ଖଇରା ଗାନ୍ଧୀଙ୍କ ୧୧୨ ତମ ଜନ୍ମଦିନ ପାଳିତ

ବାଲେଶ୍ବର- ଖଇରା ଗାନ୍ଧୀ ଭାବେ ପରିଚିତ ସ୍ବର୍ଗତ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ୧୧୨ତମ ଜନ୍ମଦିନ ପାଳିତ ହୋଇଯାଇଛି । ବାଲେଶ୍ବର ଜିଲ୍ଲା ଖଇରା ବଜାରରେ ଥିବା ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ଯାଳୟ ପରିସରରେ ଗୋବିନ୍ଦ ଚନ୍ଦ୍ର ପଣ୍ଡା ସ୍ମୃତି କମିଟି ତରଫରୁ ପାଳନ ହୋଇଥିଲା । ଏହି ପରିପ୍ରେକ୍ଷୀରେ କମିଟିର ସଭାପତି ପଣ୍ଡିତ କୃଷ୍ଣ ଚନ୍ଦ୍ର ପତ୍ରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସମ୍ପାଦକ ଉମେଶ ଚନ୍ଦ୍ର ନାୟକ, ଉପ-ସଭାପତି ବୁଦ୍ଧିରାମ ପାଣିଗ୍ରାହୀ, ଆବାହକ ଅଭିରାମ ମହାପାତ୍ରଙ୍କ ସମେତ ମୁକ୍ତିକାନ୍ତ ଶତପଥୀ, ଚିନ୍ତାମଣି ସାହାଣୀ, ପୁତ୍ର ଗଗନ ବିହାରୀ ପଣ୍ଡା, ଦେବେନ୍ଦ୍ର କୁମାର ରାଉତ, କୈଳାସ ଚନ୍ଦ୍ର ପୃଷ୍ଟି, ନାରାୟଣ ଚନ୍ଦ୍ର ପେଡା, ନିରଞ୍ଜନ ବେହେରା, ରାମକୃଷ୍ଣ ପଟ୍ଟନାୟକ, ଦେବାଶିଷ ମହାନ୍ତି ଓ ରାକେଶ ମହାନ୍ତି ପ୍ରମୁଖ ଉପସ୍ଥିତ ହୋଇ ସ୍ବର୍ଗତ ପଣ୍ଡାଙ୍କ ବହୁବିଧ ଗୁଣାବଳୀ ଉପରେ ଆଲୋଚନା କରିଥିଲେ । ସ୍ବର୍ଗତ ପଣ୍ଡା ଜଣେ ବହୁ ପ୍ରତିଭାର ଅଧିକାରୀ ହୋଇଥିଲେ ମଧ୍ୟ ସମାଜସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିଲେ । ସେ ଜଣେ ସ୍ବାଧୀନତା ସଂଗ୍ରାମୀ ଭାବେ ମଧ୍ୟ ପରିଚିତ ଥିଲେ । ମାହାତ୍ମ୍ୟା ଗାନ୍ଧୀଙ୍କ ନୀତି ଆଦର୍ଶକୁ ସାରା ଜୀବନ ଅନୁସରଣ କରି ବାଟ ଚାଲୁଥିଲେ ଏବଂ ଲୋକମାନଙ୍କୁ ମହାତ୍ମାଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବାଟ ଚାଲିବାକୁ ସୁପରାମର୍ଶ ଦେଉଥିଲେ । ସେ ଜଣେ ସମାଜସେବୀ ଥିବାରୁ ଦରିଦ୍ର, ଅସହାୟ, ଗରିବ ଓ ଦୀନଦୁଃଖି ମାନଙ୍କ ଦୁଃଖ ଦେଖି ରହି ପାରୁନଥିଲେ । ଯଥା ସମ୍ଭବ ସେମାନଙ୍କ ପାଖରେ ପହଞ୍ଚି ସହାୟତାର ହାତ ବଢାଉଥିଲେ । ବୃକ୍ଷ ରୋପଣ, ସଫେଇ କାର୍ଯ୍ୟ, ଅନୁଷ୍ଠାନ ଗଢିବା ଇତ୍ୟାଦି ଅନେକ ସମାଜ ଉପଯୋଗୀ କାର୍ଯ୍ୟ କରିବା ତାଙ୍କର ନିଶା ଥିଲା । ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ନିଜ ହାତରେ ସୂତକାଟି ଲୁଗାବୁଣି ପିନ୍ଧୁଥିଲେ । ଖଇରା ଅଞ୍ଚଳରେ ବହୁ ଅନୁଷ୍ଠାନ ତାଙ୍କରି ପ୍ରଚେଷ୍ଟାରେ ଗଢି ଉଠିଛି । ତାଙ୍କର ବହୁବିଧ ପ୍ରତିଭାରେ ମୁଗ୍ଧ ହୋଇ ଏ ଅଞ୍ଚଳବାସୀ ତାଙ୍କ ଖଇରା ଗାନ୍ଧୀ ବୋଲି ଡାକୁଥିଲେ । ତେଣୁ ଏ ଅଞ୍ଚଳ ତାଙ୍କୁ ଖଇରା ଗାନ୍ଧୀ ଭାବେ ଆଜି ପର୍ଯ୍ୟନ୍ତ ମନେ ରଖିଛି ଏବଂ ଭବିଷ୍ୟତରେ ମନେ ରଖିଥିବେ ମଧ୍ୟ ।

Leave A Reply

Your email address will not be published.