ଅସ୍ତରଙ୍ଗ- ଦୀର୍ଘ ଚାରିବର୍ଷ କାଳ ସୁନାମୀ ନଦୀବନ୍ଧ କାମ ସାରି ପାରିଲେ ନାହିଁ ଠିକାଦାର । ଯାହା ଫଳରେ ଆଜି ପୂର୍ଣ୍ଣିମା ତିଥିରେ ଲୁଣା ଜୁଆର ପାଣି ଦୁର୍ବଳ ନଦୀବନ୍ଧକୁ ଭାଙ୍ଗି ଚାଷ ଜମିରେ ପ୍ରବେଶ କରିଛି । ଆଉ ଶହ ଶହ ଏକର ଚାଷ ଜମିରେ ମାଡି ଯାଇଛିି ଲୁଣାପାଣି। ସେହି ଚିନ୍ତାରେ ଘାରି ହେଉଛନ୍ତି ଅସ୍ତରଙ୍ଗ ଅଞ୍ଚଳର ଚାଷୀ।
ପୁରୀ ଜିଲ୍ଲା ଅସ୍ତରଙ୍ଗ ଦେବୀ ନଦୀର ଶାଖା ନଦୀ ଭଉଁରିଆ ନଈର ବନ୍ଧ ଭାଙ୍ଗି ଚାଷ ଜମିକୁ ଲୁଣାଜଳ ପ୍ରବେଶ କରୁଛି । କାକଟପୁର ଜଳସେଚନ ବିଭାଗ ଅଧୀନରେ ରହିଥିବା ଏହି ନଦୀର ସୁନାମୀ ନଦୀବନ୍ଧ ନିର୍ମାଣ କରିବା ପାଇଁ ଟେଣ୍ଡର ଜରିଆରେ ଜଣେ ଠିକାଦାରଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲା କିନ୍ତୁ ଠିକାଦାର ଚାରି ବର୍ଷ ଭିତରେ ସୁନାମୀ ନଦୀବନ୍ଧର କାମ ସାରି ପାରିଲେ ନାହିଁ । ଆଉ ଏତିକି ବେଳକୁ ବାରମ୍ବାର ଲଘୁଚାପ ବର୍ଷା ଓ ପୂର୍ଣ୍ଣିମା ଜୁଆର ପାଣି ଦୁର୍ବଳ ବନ୍ଧରେ କେଁଠି ଘାଇ ସୃଷ୍ଟି କରିଛି ତ କେଉଁଠି ବନ୍ଧ ଡେଇଁଛି । ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଭଉଁରିଆ ନଦୀର ଉତ୍ତର ପାର୍ଶ୍ୱ ବନ୍ଧର ବେଗୁନିଆବସ୍ତ ଗାଁ ଠାରୁ ପୁଇଁଚାନ୍ଦିଆ ଗାଁ ପର୍ଯ୍ଯନ୍ତ ରହିଛି । ନଦୀବନ୍ଧର ପ୍ରାୟ ତିନିଟି ସ୍ଥାନରେ ଘାଇ ସୃଷ୍ଟି ହୋଇଥିବା ବେଳେ ଅନେକ ସ୍ଥାନରେ ବନ୍ଧ ବୁଡି ଲୁଣାଜଳ ଚାଷଜମି ଭିତରକୁ ପ୍ରବେଶ କରୁଛି । ତେବେ ଏ ଖବର ଜଳସେଚନ ବିଭାଗ ପାଖରେ ନଥିଲା ।ବର୍ତ୍ତମାନ ଚାଷୀ ନିଜ ଚାଷଜମିରେ ତଳି ପକାଇବା ସହ ଅନେକ ଚାଷୀ ଧାନ ବୁଣି ସାରିଛନ୍ତି । ଆଉ କେତେକ ଚାଷୀ ବିଭିନ୍ନ ପ୍ରକାର ପନିପରିବା ଚାଷ କରିଛନ୍ତି । ଏବେ ଏହି ଲୁଣାପାଣି ପନିପରିବା ଚାଷ ଆଦିକୁ ସମ୍ପୂର୍ଣ୍ଣ ନଷ୍ଟ କରି ଦେଇଛି । ଗତ ଲଘୁଚାପ ବର୍ଷାରେ ଅସ୍ତରଙ୍ଗ ଅଞ୍ଚଳରେ ଧାନଫସଲ ସମ୍ପୂର୍ଣ ଭାବରେ ନଷ୍ଟ ହୋଇଯାଇଥିବା ବେଳେ ଚାଷୀମାନେ ଚଳିତ ଖରିଫ ଧାନଚାଷ କରି କିଛି ଅମଳ କରିବାର ଆଶା ରଖିଥିଲେ । ହେଲେ ଏବେ ସେମାନଙ୍କ ସବୁ ଆଶାରେ ଲୁଣିପାଣି ମାଡିଯାଇଛି ।ଜଳସେଚନ ବିଭାଗର ବେଫିକର ନୀତି ଏବଂ ଠିକାଦାରର ମନମାନି ଯୋଗୁଁ ଶହ ଶହ ଚାଷୀ ସର୍ବସ୍ୱାନ୍ତ ହେବାକୁ ବସିଛନ୍ତି । ରାଜ୍ଯ ସରକାର କ୍ଷତିଗ୍ରସ୍ତ ଚାଷୀମାନଙ୍କ ପାଇଁ ସ୍ୱତନ୍ତ୍ର ସହାୟତା ପ୍ରଦାନ କରିବା ସହ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ଚାଷୀମାନେ ଦାବି କରିଛନ୍ତି ।ଏ ସମ୍ପର୍କରେ ଆମ ପ୍ରତିନିଧି ଜଳସେଚନ ବିଭାଗର ମୁଖ୍ୟଯନ୍ତ୍ରୀ ଭକ୍ତ ବଲ୍ଲଭ ମହାନ୍ତି ଙ୍କୁ ପଚାରିବାରୁ ସେ କୁହନ୍ତି ବିଭାଗୀୟ ତଦନ୍ତ କରାଯାଇ ଠିକାଦାରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।