ଖଲ୍ଲିକୋଟ- ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ କଂଗ୍ରେସ ନେତା ଅଜୟ କୁମାର ଯେଉଁ ଟିପ୍ପଣୀ ଦେଇଛନ୍ତି ତାହାକୁ କଡ଼ା ସମାଲୋଚନା କରିଛି ଘୁମୁସର ସାଂଗଠନିକ ଜିଲ୍ଲା ବିଜେପି। ଅଜୟ କୁମାର କହିଛନ୍ତି, ଦ୍ରୌପଦୀ ମୁର୍ମୁ ଭାରତର ଅତ୍ୟନ୍ତ ଭୁଲ୍ ବିଚାରଧାରାକୁ ପ୍ରତିନିଧିତ୍ବ କରୁଛନ୍ତି। ସେ ଆଦିବାସୀଙ୍କ ପ୍ରତୀକ ହେବା ଉଚିତ ନୁହେଁ। ଅଜୟ କୁମାର କହିଛନ୍ତି, ମୋଦୀ ସରକାର କେବଳ ପ୍ରତୀକ ଦ୍ବାରା ଭାରତର ଲୋକଙ୍କୁ ବୋକା ବନାଉଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ବର୍ତ୍ତମାନ ରାଷ୍ଟ୍ରପତି ଅଛନ୍ତି। କିନ୍ତୁ ସେ କ’ଣ କରିଛନ୍ତି। ଦେଶବ୍ୟାପୀ ଅନୁସୂଚିତ ଜାତି ଉପରେ ଅତ୍ୟାଚାର ହେଉଛି ଏବଂ ଅନୁସୂଚିତ ଜାତି ସମ୍ପ୍ରଦାୟର ସ୍ଥିତି ଅତ୍ୟନ୍ତ ଖରାପ। ହାଥରାସ ଘଟଣା ସମୟରେ ରାଷ୍ଟ୍ରପତି ପାଟି ଖୋଲିନଥିଲେ ବୋଲି ସେ କହିଛନ୍ତି। ତେବେ ଅଜୟକଂ ଏହି ବୟାନ ପରେ ବିଜେପି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି।କଂଗ୍ରେସ ଏଭଳି ବୟାନ ପାଇଁ ତୁରନ୍ତ କ୍ଷମା ପ୍ରାର୍ଥନା କରୁ ବୋଲି ବିଜେପି ଦାବି କରିଛି। ବିଜେପି ପକ୍ଷରୁ ଖଲ୍ଲିକୋଟ ଠାରେ ଏନେଇ ପ୍ରତିବାଦ କରାଯାଇଥିବା ବେଳେ ଘୁମୁସର ସାଂଗଠନିକ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ପ୍ରମୋଦ କୁମାର ପଣ୍ଡା କହିଛନ୍ତି ଦଳିତମାନଙ୍କ ବିକାଶ ପାଇଁ ସାରା ଜୀବନ କାମ କରିଥିବା ଦ୍ରୌପଦୀ ମୁର୍ମୁ ଆଜି ଲୋକଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି। କିନ୍ତୁ କଂଗ୍ରେସ ତାଙ୍କୁ ଅପମାନିତ କରିଛି। କଂଗ୍ରେସର ଭୁଲ୍ ବିଚାରଧାରା ପୁଣିଥରେ ପ୍ରମାଣିତ ହୋଇଗଲା ବୋଲି ସେ କହିଛନ୍ତି। ଯୁବମୋର୍ଚ୍ଚା ସଭାପତି ପ୍ରମୋଦ କୁମାର ପଣ୍ଡା, ବରିଷ୍ଠ ବିଜେପି ନେତା ଅନିଲ୍ ପଣ୍ଡାଙ୍କ ସମେତ ବହୁ ବିଜେପି କର୍ମକର୍ତ୍ତା ଏହି ପ୍ରତିବାଦ ରାଲିରେ ସାମିଲ୍ ହୋଇ କଂଗ୍ରେସ ବିରୁଦ୍ଧରେ ନାରାବାଜି କରିଥିଲେ।