ଦଶ ବର୍ଷ ବୟସରେ ପିତାଙ୍କୁ ହରାଇ ଅନେକ ଅଭାବ ଅନାଟନ ମଧ୍ୟରେ ନିଜକୁ ଜଣେ କଳାକାର ଭାବେ ପ୍ରତିଷ୍ଠିତ କରାଇ ପାରି ଥିଲେ। ହରି କଣ୍ଠଙ୍କ ଭଳି ଜଣେ ଜଣେ ସହୃଦୟ ବ୍ୟକ୍ତିଙ୍କ ସାନିଧ୍ୟ ହରିନାଥଙ୍କ ଭଳି ଜଣେ ବିଖ୍ୟାତ ପାଲା ଗାୟକଙ୍କ ଠାରୁଲୋକକଳା ପାଲା ଶିକ୍ଷା କରି ମାତ୍ର ୨୦ ବର୍ଷ ବୟସରେ ରଘୁନାଥ ପାଲା ଗାୟକ ଭାବେ ଜୀବନ ଆରମ୍ଭ କରିଥିଲେ। ୬୦ ବର୍ଷ ଧରି ପାଲାକୁ ଜୀବନର ଧେୟ ଭାବେ ଗ୍ରହଣ କରି ସେ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରାଇବା ସହିତ ନିଜ ଅଞ୍ଚଳ ତଥା ରାଜ୍ୟର ଗୌରବ ବଢ଼ାଇଥିଲେ। ସ୍ବର୍ଗତ ରଘୁନାଥଙ୍କ ବିୟୋଗରେ ବରୀ ବିଧାୟିକା ସୁନନ୍ଦା ଦାସ, ବରୀ ବିଜେଡ଼ି ସଂଯୋଜକ ଦେବେନ୍ଦ୍ର ଦାସ୍, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ, ସାମ୍ବାଦିକ ସଂଘ ବରୀର ପୂର୍ବତନ ସଭାପତି ଅଜୟ କୁମାର ଜେନାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି। ତାଙ୍କ ଶେଷ ଦର୍ଶନ କରି ଶୋକ ସଂତପ୍ତ ପରିବାରକୁ ସମବେଦନା ଜଣାଇବା ସହିତ କଳା ଜଗତକୁ ସ୍ଵର୍ଗତ ରଘୁନାଥଙ୍କ ଅବଦାନ ପାଇଁ ଉଚ୍ଚ ପ୍ରଶଂସା କରିଥିଲେ। ବଡ଼ ପୁଅ ସାମ୍ବାଦିକ ରମାକାନ୍ତ ମୁଖାଗ୍ନି ଦେଇଥିବା ବେଳେ ସ୍ଵର୍ଗତ ରଘୁନାଥଙ୍କ ସାନଭାଇ ସର୍ବୋଦୟ ସେବକ ଭଗବାନ ନାଥ, ପ୍ରହଲ୍ଲାଦ ନାଥ, ବିଶ୍ବମ୍ବର ନାଥ, ମୂରଲୀଧର ନାଥ, ପ୍ରଫୁଲ୍ଲ ନାଥ, ଗୋବିନ୍ଦ କଣ୍ଠ, ନିର୍ମଳ କୁମାର ଗିରି, ବନମାଳୀ ପରିଡ଼ା, ମାଗୁଣି ନାଥ ଓ ସାମ୍ବାଦିକ ଚୈତନ୍ୟ ଚରଣ ଜେନା ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ମର ଶରୀରକୁ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଇବା ପରେ ଗ୍ରାମ୍ୟ ଶ୍ମଶାନରେ କୌଳିକ ରୀତିରେ ସମାଧି ଦିଆଯାଇଥିଲା।

Leave A Reply

Your email address will not be published.