ବାଲିଆପାଳ – ବାଲିଆପାଳ ଥାନା ଅନ୍ତର୍ଗତ ଖାଗଡ଼ାପାଳ ଗ୍ରାମରେ ଏକ ଭଡା ଘରୁ ବାଲିଆପାଳ ପୋଲିସ ମଙ୍ଗଳବାର ପୂର୍ବାହ୍ନରେ ଏକ ଯୁବକର ଝୁଲନ୍ତା ମୃତ ଦେହକୁ ଉଦ୍ଧାର କରି ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ କରାଇଛି।ମୃତ ଯୁବକ ଜଣକ ହେଲେ ପଶ୍ଚିମବଙ୍ଗ ରାଜ୍ୟ ନଦିଆ ଜିଲ୍ଲାର କ୍ରିଷ୍ଣନଗର ଅଂଚଳର ଉଜ୍ଜଳ ବିଶ୍ୱାଶ (୨୪)। ସୂଚନା ମୁତାବକ ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର କିଛି ଲୋକ ଦୀର୍ଘ ଦିନ ଧରି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଂଚଳରେ ରହି ଗାଁ ଗାଁ ବୋଲି ଫେରି କରି ବିଭିନ୍ନ ଜିନିଷ ପତ୍ର ବଦଳରେ ପୁରୁଣା ଶାଢ଼ୀ କାରବାର କରି ଆସୁଛନ୍ତି । ସେମାନଙ୍କ ମଧ୍ୟରୁ କ୍ରିଷ୍ଣନଗର ଅଂଚଳର ମହେନ୍ଦ୍ର ବିଶ୍ୱାଶ ଖଗଡାପାଳ ଗ୍ରାମରେ ଏକ ଭଡା ଘରେ ରହି ଫେରି କରି ଆସୁଥିଲେ । ୩ ଦିନ ପୂର୍ବେ ତାଙ୍କ ଝିଅର ପୁଅ ନାତି ଉଜ୍ଜଳ ବିଶ୍ୱାଶ ଅଜା ପାଖକୁ ବୁଲି ବାକୁ ଆସିଥିଲା।ଉଜ୍ଜଳ ଦୁଇଦିନ ଧରି ଅଜା ପାଖରେ ରହି ବାଲିଆପାଳ ଅଞ୍ଚଳ ବୁଲାବୁଲି କରିଥିଲେ। ବୁଧବାର ନିଜ ଗାଆଁକୁ ଫେରିବାର ଥିବା ବେଳେ ମଙ୍ଗଳବାର ସକାଳେ ଅଜା ମହେନ୍ଦ୍ର ଭଡ଼ାଘର ବାରଣ୍ଡାରେ ନାତିର ମୃତଦେହ ଝୁଲୁଥିବାର ଦେଖି ବାଲିଆପାଳ ଥାନାକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛି।ଏହା ପ୍ରେମ ଜନିତ ଆତ୍ମହତ୍ୟା ବୋଲି ସାଧାରଣରେ ଚର୍ଚା ହେଉଥିଲା ବେଳେ ଏହା ହତ୍ୟା କି ଆତ୍ମହତ୍ୟା ତଦନ୍ତ ପରେ ସତ୍ୟା ସତ୍ୟ ଜଣା ପଡ଼ିବ।