ବାଲିଆପାଳ – ଦିନକୁ ଦିନ ବାତ୍ୟା ସ୍ଥଳ ଭାଗରେ ଉଗ୍ର ରୂପ ଧାରଣ କରି ବହୁ କ୍ଷୟ କ୍ଷତି ଘଟାଉଛି। ବିଜ୍ଞାନ ଯେତେ ଅଗ୍ରଗତି କରୁଛି ବାତ୍ୟା ମଧ୍ଯ ତାର କ୍ଷୟ କ୍ଷତିର ପ୍ରଭାବ ବଢ଼ାଇବାରେ ଲାଗୁଛି। ତାର ମୁକାବିଲା କରିବା ପାଇଁ ରବିବାର ବାଲିଆପାଳ ବ୍ଲକ ର ୩୫ ଟି ବାତ୍ୟା ଆଶ୍ରୟସ୍ଥଳୀରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ବିଡ଼ିଓ ଦୀପକ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ ଜିପିଇଓ ରାମ ଚନ୍ଦ୍ର ମାରାଣ୍ଡୀଙ୍କ ପରିଚାଳନାରେ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ବାଲିଆପାଳ ଅଗ୍ନିଶମ ବିଭାଗର କର୍ମକର୍ତ୍ତା ମାନେ ବିଭିନ୍ନ ସ୍ଥାନକୁ ଯାଇ ବାତ୍ୟାର ମୁକାବିଲା ପାଇଁ ବିଭିନ୍ନ କୌଶଳ ଶିକ୍ଷା ପ୍ରଦାନ କରିଥିଲେ।
ବାତ୍ୟା ଆସିଲେ କିପରି ତୁରନ୍ତ ମୁକାବିଲା କରାଯିବା ସହିତ ଲୋକଙ୍କୁ ବିପଦରୁ ରକ୍ଷା କରାଯାଇପାରିବ,ଲୋକଙ୍କ ଧନଜୀବନ ରକ୍ଷା କରାଯାଇ ପାରିବ, ବୃଦ୍ଧା,ବୃଦ୍ଧ, ଭିନ୍ନକ୍ଷମ, ରୋଗାଗ୍ରସ୍ତ,ଗର୍ଭବତୀ ଓ ଅସହାୟ ଲୋକଙ୍କୁ ସହାୟତା କରାଯିବା ଇତ୍ୟାଦି ସହିତ ଯେପରି କାହାରବି ଜୀବନ ହାନୀ ନ ହେବ ସେଦିଗରେ ନିଜେ ସୁରକ୍ଷିତ ରହି ଅନ୍ୟକୁ ସୁରକ୍ଷା ଦେଇପାରିବେ ସେ ଦିଗରେ ଶିକ୍ଷା ଦିଆଯାଇଥିଲା।ବାତ୍ୟା ଆଶ୍ରୟସ୍ଥଳୀର ସମସ୍ତ ପରିଚାଳନା କମିଟି ସଦସ୍ୟ ଗ୍ରାମର ଯୁବକ ସଂଘର ସଦଦ୍ୟ,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ଏହି ମକଡ୍ରିଲରେ ସାମିଲ କରାଯାଇ ଶିକ୍ଷା ଦିଆ ଯାଇଥିଲା।ସକାଳ ୭ ଟା ଠାରୁ ୧୨ ପର୍ଯ୍ୟନ୍ତ ସମସ୍ତ ୩୫ ଟି ବାତ୍ୟା ଆଶ୍ରୟସ୍ଥଳୀରେ ଏହି ମକଡ୍ରିଲ କରାଯାଇ ଲୋକଙ୍କୁ ସଚେତନ କରାଯିବା ସହିତ ତାଲିମ ପ୍ରଦାନ କରାଯାଇଛି।